ଭୁବନେଶ୍ବର: ରାଜ୍ୟରେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବା ବେଳେ ଦିନରେ ଖରା ଓ ଅପରାହ୍ଣରେ ବର୍ଷା ଜାରି ରହିଛି। ଆସନ୍ତା ୨୩ ତାରିଖ ଯାଏ ରାଜ୍ୟରେ ଏହିଭଳି ପାଗ ଜାରି ରହିବ। ୨୪ ତାରିଖ ଆଡ଼କୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଫଳରେ ୨୪ ତାରିଖ ଆଡ଼କୁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଆସନ୍ତାକାଲି ରାଜ୍ୟର ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ସମ୍ବଲପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ସୋନପୁର, ରାୟଗଡ଼ା, କୋରାପୁଟ ଓ ଗଜପତିର କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏଥି ସହ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଢେଙ୍କାନାଳ, ନୂଆପଡ଼ା, ବଲାଙ୍ଗୀର, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ଝଡ଼ବର୍ଷାର ସମ୍ଭାବନାକୁ ନେଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ୨୩ ତାରିଖ ଯାଏ ରାଜ୍ୟରେ ଏହିଭଳି ମୌସୁମୀ ବର୍ଷା ଜାରି ରହିବ ଓ ପରେ ଲଘୁଚାପଜନିତ ପ୍ରବଳ ବର୍ଷା ହେବ ବୋଲି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।