କନ୍ଧମାଳରେ ପୁଣି ଏନ୍‌କାଉଣ୍ଟର୍‌ : ଆଉ ଜଣେ ମାଓବାଦୀ ମୃତ

ଫୁଲବାଣୀ : କନ୍ଧମାଳ ପୁଲିସ୍‌କୁ ପୁଣି ମିଳିଛି ସଫଳତା। ଗତକାଲି ସୁଡ୍ରୁକୁମ୍ପା ଜଙ୍ଗଲରେ ପୁଲିସ ଏନ୍‌କାଉଣ୍ଟରରେ ୪ ମାଓବାଦୀ ମୃତ୍ୟୁ ହୋଇଥିବାବେଳେ ଆଜି ଆଉ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ୨ ଦିନରେ ସମୁଦାୟ ୫ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ହେଉଛନ୍ତି ମହିଳା ମାଓବାଦୀ। ସୁଡ୍ରୁକୁମ୍ପା ଜଙ୍ଗଲ ନିକଟରେ ମାଓବାଦୀ ପୁଣି ମେଳି କରୁଥିବା ଖବର ପାଇ ଆଜି ସକାଳେ ପୁଲିସ ଅତର୍କିତ ଚଢଉ କରିବା ସହିତ ଗୁଳିମାଡ଼ କରିଥିଲେ। ଏହି ଗୁଳିମାଡ଼ରେ ଜଣେ ପୁରୁଷ ମାଓବାଦୀର ମୃତ୍ୟୁ ହୋଇଥିଲା। ଅନ୍ୟମାନେ ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲେ। ମୃତ ମାଓବାଦୀ ନିକଟରୁ ଏକ ରାଇଫଲ ଓ କିଛି ମାଓ ସାମଗ୍ରୀ ପୁଲିସ ଜବତ କରିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କଡ଼ା ସୁରକ୍ଷା ମଧ୍ୟରେ ମୃତ ମାଓବାଦୀର ଶବ ବ୍ୟବଚ୍ଛେଦ କରାଯାଇଛି। ମୃତ ୫ ମାଓବାଦୀଙ୍କ ମଧ୍ୟରେ ଜଣେ ଶଙ୍କର ମାଝି ଓରଫ ବାଦଲ ବୋଲି ଜଣାପଡିଥିବା ବେଳେ ଅନ୍ୟମାନଙ୍କ ପରିଚୟ ମିଳିପାରିନାହିଁ । ସୁଡ୍ରୁୁକୁମ୍ପା ଜଙ୍ଗଲରେ କୁମ୍ବିଂ ଅପରେସନ ଜାରି ରହିଛି। ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ଗତକାଲି ସନ୍ଧ୍ୟାରୁ ତାଟି କବାଟ ପଡିଯାଇଛି । ଏନେଇ କନ୍ଧମାଳ ଏସପି ପ୍ରତୀକ ସିଂ କହିଛନ୍ତି ଯେ, ଭୟଭୀତ ହେବାର କୌଣସି କାରଣ ନାହିଁ। କନ୍ଧମାଳରେ ମାଓ ଉପଦ୍ରବକୁ ବରଖାସ୍ତ କରାଯିବ ନାହିଁ । ଏହି ଅବସରରେ ହିଂସା ଛାଡି ମୁଖ୍ୟସ୍ରୋତକୁ ଆସିବାକୁ ଏସ୍‌ପି ଶ୍ରୀ ସିଂହ ଆହ୍ଵାନ ଦେଇଛନ୍ତି ।

ସମ୍ବନ୍ଧିତ ଖବର