ଘୁ.ଉଦୟଗିରି/ଭଞ୍ଜନଗର: ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ଭୂସ୍ଖଳନସ୍ଥଳରେ ପୁଣି ବଡ଼ ପଥର ଖସିବା ଚିନ୍ତା ବଢ଼ାଇଛି। ପୁନରୁଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଆଜି ବାଦଲଫଟା ବର୍ଷା ସାଙ୍ଗକୁ ବର୍ଷାପାଣି ମାଡ଼ିଆସିବା ଯୋଗୁ ପଥର ଖସିଛି। ସେପଟେ ପାହାଡ଼ ଶିଖରରୁ ପାଣିର ପ୍ରବଳ ସୁଅ ଆସୁଛି। ବର୍ଷା ସାଙ୍ଗକୁ ପଥର ଖସୁଥିବା କାରଣରୁ ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି କାମ ବନ୍ଦ କରି ଦିଆଯାଇଥିବା ବେ‌ଳେ କାର୍ଯ୍ୟରତ ଶ୍ରମିକମାନେ ମଧ୍ୟ ଭୟଭୀତ ଅବସ୍ଥାରେ ରହିଛନ୍ତି। ପ୍ରାଥମିକ ସ୍ତରରେ ଅସ୍ଥାୟୀ ରାସ୍ତା ବାହାର କରି ୭ ଦିନ ଭିତରେ ହାଲୁକା ଯାନ ଯାତାୟାତ ପାଇଁ ଜାତୀୟ ରାଜପଥ ବିଭାଗ ପକ୍ଷରୁ କାର୍ଯ୍ୟ ଜାରି ରହିଥିଲା। କିନ୍ତୁ ବର୍ଷା ଏଥିରେ ବାଧକ ସାଜିଛି। 
ଆଜି ସକାଳେ ଉକ୍ତ ଅଞ୍ଚଳରେ ପାଗ ଶୁଖିଲା ରହିଥିବା ବେଳେ ହଠାତ୍ ଅପରାହ୍‌ଣ ୧୨ଟା ପରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା। ଫଳରେ ଭୂସ୍ଖଳନ ସ୍ଥାନରେ ପ୍ରବଳ ପାଣି ଆସିବା ସାଙ୍ଗକୁ ବଡ଼ ପଥର ଖସିଥିଲା। ସୌଭାଗ୍ୟବଶତଃ ଶ୍ରମିକମାନେ ଉପସ୍ଥିତ ବୁଦ୍ଧି ଖଟାଇ ଘଟଣାସ୍ଥଳରୁ ଦୌଡ଼ି ନିଜ ଜୀବନ ରକ୍ଷା କରିଥିଲେ।

Advertisment

ଅତି ନିକଟରେ ବଡ଼ ପଥର ଦେଖି ଭୟଭୀତ ହୋଇଯାଇଥିଲେ। ଘାଟି ଏବେ ସଂପୂର୍ଣ୍ଣ ବିପଦସଙ୍କୁଳ ଅବସ୍ଥାରେ ରହିଛି। ତିନିଟି ଜାଗାରେ ୩ଟି ବଡ଼ ପଥର ଲଟକି ରହିଥିବା ବେଳେ ବର୍ଷା ଜାରି ରହିଥିବାରୁ ତାହା ଖସିବାର ଆଶଙ୍କା ରହିଛି। ମାଟି ପକାଇ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ବର୍ଷା ଯୋଗୁଁ ମାଟିର ବି କିଛି ଅଂଶ ଧୋଇ ହୋଇଯାଇଛି।କଳିଙ୍ଗା ଘାଟିରେ ବାହାର ରାଜ୍ୟର ଏକ ଠିକା କମ୍ପାନି ଦ୍ବାରା ରାସ୍ତା ପୁନରୁଦ୍ଧାର ସହ ଅସ୍ଥାୟୀ ରାସ୍ତା ତିଆରି କାମ ଚାଲିଥିବା ବେଳେ ପ୍ରତିଦିନ ଅପରାହ୍‌ଣରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି। ଫଳରେ ଶ୍ରମିକମାନଙ୍କୁ କାମ କରିବାରେ ଅସୁବିଧା ହେଉଛି ବୋଲି ମୁଖ୍ୟ ନିର୍ମାଣ ଯନ୍ତ୍ରୀ ବିକ୍ରମ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି।  ଜାତୀୟ ରାଜପଥ ମୁଖ୍ୟ ଅଧୀକ୍ଷଣ ଯନ୍ତ୍ରୀ ଶାନ୍ତନୁ କୁମାର ସାହୁ କହିଛନ୍ତି, ବର୍ଷା କାରଣରୁ ପ୍ରତିଦିନ ଗୋଟିଏ ଓଳି ପୁନରୁଦ୍ଧାର କାମ ହୋଇପାରୁଛି। ଖାଲ ହୋଇଥିବା ସ୍ଥାନରେ ପଥର, ବାଲି, ମାଟି ଓ ଚିପ୍ସ୍‌ ଯାହା ପକାଯାଉଛି, ବର୍ଷା ହେଲେ ପାହାଡ଼ରୁ ଆସୁଥିବା ପାଣିର ପ୍ରଖର ସ୍ରୋତରେ ଭାସିଯାଉଛି। ଭଞ୍ଜନଗର ତହସିଲଦାର ଅଭିପ୍ସା ପଟ୍ଟନାୟକ ଓ ଅତିରିକ୍ତ ତହସିଲଦାର ଅବିନାଶ ମାହାର ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ବର୍ଷା ବଢ଼ିଲେ ଏହି ସ୍ଥାନରେ ବାରମ୍ବାର ଅଘଟଣ ଘଟୁଛି। ଫଳରେ ରାଞ୍ଚି–ବିଜୟୱାଡା କରିଡ଼ର ରାସ୍ତାରେ ଗାଡ଼ି ଚଳାଚଳ ବିଳମ୍ବ ହେବା ଆଶଙ୍କା ଦେଖାଦେଇଛି। ପୂର୍ବରୁ ପଡ଼ିଥିବା ପଥରଗୁଡ଼ିକୁ ହଟାଇ ଓ କିଛି ପଥରକୁ ଫଟାଇବା ପରେ ମାଟି ପକାଇ ଅସ୍ଥାୟୀ ରାସ୍ତା ନିର୍ମାଣ କାର୍ଯ୍ୟ ହେଉଥିବା ବେଳେ ବର୍ଷା ଏଥିରେ ପ୍ରତିବନ୍ଧକ ସାଜିଛି। ଗତ ୧୬ ତାରିଖ ଅପରାହ୍ଣରେ କଳିଙ୍ଗା ଘାଟିରେ ବଡ଼ଧରଣର ଭୂସ୍ଖଳନ ଘଟି ବଡ଼ ପଥର ଅତଡ଼ା ଖସିଥିଲା। ଫଳରେ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରୁ ପଶ୍ଚିମ ଓଡ଼ିଶାକୁ ଯୋଗାଯୋଗ ସଂପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଯାଇଛି।