ବେଲପାହାଡ଼ର ‘ମଲାଲା’ ଫିରଦୋସ ପରୱିନ୍

ବ୍ରଜରାଜନଗର : ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ୱାର୍ଡ ନଂ ୧୯ରେ ରହନ୍ତି ଫିରଦୋସ ପରୱିନ୍। ବୟସ ମାତ୍ର ଅଠର। ଫିରଦୋସଙ୍କ ସେତେ‌ଟା ସ୍ବଚ୍ଛଳ ନୁହନ୍ତି। ତଥାପି ସେ କୌଣସି ପ୍ରକାରେ ନିଜେ ପାଠ ପଢ଼ି ଉଚ୍ଚ ଶିକ୍ଷିତ ହେବା ସହ ଦୃଢ଼ ଇଚ୍ଛାଶକ୍ତି ବଳରେ ସେ ଲୋକଙ୍କୁ ସେବା କରି ଆସୁଛନ୍ତି।

ବାପା ସାହାବୁଦ୍ଦିନ କପଡ଼ା ବ୍ୟବସାୟ କରନ୍ତି। ପରିବାରରେ ୮ ଜଣ ଭାଇଭଉଣୀ। ଅଭାବ ଅନଟନ ଲାଗି ରହିଥିଲେ ମଧ୍ୟ ବାପା ତାଙ୍କୁ କଷ୍ଟେମଷ୍ଟେ ଇଂଜିନିୟରିଂ ପଢ଼ାଉଛନ୍ତି। ରାଉରକେଲା ଉତ୍କଳମଣି ଗୋପବନ୍ଧୁ ଇନଷ୍ଟିଚ୍ୟୁଟ୍ ଅଫ ଇଂଜିନିୟରିଂ ପ୍ରତିଷ୍ଠାନର ଛାତ୍ରୀ ସେ। ମାତ୍ର, ନିଜେ ଫିରଦୋସ ମଧ୍ୟ ଗରିବ ପିଲାଙ୍କୁ ପାଠ ପଢ଼ାଇ ଶିକ୍ଷିତ କରିବା ଲକ୍ଷ୍ୟ ନେଇ ପ୍ରୟାସ ଚଳାଇଛନ୍ତି।

ଏହାଛଡ଼ା ଫିରଦୋସ କାହାର ରାସନ କାର୍ଡ, ବିଦ୍ୟୁତ ସମସ୍ୟା ତ କାହାର ପାଇଖାନା ସମସ୍ୟା, ନାଳି ସଫେଇ, ରାସ୍ତା ନିର୍ମାଣ ଭଳି ସବୁ କଥା ନେଇ ସଂପୃକ୍ତ ବିଭାଗ କର୍ତ୍ତୃପକ୍ଷଙ୍କୁ ଅବଗତ କରାନ୍ତି। ସାର୍ବଜନୀନ ସମସ୍ୟା ନେଇ ସେ ପୌର ପରିଷଦ କାର୍ଯ୍ୟାଳୟକୁ ଯାଇଥା’ନ୍ତି। ଗର୍ଭବତୀଙ୍କ ସମସ୍ୟା ନେଇ ଅଙ୍ଗନବାଡ଼ି ଦିଦିଙ୍କୁ ଜଣାଇଥାନ୍ତି। ପୌର ପରିଷଦ ଗୋ‌ଷ୍ଠୀ ସଂଗଠିକାଙ୍କ ସହ ଅନ୍ୟ କର୍ମଚାରୀମାନେ ଫିରଦୋସଙ୍କ କାର୍ଯ୍ୟକୁ ବେଶ୍ ପ୍ରଶଂସା କରନ୍ତି। ସରଳ, ଗରିବ ଲୋକଙ୍କ ସମସ୍ୟାକୁ ବେଶ୍ ନମ୍ରତାର ସହ ପୌର କର୍ମଚାରୀ ଏବଂ ନଗରପାଳଙ୍କୁ ଜଣାଇଥା’ନ୍ତି। ଘର ଲୋକଙ୍କ ସହ ହଷ୍ଟେଲରୁ ଫୋନରେ କଥାବାର୍ତ୍ତା କରି ସଂଧ୍ୟାରେ ବେଲପାହାଡ଼ର ସମସ୍ୟା ବାବଦରେ ଅବଗତ ହେବା ସହ ତାକୁ ପରବର୍ତ୍ତୀ ସମୟରେ ପୌର କର୍ତୃପକ୍ଷଙ୍କୁ ଜଣାଇ ସମାଧାନ କରିବାକୁ ପ୍ରୟାସ କରିଥାନ୍ତି।

ଫିରଦୋସ ପରୱିନ କହନ୍ତି, ‘ନିଜେ ଅଭାବ ଅନଟନରେ ଦାରିଦ୍ର୍ୟର କଷ୍ଟ ଅନୁଭବ କରିଛି। ସେଥିପାଇଁ ଅନ୍ୟର କଷ୍ଟ ଲାଘବ କରିବା ସହ ଗରିବ ପରିବାରର ଛୋଟ ପିଲାମାନେ ପାଠ ପଢ଼ିଲେ ଆନନ୍ଦ ମିଳେ’। ସେହିପରି ଫିରଦୋସ ଲୋକଙ୍କ ଆପତ୍ତି ଅଭିଯୋଗ ନେଇ ଆସିଲେ ତାକୁ ସମାଧାନ କରିବାକୁ ପ୍ରଥମେ ଉଦ୍ୟମ କରନ୍ତି ବୋଲି ବେଲପାହାଡ଼ ନଗରପାଳ ପର୍ଶୁରାମ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର