ରାଉରକେଲା: ମାଲିକାନାସତ୍ବ ପାଇ ନଥିବା ସିଭିଲଟାଉସିପ୍ର ମୂଲ୍ୟବାନ ବିବାଦୀୟ ପ୍ଲଟରେ ହୋଟେଲ ନିର୍ମାଣ ପାଇଁ ସରକାରୀ ବାବୁମାନଙ୍କ ଦ୍ବାରା ଦିଆଯାଉଥିବା ପ୍ଲାନିଂ ଅନୁମତି ଚକ୍ରାନ୍ତ ପଦାରେ ପଡ଼ିଛି। ରାଉରକେଲା ମହାନଗର ନିଗମ (ଆର୍ଏମ୍ସି) କମିଶନର ତଥା ଅତିରିକ୍ତ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ହସ୍ତକ୍ଷେପ ପରେ ଏହି ବିଭାଗୀୟ ଅଧିକାରୀମାନଙ୍କର କଳା କାରନାମା ଧରାପଡିଛି। ଫଳରେ ପ୍ଲାନିଂ ଅନୁମତିକୁ ବାତିଲ କରା ଯାଇଛି। ଆଇନ କାନୁନକୁ ଭୃକ୍ଷେପ ନକରି, ମାମଲାକୁ ନେଇ ସହରରେ ସାଧାରଣରେ ଓ ଗଣମାଧ୍ୟମ ଚର୍ଚ୍ଚା ଚାଲିଥିବାବେଳେ ବାବୁମାନଙ୍କର ଏ ଧରଣର ଦୁଃସାହସ ସମସ୍ତଙ୍କୁ ଚକିତ କରିଛି।
ସୂଚନାଯୋଗ୍ୟ ଯେ ରାଉରକେଲାର ସବୁଠାରୁ ସଂଭ୍ରାନ୍ତ ଇଲାକା ସିଭିଲଟାଉନସିପ୍ ଟାଉନ୍ ୟୁନିଟ୍ ୪୧/୪୨ରେ ଥିବା ପ୍ରାୟ ୧.୨୫ ସରକାରୀ ଏକର ଜମିକୁ ଏଲ୍ଏସି (ଲ୍ୟାଣ୍ଡ ଆଲଟମେଣ୍ଟ କମିଟି) ଗତ ୨୦୧୪ ସେପ୍ଟେମ୍ବର ୨୦ରେ ଇଡ଼୍କୋ ଦେବାକୁ ଅନୁମତି ପ୍ରଦାନ କରିଥିଲେ। ସେହି ଜମିରେ ‘କମ୍ପ୍ରେହେନ୍ସିଭ୍ ଡେଭଲପମେଣ୍ଟ ପ୍ଲାନ’ (ସିଡିପି) ଅନୁଯାୟୀ ଇଡ୍କୋ ଟାୱାର ନିର୍ମାଣ କରିବାର ସର୍ତ୍ତ ରଖାଯାଇଥିଲା। ସେହି ଟାୱାରରେ ସରକାରୀ ଓ ବେସରକାରୀ ଅଫିସ୍ ରହିବ। ୧.୨୫ ଏକର ଜମିରୁ ୨୦% କାର୍ପେଟ ଏରିଆକୁ ବିନାମୂଲ୍ୟରେ ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍) ରାଉରକେଲାଙ୍କୁ ଦେବାକୁ ମଧ୍ୟ ସର୍ତ୍ତ ରହିଥିଲା। ଲିଜ୍ କେସ୍ ନଂ ୧୧/୨୦୧୪ରେ ରାଉରକେଲା ତହସିଲଦାର ଲିଜ୍କୁ ମଞ୍ଜୁର କରିଥିଲେ।
ମାତ୍ର ଇଡ଼୍କୋ ଉକ୍ତ ଲିଜ୍ ଜମିକୁ ଉପଯୋଗ କରି ନଥିଲା। ଗତ ୨୦୨୧ ଜାନୁଆରି ୧୯ରେ ସୁନ୍ଦରଗଡ଼ ଜିଲ୍ଲାପାଳ ତାଙ୍କ ଚିଠି ସଂଖ୍ୟା ୫୩୪ଏକ୍ସଭିଆଇ-୨୫/୨୧ ଜରିଆରେ ରାଉରକେଲା ତହସିଲଦାରଙ୍କୁ ଉକ୍ତ ଲିଜ୍ ଜମିକୁ ଆଗୁଆ ଦଖଲ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଚିଠି ନଂ ୯୨୬୬ ତା୨.୬.୨୦୨୧ରେ ବାକି ୬୦ ଡେସିମିଲ୍କୁ ହୋଟେଲ ନିର୍ମାଣ ନାଁରେ ରିଲାଏବୁଲ ସ୍ପଞ୍ଜ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାର ମାଲିକଙ୍କୁ ଟେକି ଦିଆ ଯାଇଥିଲା। ତାହା ପୁଣି ଡେସିମିଲ୍କୁ ମାତ୍ର ୮୫ ହଜାର ଟଙ୍କାରେ! ଯଦିଓ ଏହି ଅଞ୍ଚଳରେ ସରକାରୀ ମୂଲ୍ୟ ଡେସିମିଲ ପ୍ରତି ରହିଛି ୧୩ ଲକ୍ଷ ଟଙ୍କା । ଅର୍ଥାତ୍ ସରକାରୀ ଭାବେ ଏହି ଜମିର ମୂଲ୍ୟ ୭ କୋଟି ୮୦ ଲକ୍ଷ ଟଙ୍କା। ଏହି ଜାଗାରେ ଉକ୍ତ ସ୍ପଞ୍ଜ ଆଇରନ ସଂସ୍ଥାର ମାଲିକ ‘ଗ୍ରାଣ୍ଡ ଓଡ଼ିଶା’ ନାଁରେ ଏକ ହୋଟେଲ ନିର୍ମାଣ କରିବାକୁ ଯୋଜନା କରିଥିଲେ।
ଏହାକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ହାଇକୋର୍ଟ ଏହି ବିବାଦୀୟ ଜମି କେଳେଙ୍କାରୀ ସମ୍ପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ମାମଲାର ତଦନ୍ତ କରି ବିସ୍ତୃତ ରିପୋର୍ଟ ଦେବାକୁ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୦୨୨ ଫେବ୍ରୁଆରି ୧୦ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ହୋଇଛି। ଲ୍ୟାଣ୍ଡ ଆଲଣ୍ଟମେଣ୍ଟ କମିଟିର ମୁଖ୍ୟ ଭାବେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନାଁରେ ଅଭିଯୋଗ ଥିବାରୁ କୋର୍ଟ ରାଜସ୍ବ ବିଭାଗକୁ ତଦନ୍ତଭାର ଦେଇଛନ୍ତି। ତଦନ୍ତ ରିପୋର୍ଟ ଦାଖଲ ନ ହେବା ପର୍ଯ୍ୟନ୍ତ ବିବାଦୀୟ ଜମିରେ କୌଣସି ନିର୍ମାଣ କରାଯାଇ ପାରିବ ନାହିଁ ବୋଲି କୋର୍ଟ କହିଥିଲେ।
କିନ୍ତୁ ଉକ୍ତ ବ୍ୟବସାୟୀ ଜଣକ ପ୍ଲାନିଂ ଓ ଏନ୍ଓସି ପାଇଁ ନିର୍ଦ୍ଧାରିତ ଟଙ୍କା ଜମା କରିବାମାତ୍ରେ ବିଭାଗୀୟ ଅଧିକାରୀମାନେ ଜମି ହସ୍ତାନ୍ତର କରିବାଲାଗି ତୁରନ୍ତ ପ୍ରକ୍ରିୟା ଆରମ୍ଭ କରି ଦେଇଥିଲେ। ତେବେ ରାଉରକେଲା ମହାନଗର ନିଗମ (ଆର୍ଏମ୍ସି) କମିଶନର ତଥା ଅତିରିକ୍ତ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ତନାଘନା କରି ସୋମବାର ପ୍ଲାନିଂକୁ ବାତିଲ କରାଯିବାପରେ ଆର୍ଏମ୍ସିର ଯୋଜନା ସଦସ୍ୟ ରାମ ମୋହନ ମିଶ୍ର କହିଛନ୍ତି, ଏ ସଂକ୍ରାନ୍ତରେ ବିଭାଗକୁ ଜଣା ନଥିଲା। ଜଣାପଡ଼ିଲା ପରେ ପ୍ଲାନିଂକୁ ବାତିଲ କରି ଦିଆଯାଇଛି। କିନ୍ତୁ ଗଣମାଧ୍ୟମରେ ଚର୍ଚ୍ଚାର ଶୀର୍ଷରେ ରହିଥିବା ଓ କୋର୍ଟରେ ମାମଲା ଥିବା ସତ୍ବେ ପ୍ଲାନିଂ ଓ ଆର୍ଏମ୍ସି ଏନ୍ଓସି ବିଭାଗ ଏ ସଂକ୍ରାନ୍ତରେ ଜାଣିପାରି ନଥିଲେ ବୋଲି ସଫେଇ ଦିଆଯିବା ଧର୍ମକୁ ଆଖିଠାର ମାରିବା ଭଳି ବୋଲି ଆଲୋଚନା ହେଉଛି।
ଉଲ୍ଲେଖନୀୟ ଯେ, ଜମି ବାବଦରେ କେବଳ ଏହି ଗୋଟିଏ ଘଟଣା ନୁହେଁ, ପୂର୍ବରୁ ରାଉରକେଲା ପ୍ଲାନିଂ ଓ ଏନ୍ଓସି ବିଭାଗ ବିରୋଧରେ ଏଭଳି ମାଳ ମାଳ ସମାନ ଅଭିଯୋଗ ଆସିଛି। କିନ୍ତୁ କୌଣସି ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଫଳରେ ସରକାରୀ ଜମିକୁ ନେଇ ସେମାନଙ୍କର ମନମାନୀ ବଢ଼ି ଚାଲିଛି।