ଭୁବନେଶ୍ବର (ଡକ୍ଟର ଆଶୁତୋଷ ମିଶ୍ର): ଶ୍ରୀଗୁଣ୍ଡିଚାଦିନ ଧାରାବିବରଣୀ ଦେଇ ଷ୍ଟୁଡିଓରୁ ବାହାରୁଥାଏ ।ଫେରିବାଲାଗି ଗାଡିର ବ୍ୟବସ୍ଥା କରାଯାଇଥାଏ। ଦୁଆରମୁହଁରେ ପହଁଚିଲା ବେଳକୁ ଜଣେ ବ୍ୟକ୍ତି ମତେ ନମସ୍କାର କରି ପଚାରିଲେ -ଆଜ୍ଞା ! ଆଇଗିଣିଆ ଯିବେ ତ ? ମୁଁ ମୁଣ୍ଡଟୁଙ୍ଗାରି ହଁ ଭରିବାରୁ ସେ ତାଙ୍କ ଗାଡ଼ିଟି ମତେ ଦେଖାଇଦେଲେ। ଗାଡି ଷ୍ଟାର୍ଟ ହେଲା । ଗାଡ଼ିରେ ଆମେ କେବଳ ଦୁଇଜଣ ; ଡ୍ରାଇଭର ଆସନରେ ସେ ଆଉ ତାଙ୍କ ପାଖରେ ମୁଁ।ଗାଡିରୁ ସାଲବେଗ ଭଜନର ମଧୁର ପଦ, ମନକୁ ଆହୁରି ଭାବସିକ୍ତ କରୁଥାଏ। ଆଖିରେ ଛାଇନିଦ ଆସିଗଲା ; ସାରାଦିନର କ୍ଳାନ୍ତି ପରେ।
ହଠାତ ମୋବାଇଲ ଫୋନର ରିଂରେ ନିଦ ଭାଙ୍ଗିଗଲା। ସାନଭଉଣୀ ସହିତ ଦି'ପଦ କଥା ହୋଇକି ଫୋନ ରଖିଲା ବେଳକୁ ଡ୍ରାଇଭର ମହୋଦୟ ମତେ ପଚାରିଲେ- ଆପଣ ଆମ ମହାପ୍ରଭୁଙ୍କ କଥା କହନ୍ତି ନା ? ଆଜି କଣ ରଥଟଣା ହେଇପାରିଲା ? ଜଗନ୍ନାଥେ କେଉଁଠି ଅଟକିଲେ ? ଏକାବେଳେ ଏତେଗୁଡିଏ ପ୍ରଶ୍ନ ଶୁଣି ତାଙ୍କୁ ଜଳଜଳ ହେଇକି ଚାହିଁରହିଲି।ତାଙ୍କର ନିଶ ନ ଥିବା ଦାଢ଼ି,ବେକରେ କଳାଫିତା,ଦେହରୁ ଅତରବାସ୍ନା,ଗାଡ଼ି କାଚରେ ଲେଖାଥିବା ୭୮୬ ଆଉ ଗାଡିର ମିରରରେ ଟଙ୍ଗା ହେଇଥିବା ମକାମଦିନାର ଫୋଟୋ ଦେଖି ମୁଁ ଜାଣିସାରିଥିଲି ଯେ ସେ ମୁସଲମାନ ; ହେଲେ ତାଙ୍କଠୁ ଏମିତି ପ୍ରଶ୍ନ ଶୁଣି ମୁଁ ଅବାକ୍ ହେଇଗଲି।
ସେ ବୋଧେ ମୋ ମନର ଅକୁହା ଶବ୍ଦ ସବୁ ପଢ଼ିପାରି କହିଲେ -ଆଜ୍ଞା ! ଆମେ ଭିନ୍ନ ସମ୍ପ୍ରଦାୟର ହେଲେ କଣ ହେବ ?
ମହାପୁରୁ ମୋ ଇଷ୍ଟ ,ତାଙ୍କୁ ଭାରି ମାନେ ; ମାନିବିନି କେମିତି ଯେ ? ଜୀବନ୍ତ ସେ। କଥାକୁହା ,ଡାକିଲେ ଓ' କରନ୍ତି ।ଏତିକି କହିଲା ବେଳକୁ ସେ ଖୁବ୍ ଭାବୁକ ହୋଇପଡିଲେ।
ମୁଁ ସେତେବେଳକୁ ଆଶ୍ଚର୍ଯ୍ୟରେ ତାଙ୍କ କଥା ଶୁଣୁଥାଏ ; ସତେ ଅବା କେହି ଜଣେ ଭକ୍ତ ତା ପ୍ରଭୁ ବିଷୟରେ ବଖାଣୁଛନ୍ତି!
ତାଙ୍କୁ ପଚାରିଲି - ଆପଣ କଣ ଅନୁଭବ କରିଛନ୍ତି ମହାପୁରୁ ଜୀବନ୍ତ ବୋଲି ? ହଁ ଆଜ୍ଞା । ଏଇ ଦି'ମାସ ତଳେ ଭଡାରେ ପୁରୀ ଯାଇଥିଲି। ଗାଡି ଭୁବନେଶ୍ୱର ଛାଡିଲା ବେଳକୁ କେମିତି ଗୋଟେ ଶବ୍ଦ ଗାଡିରୁ ହେଲା, ଗ୍ୟାରେଜରେ ଦେଖେଇଲି ; ସେ ତଥାପି ଜାଣିପାରିଲାନି ଆଉ କହିଲା ତମେ ପୁରୀରୁ ଫେର ଦେଖିବା । ଗାଡ଼ିରେ ଲୋକ ଥିବାରୁ ମୁଁ ଆଉ କିଛି ନ ଭାବି ଗାଡି ଚଲେଇବା ଆରମ୍ଭ କଲି ତ ସେ ଶବ୍ଦ ଆହୁରି ବଢ଼ିଲା ; ଲାଗିଲା ଯେମିତି ଗାଡିଟି ବନ୍ଦ ହେଇଯିବ। ଆକ୍ସିଲେଟର ଯେତେ ଦବେଇଲେ ବି ଲାଗିଲା ଗାଡି ଆଉ ଚାଲିବନି। ବସିଥିବା ଯାତ୍ରୀ ମାନେ ବି ଵ୍ୟସ୍ତ , ମୁଁ ବି ନିରୁପାୟ।
କଣ ମନକୁ ଆସିଲା କେଜାଣି ମହାପୁରୁଙ୍କୁ ବଡ଼ ବିକଳ ହୋଇକି ଡାକିଲି ।'ମୁଁ କଣ ଅଲଗା ସମ୍ପ୍ରଦାୟର ବୋଲି ମୋ କଥା ଶୁଣିବେନି? ଆପଣଙ୍କ ଦରବାରକୁ ଯାଉଛୁ ; ଭଲରେ ପହଞ୍ଚେଇ ଦିଅନ୍ତୁ ଆପଣ।ମୋ ସମ୍ପ୍ରଦାୟର ସାଲବେଗ କଥା ଶୁଣିଥିଲେ ପରା ! ମୋ ମାନ ରଖନ୍ତୁ ,ପୁରୀରେ ପହଞ୍ଚିଲେ ଆପଣଙ୍କୁ ଭୋଗ ଲଗେଇବି।'
ବାବୁ !ବିଶ୍ୱାସ କରିବେନି ମନରେ ଏତିକି ଭାବନା ଆସିଛି ତତକ୍ଷଣାତ୍ ଗାଡିର ସେ ଶବ୍ଦ ବନ୍ଦହେଇଗଲା ଆଉ ଗାଡିର ବେଗ ବଢ଼ିଲା ।ମତେ ଲାଗିଲା ମହାପୁରୁ ମୋ କଥା ନିଶ୍ଚେ ଶୁଣିଛନ୍ତି ; ନ ହେଲେ ଏ ଚମତ୍କାର କେମିତି ? ଗାଡି ଜଗନ୍ନାଥ ବଲ୍ଲଭ ପାର୍କିଂରେ ରଖି ଯାତ୍ରୀଙ୍କ ସହିତ ମନ୍ଦିରକୁ ବାହାରିଲି । ସେମାନେ ବି ଆଶ୍ଚର୍ଯ୍ୟ ।ମୁଁ କହିଲି ତା ପରେ ?
ସିଂହଦ୍ଵାର ଆଗରେ ଠିଆ ହୋଇ ଜଣେ ନନାଙ୍କୁ ଡାକି ପଚାଶେ ଟଙ୍କା ଦେଇ କହିଲି ଭୋଗ ଲଗେଇଦେବେ। ସେ ମୋ ରୂପଭେକ ଦେଖିକି ନାଁଗୋତ୍ର ପଚାରିଲାରୁ କହିଲି ମହାପୁରୁଙ୍କୁ ଜଣା । ଆଉ ସେ ବି ଭୋଗ ଲଗେଇ ମତେ ତୁଳସୀ, ଖଜା ଦେଲେ । କି ଆନନ୍ଦ ବାବୁ !!! ସେବେଠୁ ଆଜି ଯାଏଁ ଗାଡ଼ିରେ ଖୁଡଖାଡ଼ ନାହିଁ କି ଗ୍ୟାରେଜ ଦୁଆର ମାଡିନି।କହିଲେ, ୟା'ଠୁ ବଳି ଜୀବନ୍ତ କଥାକୁହା ପ୍ରମାଣ କଣ ଥାଇପାରେ ? ସେତିକି ନୁହଁ ବାବୁ ଆମ ହାଉସିଂବୋର୍ଡ଼ରେ ପ୍ରଚାର ଯେ ମୋ ସହିତ ପୁରୀ ଗଲେ ମହାପୁରୁଙ୍କ ଦର୍ଶନ ସୁରୁଖୁରୁରେ ହେଇଯାଉଛି ;ସେ ଲାଗି ମୋ ଗାଡିର ବହୁତ ଡିମାଣ୍ଡ। ମାସକୁ ଦଶଥର ପୁରୀମୁହାଁ । ସତରେ କେତେ ଦୟା ଏ ମୁସଲମାନ ପ୍ରତି !! ଜଗତରନାଥ ପରା।
ଏତିକି କହିଲା ବେଳକୁ ତାଙ୍କ ଆଖି ଲୁହ ଛଳଛଳ ; ମୋର ବି ସମାନ ଅବସ୍ଥା । ଗାଡି ଆଇଗିଣିଆ ଲକ୍ଷ୍ମୀନାରାୟଣ ମନ୍ଦିର ପହଁଚିଲା ବେଳକୁ ମୁଁ କହିଲି ଆଜ୍ଞା ଏଇଠି।ଗାଡିରୁ ଓହ୍ଲେଇକି ସେ ମତେ କହିଲେ - ମୋ କଥା ଟିକେ ମହାପୁରୁଙ୍କୁ ଜଣାଇବେ ଯେମିତି ସେ ମତେ ପୁରୀକୁ ଡାକିନେଉଥିବେ ; ବଡ଼ଦାଣ୍ଡରେ ତ ପାଦ ପଡ଼ିଯିବ ,ନୀଳଚକ୍ର ଦିଶିଯିବ ଆଉ କଣ ଲୋଡ଼ା ଯେ ? ମୁଁ କହିଲି ଆଜ୍ଞା ! ମୁଁ ଆପଣଙ୍କ କଥା କଣ ଜଣେଇବି ? ଆପଣ ମୋ କଥା ତାଙ୍କୁ ଜଣେଇଦେବେ । ମନେମନେ ଭାବିଲି ଆଜି ରଥରେ ବାଣୀସେବାର ମୂଲ୍ୟ ମତେ ଦେଇଦେଲ ହେ ମହାପ୍ରଭୁ !। ଗଲାବେଳକୁ ତାଙ୍କ ପରିଚୟ ପଚାରିବାରୁ ସେ ଟିକେ ହସିକି କହିଲେ ଖାଁ ବାବୁ ...
ସାଲବେଗ ପରି ମହାପ୍ରଭୁଙ୍କର ଅନ୍ୟ ଜଣେ ଭକ୍ତ ଖାଁ ବାବୁ; ଅନୁଭୂତି ବଖାଣୁ ବଖାଣୁ ଲୁହରେ ଭିଜିଲେ
'ମୁଁ କଣ ଅଲଗା ସମ୍ପ୍ରଦାୟର ବୋଲି ମୋ କଥା ଶୁଣିବେନି? ଆପଣଙ୍କ ଦରବାରକୁ ଯାଉଛୁ ; ଭଲରେ ପହଞ୍ଚେଇ ଦିଅନ୍ତୁ ଆପଣ।ମୋ ସମ୍ପ୍ରଦାୟର ସାଲବେଗ କଥା ଶୁଣିଥିଲେ ପରା ! ଏମିତି କହି ପୁରୀରେ ପହଞ୍ଚିଲେ ଖାଁ ବାବୁ।
/sambad/media/media_files/2025/07/03/4d3e9190-8e3d-470c-a4a8-cca913935f60-2025-07-03-19-41-04.jpg)