୨୮ରେ ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ବର : ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଓ ସଂଲଗ୍ନ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଏଥିସହ ଉପକୂଳ ଓଡ଼ିଶାର ପୁରୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ଲଘୁଚାପ ଓ ସକ୍ରିୟ ମୌସୁମୀ ପ୍ରଭାବରେ ଗତ ୩ ଦିନରେ ରାଜ୍ୟର ନିଅଣ୍ଟିଆ ବର୍ଷା ସ୍ଥିତିରେ କିଛିଟା ଭରଣା ହୋଇପାରିଛି। ରାଜ୍ୟରେ କିଛି ଦିନ ତଳେ ୪୦%ରୁ ଅଧିକ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳ ଏବେ ଏହା ୧୭%କୁ ଅର୍ଥାତ୍‌ ପ୍ରାୟ ସ୍ବାଭାବିକ ସ୍ଥିତିକୁ ଖସି ଆସିଛି। ଆସନ୍ତା ୨୮ ତାରିଖ ଦିନ ପଶ୍ଚିମବଙ୍ଗ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ପ୍ରଭାବରେ ‌ରାଜ୍ୟରେ ହେବାକୁ ଥିବା ବର୍ଷା ଯୋଗୁଁ ଜୁଲାଇରେ ରାଜ୍ୟରେ ନିଅଣ୍ଟିଆ ବର୍ଷାର ସ୍ଥିତି ସମ୍ପୂର୍ଣ୍ଣ ଭରଣା ହୋଇପାରିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ୧ ଜୁନ୍‌ରୁ ୨୪ ଜୁଲାଇ ମଧ୍ୟରେ ରାଜ୍ୟରେ ୩୯୫.୯ ମିମି ବର୍ଷା ହୋଇଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟରେ ସ୍ବାଭାବିକ ଭାବେ ୪୭୫.୮ମିମି ବର୍ଷା ହୋଇଥାଏ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୭% କମ୍‌ ବର୍ଷା ହୋଇଥିଲେ ମଧ୍ୟ ଏହାକୁ ସ୍ବାଭାବିକ ବର୍ଷା କୁହାଯାଇପାରେ। ରାଜ୍ୟର ୧୯ ଜିଲ୍ଲାରେ ଏବେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ଭଦ୍ରକ ଓ ଯାଜପୁରରେ ନିଅଣ୍ଟିଆ ବର୍ଷା ସ୍ଥିତି ଅଧିକ ସଂଗିନ ରହିଛି। ଆସନ୍ତା ୨୮ରୁ ୩୧ ତାରିଖ ଭିତରେ ରାଜ୍ୟରେ ହେବାକୁ ଥିବା ଲଘୁଚାପ ବର୍ଷା ଯୋଗୁଁ ରାଜ୍ୟରେ ଭଲ ବର୍ଷା ହେବ ଏବଂ ନିଅଣ୍ଟିଆ ସ୍ଥିତି ସୁଧୁରିବ ବୋଲି ଆଶା କରାଯାଉଛି।

ଅନ୍ୟପକ୍ଷରେ ଗତକାଲି ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ରହିଥିବା ଲଘୁଚାପ କ୍ଷେତ୍ର ଆଜି ଝାରଖଣ୍ଡ ଓ ସଂଲଗ୍ନ ଛତିଶଗଡ଼ ଅଞ୍ଚଳକୁ ଗତି କରିଛି। ଆସନ୍ତା ୨ ଦିନ ରାଜ୍ୟରେ ବର୍ଷାର ପରିମାଣ କମିବ। ଏହାପରେ ୨୮ ତାରିଖ ଆଡ଼କୁ ରାଜ୍ୟରେ ପୁଣି ବଡ଼ଧରଣର ବର୍ଷା ହେବ ବୋଲି କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର