ବାଲେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ପକ୍ଷରୁ ଗତମାସ (ଅଗଷ୍ଟ) ଜଳସେଚନ ବିଭାଗ ମୁଖ୍ୟଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କୁ ଗିରଫ କରିବାପରେ ଆଜି ବାଲେଶ୍ୱର ଗ୍ରାମ୍ୟ ନିର୍ମାଣ ମଣ୍ଡଳ କାର୍ଯ୍ୟାଳୟର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଏନ୍ଭି ହରିହର ରାଓଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ସମେତ ବ୍ରହ୍ମପୁର, ଭୁବନେଶ୍ୱର, ଫୁଲବାଣୀ ସହର ସମେତ କେନ୍ଦୁଝର ଜିଲ୍ଲାର ୧୦ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ଶୁକ୍ରବାର ଭୋର୍ ସମୟରେ ବାଲେଶ୍ୱର ସହର ଉପକଣ୍ଠ କୁକୁଡ଼ାପଦା ସ୍ଥିତ ଗ୍ରାମ୍ୟ ନିର୍ମାଣ ମଣ୍ଡଳ କାର୍ଯ୍ୟାଳୟ ଏବଂ ମଣ୍ଡଳ ମୁଖ୍ୟଯନ୍ତ୍ରୀ ଶ୍ରୀ ରାଓଙ୍କ ସରକାରୀ ବାସଭବନରେ ଭିଜିଲାନ୍ସର ୧୪ଜଣିଆ ଟିମ୍ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଥିଲେ। ଏଥିରେ ଭିଜିଲାନ୍ସ ହାତରେ ଶ୍ରୀ ରାଓଙ୍କ ନାମରେ ଥିବା ବହୁ କାଗଜପତ୍ର, ବ୍ୟାଙ୍କ୍ ଏଟିଏମ୍, ପାସବହି, ବୀମା ଓ ଜମି କାଗଜପତ୍ର ଆଦି ଲାଗିଛି।
ସଂପୂର୍ଣ୍ଣ ଆୟ ବହିର୍ଭୂତ ସଂପତ୍ତି ଆକଳନ କରାଯାଇନଥିଲେ ମଧ୍ୟ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ଭବାନିପୁରରେ ଥିବା ୨୧ଶହ ବର୍ଗଫୁଟର ଦୁଇମହଲା ଘର, ଭୁବନେଶ୍ୱର ପାତ୍ରପଡ଼ାରେ ୩ ହଜାର ବର୍ଗଫୁଟର ଏକମହଲା ଘର, ବ୍ରହ୍ମପୁର ସହର କମାପଲ୍ଲୀସ୍ଥିତ ସ୍ପେକ୍ଟ୍ରମ ଗ୍ରିନ୍ ଆପାର୍ଟମେଣ୍ଟରେ ଥିବା ୧୨ଶହ ବର୍ଗଫୁଟର ଫ୍ଲାଟ୍, ୨ଟି ବେନାମୀ ଫ୍ଲାଟ୍, ୫ଟି ମୂଲ୍ୟବାନ ପ୍ଲଟ, ବ୍ୟାଙ୍କ୍ ଓ ବୀମାରେ ୨କୋଟି ୧୦ ଲକ୍ଷ ଜମା, ସେୟାର ବଜାର ଓ ମ୍ୟୁଚୁଆଲ୍ ଫଣ୍ଡରେ ୧କୋଟି ୩୨ ଲକ୍ଷ ଟଙ୍କା ପୁଞ୍ଜିନିବେଶ, ୫୧୦ ଗ୍ରାମ ସୁନା, ୩୦୦ ଗ୍ରାମ ରୁପା ଠାବ କରାଯାଇଛି। ସେହିପରି ଇଂ. ରାଓଙ୍କ ସଂପର୍କୀୟ ଅର୍ଥାତ୍ ବ୍ରହ୍ମପୁର ଜେଲ୍ରେ କାର୍ଯ୍ୟରତ ସରକାରୀ ଡାକ୍ତରଙ୍କ ଘରୁ ନଗଦ ୪୬ଲକ୍ଷ ୪୫ହଜାର ଟଙ୍କା ମିଳିବା ନେଇ ପଚରାଉଚରା ଜାରି ରହିଛି। ତଦନ୍ତ ଜାରି ରହିଥିବାରୁ ସଂପୂର୍ଣ୍ଣ ସମ୍ପତ୍ତିର ଆକଳନ କରାଯାଇ ପାରିନାହିଁ। ଲକର ଥିବା ନେଇ ତନାଘନା ଚାଲିଥିବା ଜଣାଯାଇଛି। ଏଥିସହ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଶ୍ରୀ ରାଓଙ୍କ ପତ୍ନୀ ନାମରେ ଲକର ଥିବା ଜଣାପଡ଼ିଛି।
ଏହି ଚଢ଼ାଉରେ ୧୧ ଜଣ ଡିଏସ୍ପି, ୭ ଜଣ ଇନ୍ସପେକ୍ଟର, ୧୧ ଜଣ ଏଏସ୍ଆଇ ସାମିଲ ଥିଲେ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଭିଜିଲାନ୍ସ ପକ୍ଷରୁ ଶ୍ରୀ ରାଓଙ୍କ ନାମରେ ବିପୁଳ ଜମାରାଶି, ନଗଦ ଟଙ୍କା ନେଇ ଭିଜିଲାନ୍ସ ଟିମ୍ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ତେବେ ଚଢ଼ାଉ ସରିନଥିବାରୁ ସମ୍ପୂର୍ଣ୍ଣ ସମ୍ପତ୍ତିର ସଠିକ୍ ସୂଚନା ହସ୍ତଗତ ହୋଇପାରିନାହିଁ।
ଗ୍ରାମ୍ୟ ନିର୍ମାଣ ବିଭାଗ, ବାଲେଶ୍ୱର ମଣ୍ଡଳ ଅଧୀନରେ ବାଲେଶ୍ୱର ଜିଲ୍ଲା ସମେତ ଭଦ୍ରକ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ରହିଥିଲା। ଏହି ୪ ଜିଲ୍ଲାରେ ବଡ଼ବଡ଼ ନିର୍ମାଣ କାର୍ଯ୍ୟ ନିମନ୍ତେ ହେଉଥିବା ଟେଣ୍ଡରରେ ମଣ୍ଡଳ ମୁଖ୍ୟଯନ୍ତ୍ରୀ ପ୍ରତ୍ୟକ୍ଷ ଭାବେ ବ୍ୟାପକ ଅନିୟମିତତାରେ ସାମିଲ ଥିଲେ, ଯାହାକୁ ନେଇ ୨୦୨୧ରେ ତାଙ୍କ ବିରୋଧରେ ଭିଜିଲାନ୍ସ ବିଭାଗକୁ ଅଭିଯୋଗ ସହ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ କରାଯାଇଥିଲା। ତେବେ ବାରିପଦାରେ କିଛି ଠିକାଦାରଙ୍କୁ ସୁହାଇବା ଭଳି ଟେଣ୍ଡର ବଦଳାଇବା ନେଇ ୨୪.୦୨.୨୦୨୧ରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ହେଲେ ସରକାର ଓ ଭିଜିଲାନ୍ସ ନିରବ ରହିଥିଲେ। ଅଭିଯୋଗର ବହୁବର୍ଷ ପରେ ଏହି କୁବେର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଚଢ଼ାଉ ହେବାପରେ ବିଭିନ୍ନ ମହଲରେ ଆଲୋଚନା ଜୋର୍ ଧରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/quTTnjehNE2ix1ElgmcM.jpg)