ଭୁବନେଶ୍ବର: ସୋମବାର ଅପରାହ୍ଣରେ ମଞ୍ଚେଶ୍ବର ଶିଳ୍ପାଞ୍ଚଳସ୍ଥିତ ନିର୍ମାଣାଧୀନ ଏକ ୭ମହଲା କୋଠା ପରିସରରୁ ପୁଲିସ କିଟ୍‌ରେ ପଢ଼ୁଥିବା ଇଂଜିନିୟରିଂ ଛାତ୍ର ଅର୍ଣ୍ଣବ ମୁଖାର୍ଜୀ(୨୧)ଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରିଥିଲା। କିନ୍ତୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ପଶ୍ଚିମବଙ୍ଗ ବାଙ୍କୁରା ଅଞ୍ଚଳର ଅର୍ଣ୍ଣବ କିଟ୍‌ରେ ତୃତୀୟ ବାର୍ଷିକ ଇଂଜିନିୟରିଂ ଛାତ୍ର ଥିଲେ। କିଟ୍‌ ଛାତ୍ରାବାସରେ ରହୁଥିଲେ ହେଁ ସେ କେମିତି ଓ କେଉଁ ପରିସ୍ଥିତିରେ ମଞ୍ଚେଶ୍ବର ଶିଳ୍ପାଞ୍ଚଳସ୍ଥିତ ଉକ୍ତ ନିର୍ମାଣାଧୀନ କୋଠାକୁ ଆସିଥିଲେ, ତାହା ରହସ୍ୟ ହୋଇ ରହିଛି। କୋଠାରୁ ସେ ଡେଇଁ ପଡ଼ି ଆତ୍ମହତ୍ୟା କରିଛନ୍ତି ନା କେହି ତାଙ୍କୁ ସେଠାକୁ ନେଇ ଠେଲି ଦେଇଛି, ତାହା ଅସ୍ପଷ୍ଟ ହୋଇରହିଛି। ଅର୍ଣ୍ଣବଙ୍କ ମୋବାଇଲ୍‌ ମିଳୁନଥିବାରୁ ପୁଲିସ ପାଇଁ ଅଡ଼ୁଆ ହୋଇଛି। ତଦନ୍ତ କରିବାକୁ ଯାଇ ମଞ୍ଚେଶ୍ବର ଥାନା ପୁଲିସ କିଟ୍‌ କର୍ତ୍ତୃପକ୍ଷ ଓ ସହପାଠୀମାନଙ୍କୁ ପଚରାଉଚରା କରୁଛି। ସେହିଭଳି ଅର୍ଣ୍ଣବ ରହୁଥିବା ଛାତ୍ରାବାସର ରୁମ୍‌କୁ ଯାଇ ପୁଲିସ ଛାନ୍‌ଭିନ୍‌ କରିଛି।   

Advertisment

ନିର୍ମାଣାଧୀନ ୭ମହଲା କୋଠା ପରିସରରୁ ମିଳିଥିଲା ରକ୍ତାକ୍ତ ଶରୀର
ସହପାଠୀ ଓ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପଚରା‌ଉଚରା, ମୋବାଇଲ୍‌ ଖୋଜୁଛି ପୁଲିସ

ସୋମବାର ଅପରାହ୍ଣ ପାଖାପାଖି ୪ଟା। ରସୁଲଗଡ଼ ନିକଟ ଭେଙ୍କେଟେଶ୍ବର ଇଂରାଜୀ ମାଧ୍ୟମିକ ସ୍କୁଲ୍‌ ପଛପଟେ ନିର୍ମାଣାଧୀନ ୭ ମହଲା କୋଠା ପରିସରରେ ଏକ ଜୋର୍‌ ଶବ୍ଦ ଶୁଣି ସିକ୍ୟୁରିଟି ଗାର୍ଡ ଘଟଣା କ’ଣ ଜାଣିବାକୁ ଧାଇଁ ଯାଇଥିଲେ। ସୁରକ୍ଷାକର୍ମୀଙ୍କ କହିବା କଥା ସେ ଘଟଣାସ୍ଥଳରେ ପହଞ୍ଚି ଦେଖିଲେ ଯେ ଜଣେ ଯୁବକ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଛନ୍ତି। ତାଙ୍କ ମୁଣ୍ଡ ଫାଟିଯାଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଥିଲା। ତାଙ୍କ ଫୋନ୍‌ ପାଇ ମଞ୍ଚେଶ୍ବର ଥାନା ପୁଲିସ ପହଞ୍ଚିଥିଲା ଏବଂ ସଂଜ୍ଞାହୀନ ଅବସ୍ଥାରେ ଯୁବକଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ନେଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯୁବକଙ୍କ ପକେଟ୍‌ରୁ ମିଳିଥିବା ଚିଟ୍‌ ଓ ଯୁବକଙ୍କ ଫଟୋକୁ ନେଇ ପୁଲିସ କିଟ୍‌ ବିଶ୍ବବିଦ୍ୟାଳୟକୁ ଯାଇ ପଚରାଉଚରା କରିଥିଲା। କିନ୍ତୁ ସେଠାରୁ କିଛି ସ୍ପଷ୍ଟ ସୂଚନା ପାଇନଥିଲା। ଆଜି ସକାଳେ ପୁଲିସକୁ ଫୋନ୍‌ ଆସିଥିଲା ଯେ ମୃତ ଯୁବକ ଜଣଙ୍କ କିଟ୍‌ ବିଶ୍ବବିଦ୍ୟାଳୟର। ପୁଲିସ ଟିମ୍‌ ତୁରନ୍ତ ବିଶ୍ବବିଦ୍ୟାୟରେ ପହଞ୍ଚି ପୁଣି କର୍ତ୍ତୃପକ୍ଷଙ୍କୁ ଭେଟି ପଚରାଉଚରା କରିଥିଲା। ସେହିପରି ଅର୍ଣ୍ଣବଙ୍କ ସହପାଠୀମାନଙ୍କୁ ମଧ୍ୟ ପଚରାଉଚରା କରିଥିଲା।

ପୁଲିସ ସେମାନଙ୍କଠାରୁ ଜାଣିବାକୁ ପାଇଥିଲା ଯେ ଅର୍ଣ୍ଣବ ପ୍ରାୟତଃ ଏସ୍‌ପ୍ଲାନେଡ୍‌ ବୁଲିବାକୁ ଆସନ୍ତି। ସେଠାରୁ ବୁଲାବୁଲି ସାରି ବିଶ୍ବବିଦ୍ୟାଳୟର ଲାଇବ୍ରେରିରେ ପଢ଼ାପଢ଼ି କରନ୍ତି ଓ ବିଳମ୍ବିତ ରାତିରେ ହଷ୍ଟେଲ୍‌ ଫେରନ୍ତି। ସୋମବାର ଦିନ ପାଖାପାଖି ୧୧ଟା ସମୟରେ ସେ ବିଶ୍ବବିଦ୍ୟାଳୟରୁ ବାହାରକୁ ଆସିଥିଲେ ଏବଂ ଆଉ ଫେରି ନଥିଲେ।  ଘଟଣାସ୍ଥଳରୁ ଅର୍ଣ୍ଣବଙ୍କ ମୋବାଇଲ୍‌ ମିଳି ନଥିବାରୁ ପୁଲିସ ହଷ୍ଟେଲ୍‌ ରୁମ୍‌କୁ ଯାଇ ଖୋଜାଖୋଜି କରିଥିଲା। କିନ୍ତୁ ସେଠାରୁ ମଧ୍ୟ ମୋବାଇଲ୍‌ ମିଳି ନଥିଲା। ମୋବାଇଲ୍‌ଟି ଗତକାଲିଠାରୁ ସୁଇଚ୍ ଅଫ୍ ରହିଛି। ସେହିଭଳି ତାଙ୍କ ରୁମ୍‌ରୁ ପୁଲିସ କୌଣସି ସନ୍ଦେହଜନକ ଜିନିଷ ପାଇ ନଥିଲା। ତେଣୁ ଅର୍ଣ୍ଣବଙ୍କ ମୃତ୍ୟୁକୁ ନେଇ ପୁଲିସ ଥଳକୂଳ ପାଇନାହିଁ। ପରିବାର ଲୋକେ ଆସିବା ପରେ ହୁଏତ କିଛି ଖିଅ ମିଳିବ ବୋଲି ପୁଲିସ ଆଶାବାଦୀ ଥିବା ସୂଚନା ଦେଇଛି।