ଭୁବନେଶ୍ବର: ଆସନ୍ତା ୧୨ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି। ଏହା ଅଧିକ ଘନୀଭୂତ ହୋଇ ୧୩ ତାରିଖରେ ପଶ୍ଚିମବଙ୍ଗ ଉପରେ ରହିବ। ପରବର୍ତ୍ତୀ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହୋଇପାରେ। ପ୍ରଭାବରେ ୧୩ରୁ ୧୫ ତାରିଖ ମଧ୍ୟରେ ବାଲେଶ୍ବର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ଯଦି ଲଘୁଚାପଟି ଦକ୍ଷିଣ ପଶ୍ଚିମବଙ୍ଗରେ ସୃଷ୍ଟି ହୁଏ, ତେବେ ଏହି ୩ଟି ଜିଲ୍ଲା ସହିତ ଭଦ୍ରକ, ଢେଙ୍କାନାଳ, କେନ୍ଦୁଝର, ଯାଜପୁର, ଦେବଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବ। ୧୬ ତାରିଖରେ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି। ତେବେ ଝାଡ଼ଖଣ୍ଡରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି।

Advertisment

ସେ ଆହୁରି କହିଛନ୍ତି ଯେ ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାରେ ବିଶେଷ ବର୍ଷା ସମ୍ଭାବନା ନାହିଁ। ସ୍ବାଭାବିକଠାରୁ ଅଧା ବର୍ଷା ହୋଇପାରେ। ସପ୍ତାହକ ମଧ୍ୟରେ ଖୋର୍ଦ୍ଧା, ପୁରୀ, ନୟାଗଡ଼, ଅନୁଗୁଳ, ବୌଦ୍ଧ, ସମ୍ବଲପୁର‌ ଜିଲ୍ଲାରେ ହାଲୁକା ବର୍ଷା ହେବ। ଏହାଦ୍ବାରା ଧାନ ଫସଲ ପ୍ରଭାବିତ ହେବ ନାହିଁ। ମାତ୍ର ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ବିକ୍ଷିପ୍ତ ବର୍ଷାର ସମ୍ଭାବନା ଥିବାରୁ ଧାନ ବିଲରେ ପାଣି ବାନ୍ଧି ରଖନ୍ତୁ। ସବୁ ଜିଲ୍ଲାରେ ମାଟି ବତର ରହିଥିବାରୁ ପ୍ରାକ୍‌-ରବି ଫସଲ ଯଥା ମୁଗ, ବିରି, ରାଶି, ଅଳସି ଲଗାଇବାକୁ ସେ ପରାମର୍ଶ ଦେଇଛନ୍ତି।

ଅନ୍ୟପକ୍ଷରେ ଗତକାଲି ଓଡ଼ିଶା ଉପରେ ଥିବା ଗଭୀର ଅବପାତ ଆଜି ଦୁର୍ବଳ ହୋଇଛି। ସନ୍ଧ୍ୟା ସୁଦ୍ଧା ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ପୂର୍ବ ମଧ୍ୟପ୍ରଦେଶ ଉପରେ ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓ ଉତ୍ତର ଓଡ଼ିଶାର କେତେକ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପା‌ରେ। ୧୨ ତାରିଖଠାରୁ ବର୍ଷା ପରିମାଣ ବଢ଼ିବ। ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଥିବା ଉତ୍ତର ଉପକୂଳ ସମେତ କଟକ, ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ାରେ ଘଡ଼ଘଡ଼ି ସହ ବଜ୍ରପାତ ହେବା ନେଇ ଆକଳନ କରାଯାଇଛି। ଗତକାଲି ସକାଳଠାରୁ ଆଜି ପୂର୍ବାହ୍ନ ମଧ୍ୟରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରେ ସର୍ବାଧିକ ୨୩୧.୪ ମିମି ବର୍ଷା ହୋଇଛି। ସେହି ଜିଲ୍ଲାର ମଦନପୁର-ରାମପୁରରେ ୨୨୩ ମିମି, ଅନୁଗୁଳ ଜିଲ୍ଲାର ଟିକରପଡ଼ାରେ ୧୪୮.୨, ରାୟଗଡ଼ା ଜିଲ୍ଲାର ଆମ୍ବଦୋଳାରେ ୧୩୭, ନୂଆପଡ଼ାରେ ୧୩୩.୮, କୋରାପୁଟ ଜିଲ୍ଲାର କୋଟପାଡ଼ରେ ୧୧୦, ବଲାଙ୍ଗୀର ଜିଲ୍ଲାର ବେଲଗାଁରେ ୧୦୬.୪, ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁରରେ ୧୦୫ ମିମି ବର୍ଷା ହୋଇଥିଲା।