୨୩ରୁ ଆଉ ଏକ ଲଘୁଚାପ, ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ବର୍ଷିବ

ଭୁବନେଶ୍ୱର : ବୁଧବାରଠାରୁ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରୁ ସାରା ଓଡ଼ିଶା ପ୍ରବଳ ବର୍ଷାରେ ବେହାଲ ହୋଇଥିବାବେଳେ ଆସନ୍ତା ରବିବାର ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ଲକ୍ଷଣ ଦେଖାଗଲାଣି । ଏହା ଫଳରେ ଓଡ଼ିଶାରେ ଲାଗିରହିଥିବା ବର୍ଷା ବିତ୍ପାତ ଆଗାମୀ ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ଚାଲିବାର ସମ୍ଭାବନା ରହିଛି ।

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତା ୨୩ ତାରିଖ ଅର୍ଥାତ ରବିବାର ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଉତ୍ତର, ଉପକୂଳ ଜିଲ୍ଲା ସମେତ ଢେଙ୍କାନାଳ, କେନ୍ଦୁଝର, କନ୍ଧମାଳ, ମାଲକାନଗିରି, ମୟୁରଭଞ୍ଜ, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାର ପରବର୍ତ୍ତି ଦିନଗୁଡ଼ିକରେ ବର୍ଷା ପରିମାଣ ଆହୁରି ବଢିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବୁଧବାରଦିନ ପ୍ରକାଶିତ ବୁଲେଟିନରେ କୁହାଯାଇଛି ।
ଲଗାତାର ଲଘୁଚାପ ଯୋଗୁଁ ଆଗାମୀ ଦିନରେ ଓଡ଼ିଶାରେ ଦେଖାଦେଇଥିବା ବନ୍ୟା ପରିସ୍ଥିତି ଆହୁରି ସଂଗୀନ ହେବାର ଆଶଙ୍କା ଦେଖାଦେଇଛି । ଏହା ଫଳରେ କରୋନା ମହାମାରୀ ଯୋଗୁଁ ସଂକଟରେ ପଡ଼ିଥିବା ଓଡ଼ିଶାବାସୀଙ୍କ ସ୍ଥିତି ଆହୁରି ବିଗିଡ଼ିବାର ସମ୍ଭାବନା ରହିଛି ।
ଗତ ଜୁଲାଇ ମାସରେ ମୌସୁମୀ ଦୁର୍ବଳ ହେବା ଯୋଗୁଁ ଓଡ଼ିଶାରେ ନିଅଣ୍ଟିଆ ବର୍ଷା ହୋଇଥିଲା । କିନ୍ତୁ ଅଗଷ୍ଟ ମାସରେ ଲାଗିରହିଥିବା ଲଗାଣ ବର୍ଷା ନିଅଣ୍ଟିଆ ସ୍ଥିତିକୁ ବଲକା ସ୍ଥିତିରେ ପରିଣତ କରିଛି ।

ସମ୍ବନ୍ଧିତ ଖବର