ଭୁବନେଶ୍ବର/ସମ୍ବଲପୁର: ଏବେ ମୁଣ୍ଡଳିରେ ୧ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି। ଆସନ୍ତା ୨୭ ତାରିଖ ସକାଳୁ ମୁଣ୍ଡଳିରେ ୭ଲକ୍ଷ କ୍ୟୁସେକ୍‌ ବନ୍ୟାଜଳ ପ୍ରବାହିତ ହେବ। ପ୍ରଭାବରେ ମହାନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଫଳରେ ଶାଖା ନଦୀ କୁଆଖାଇ, ବିରୂପା, କାଠଯୋଡ଼ି, ଦେବୀ, ପାଇକା, ଚିତ୍ରୋତ୍ପଳା ନଦୀରେ ଜଳସ୍ତର ବୃଦ୍ଧି ପାଇବ। ତାହାକୁ ନଜରରେ ରଖି ଜଳସମ୍ପଦ ବିଭାଗ ବନ୍ୟା ଆଶଙ୍କା ଜାରି କରିଛି। ସମ୍ଭାବ୍ୟ ବନ୍ୟା ନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ସୂଚନା ଦିଆଯିବା ସହ କ୍ଷେତ୍ର ଅଧିକାରୀମାନଙ୍କୁ ସତର୍କ କରାଯାଇଛି। ବିଭାଗୀୟ ଅଧିକାରୀ କହିଛନ୍ତି କୌଣସି ପରିସ୍ଥିତିକୁ ସାମନା କରିବାକୁ ଆମେ ପ୍ରସ୍ତୁତ ରହିଛୁ। ବନ୍ଧବାଡ଼ର ନିୟମିତ ତଦାରଖ ହେଉଛି। ଭୟଭୀତ ହେବାର କୌଣସି କାରଣ ନାହିଁ। ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହୋଇଛି। ୬୪ଟି ବ୍ଲକରେ ୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ୧୧ଟି ସ୍ଥାନରେ ଶହେ ମିମି ବର୍ଷା ହୋଇଛି। ସମ୍ବଲପୁର ସହରରେ ସବୁଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ହୀରାକୁଦ ଉପରମୁଣ୍ଡରେ ୪୧ ମିମି ବର୍ଷା ହୋଇଥିବାବେଳେ ଏବେବି ବର୍ଷା ଜାରି ରହିଛି। ତେଣୁ ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୨୦ ହଜାର କ୍ୟୁସେକ୍‌ ଜଳ ପ୍ରବେଶ କରୁଛି। ୧୬ଟି ଗେଟ୍‌ରେ ଜଳ ନିଷ୍କାସନ ହେଉଛି। 

Advertisment

ଏଠାରେ ଜଳଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ଏବେ ଜଳସ୍ତର ୬୨୯.୮୯ ଫୁଟ ରହିଛି। ସେହିପରି ବ୍ରାହ୍ମଣୀ ନଦୀର ରେଙ୍ଗାଳିରେ ଗୋଟିଏ ଗେଟ୍ ଖୋଲିଛି। ବୈତରଣୀ ବିପଦ ସଂକେତ ନିକଟରେ ପହଞ୍ଚିବାକୁ ଥିବା ବେଳେ ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗରେ ଜଳସ୍ତର ବିପଦ ସଂକେତ ତଳେ ରହିଛି। ଆଗକୁ ଆଉ ଏକ ଲଘୁଚାପ ଥିବାରୁ ବର୍ଷା କେତେ ହେବ ତା ଉପରେ ନଜର ରହିଥିବା ଅଧିକାରୀ ଜଣକ କହିଛନ୍ତି। 

ହୀରାକୁଦର ୧୬ଟି ଗେଟ୍‌ରେ ଜଳ ନିଷ୍କାସନ
ଉପରମୁଣ୍ଡରେ ବର୍ଷା ଜାରି, ଫୁଲୁଛି ମହାନଦୀ
୨୭ରେ ମୁଣ୍ଡଳି ଦେଇ ଯିବ ୭ ଲକ୍ଷ କ୍ୟୁସେକ୍‌ ଜଳ

ଅନ୍ୟପକ୍ଷରେ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। ଗତ ୩୬ ଘଣ୍ଟାରେ ସମ୍ବଲପୁରରେ ସର୍ବାଧିକ ୧୮୩.୫ ମିମି ବର୍ଷା ହୋଇଥିବା ବେଳେ ହୀରାକୁଦରେ ୧୮୦ ମିମି, ବରଗଡ଼ରେ ୧୧୬.୮ ମିମି, ନୂଆପଡ଼ାରେ ୧୬୯.୪ ମିମି ଓ ବାଲେଶ୍ବରରେ ୮୩.୩ ମିମି ଲେଖାଏଁ ବର୍ଷା ହୋଇଛି। ଉତ୍ତର ଓଡ଼ିଶା ଉପକୂଳସ୍ଥ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ରହିଥିବା ଲଘୁଚ‌ାପ କ୍ଷେତ୍ର ଆଜି ସେହି ଅଞ୍ଚଳରେ ହିଁ ରହିଛି। ଆସନ୍ତା ୧୨ ଘଣ୍ଟାରେ ଲଘୁଚାପଟି ସେହି ଅଞ୍ଚଳରେ ରହିବ ଓ ଧୀ‌ରେ ଧୀରେ ଅସ୍ପଷ୍ଟ ହୋଇଯିବ। ତେବେ ଏହି ଲଘୁଚାପର ପ୍ରକୋପ କମିନଥିବା ‌ବେଳେ ଆଉ ଏକ ଲଘୁଚାପ ଲାଗି ପାଗ ଅନୁକୂଳ ରହିଛି। କେନ୍ଦ୍ରୀୟ ମିଆମାର୍‌ ଉପକୂଳର ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି ଏକ ଉପର ବାୟୁମଣ୍ଡଳସ୍ତରୀୟ ଘୂର୍ଣ୍ଣିବଳୟ ରହିଛି। ଏହା ପଶ୍ଚିମ ଆଡ଼କୁ ଗତି କରିବା ସହ ଅଧିକ ଘନୀଭୂତ ହୋଇ ଆସନ୍ତାକାଲି ଉତ୍ତର ଓ ସଂଲଗ୍ନ ‌କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବ।

ଏହା ପଶ୍ଚିମଆଡ଼କୁ ଗତି କରିବା ସହ ଧୀରେଧୀରେ ଅଧିକ ଘନୀଭୂତ ହୋଇ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳସ୍ଥ ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ୨୬ ତାରିଖ ସୁଦ୍ଧା ଅବପାତ ରୂପ ନେବ। ୨୭ ତାରିଖ ଦିନ ଏହା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ। ପ୍ରଭାବ‌ରେ ରାଜ୍ୟରେ ବର୍ଷା ଜାରି ରହିବ। ଆସନ୍ତାକାଲି କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି ଓ ମାଲକାନଗିରିରେ ପ୍ରବଳ ବର୍ଷା ହେବ। ଏଥିସହ ଉପକୂଳରେ ବି ବର୍ଷା ଲାଗିରହିବ। ୨୬ ତାରିଖରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ। କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ସହ ପବନ ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ୨୮ ତାରିଖ ପର୍ଯ୍ୟନ୍ତ ଗଭୀର ସମୁଦ୍ର ମଧ୍ୟକୁ ପ୍ରବେଶ ନ କରିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି।