୧୩ରେ ଆଣ୍ଡାମାନ ସାଗରରେ ଆଉ ଏକ ଲଘୁଚାପ

ଶୀତ କମିବ, ୨ ଦିନରେ ବଢ଼ିବ ୩ ଡିଗ୍ରି

ଭୁବନେଶ୍ୱର : ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ରାତି ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ଫଳରେ ଅପେକ୍ଷାକୃତ ଶୀତ କମିବ। ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଅବପାତ ପ୍ରଭାବରେ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ହୋଇଛି। ଏହି ଅବପାତ ଯୋଗୁଁ ବଙ୍ଗୋପସାଗରରୁ ଜଳୀୟବାଷ୍ପପୂର୍ଣ୍ଣ ଉଷ୍ମବାୟୁ ଓଡ଼ିଶାକୁ ପ୍ରବେଶ କରୁଛି। ଏଣୁ ରାତି ତାପମାତ୍ରା ବଢ଼ିବା ସହ ଶୀତ କମିବ। ବର୍ତ୍ତମାନ ଓଡ଼ିଶାର ଅଧିକାଂଶ ସ୍ଥାନରେ ରାତ୍ରି ତାପମାତ୍ରା ୧ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ସର୍ବାଧିକ ବୃଦ୍ଧି ଟିଟିଲାଗଡ଼ଠାରେ ୩.୩ ଡିଗ୍ରି ହୋଇଥିବା ବେଳେ ପାରାଦୀପରେ ୩.୧ଡିଗ୍ରି, ସୋନପୁର ଓ ବାରିପଦାରେ ୨.୫ ଡିଗ୍ରି, ଅନୁଗୁଳ ଓ କେନ୍ଦୁଝରରେ ୨.୪ଡିଗ୍ରି, ଭୁବନେଶ୍ବରରେ ୨.୫ଡିଗ୍ରି ଓ କଟକରେ ୧.୬ ଡିଗ୍ରି ଲେଖାଏଁ ବୃଦ୍ଧି ଘଟିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ୧୩ ତାରିଖ ଆଡ଼କୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଅଞ୍ଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଅଧିକ ଘନୀଭୂତ ହେବ। ପରବର୍ତୀ ୪୮ ଘଣ୍ଟାରେ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହେବ।

LiveChennai

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ କହୁଛି, ବଙ୍ଗୋପସାଗରରେ ସୃଷ୍ଟ ଅବପାତ ପ୍ରଭାବରେ ତାମିଲନାଡ଼ୁରେ ପ୍ରବଳ ବର୍ଷା ଜାରି ରହିଛି। ଗୁରୁବାର ରାତି ସୁଦ୍ଧା ଏହି ଅବପାତ ଦକ୍ଷିଣ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ। ଆଜି ମଧ୍ୟ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପାଗ ମେଘୁଆ ଓ କୋହଲା ରହିବ। ସୋମବାର ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାରେ ପାଗ ମେଘୁଆ ସହ ଅଳ୍ପ କେତେକ ସ୍ଥାନରେ ହାଲୁକାରୁ ସ୍ବଳ୍ପବର୍ଷା ହୋଇପାରେ। ପୁରୀ ଓ ଖୋର୍ଧା ଜିଲ୍ଲାରେ ୧୨ ଓ ୧୪ ତାରିଖରେ ପାଗ ମେଘୁଆ ରହିବା ସହ ବୁନ୍ଦା ବର୍ଷା ହେବାର ସମ୍ଭାବନା ରହିଛି। ଗୁରୁବାରଠାରୁ ରବିବାର ପର୍ଯ୍ୟନ୍ତ ରବିବାର ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ୩ରୁ ୪ଡିଗ୍ରି ବଢ଼ିବ। ସୋମବାର ଓ ମଙ୍ଗଳବାରରେ ସର୍ବନିମ୍ନ ତାପମାତ୍ରା ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରାୟ ୨ଡିଗ୍ରି କମିବ। ତା’ ପରେ ସାମ୍ଭାବ୍ୟ ଲଘୁଚାପ ହେତୁ ପୁଣି ପାଗରେ ପରିବର୍ତ୍ତନ ହୋଇପାରେ।

ପୂର୍ବ ଆକଳନ ମୁତାବକ, ଗୁରୁବାର ଦିନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ୧୩ରେ ଲଘୁଚାପ, ୧୪ରେ ଅବପାତ ଓ ୧୬ ସୁଦ୍ଧା ଗଭୀର ଅବପାତ ହୋଇପାରେ। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ୧୯‌ରେ ଦକ୍ଷିଣ ଆନ୍ଧ୍ର ଉପକୂଳରେ ସ୍ଥଳ ଭାଗ ଛୁଇଁବ। ସେଠି ଓ ସଂଲଗ୍ନ ତାମିଲନାଡ଼ୁରେ ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ। ଏହା ଏ ମାସର ତୃତୀୟ ଲଘୁଚାପ ହେବ। ଏହା ପ୍ରଭାବ‌ରେ ରାଜ୍ୟରେ ୧୭ତାରିଖରୁ ପାଗ ପରିବର୍ତ୍ତନ ହେବ। ୨୦ ତାରିଖ ପର୍ଯ୍ୟନ୍ତ ପାଗ ମେଘୁଆ ରହିବ। ସର୍ବନିମ୍ନ ତାପମାତ୍ରା ପୁଣି ୩ରୁ ୪ଡିଗ୍ରି ବଢ଼ିବ। ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଦକ୍ଷିଣରେ ୧୮ ଓ ୧୯ ତାରିଖରେ ହାଲୁକାରୁ ସ୍ବଳ୍ପ ବର୍ଷା ହେବ। ଉତ୍ତର ଓଡ଼ିଶାରେ ୧୯ରୁ ୨୦ ତାରିଖ ସୁଦ୍ଧା ହାଲୁକା ବର୍ଷା ସହ ପାଗ କୋହଲା ରହିବ।

ସମ୍ବନ୍ଧିତ ଖବର