କଳାହାଣ୍ଡିକୁ ଫେରିଲା ପୁଣି ଜଣେ ଦାଦନ ଶ୍ରମିକଙ୍କ ଶବ

ଭବାନୀପାଟଣା: କଳାହାଣ୍ଡିରେ ଅସହ୍ୟ ହେଉଛି ଦାଦନ ଦୁଃଖ । କଳାହାଣ୍ଡି ଜିଲ୍ଲାକୁ ପୁଣି ଏକ ଦାଦନ ଶ୍ରମିକର ଶବ ଫେରିବା ଘଟଣା ସାଧାରଣରେ ଚାଞ୍ଚଲ୍ୟ ଖେଳିଯାଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଖମନପଡା ଗାଁର ଶଙ୍କର ବିଭାରଙ୍କ ପୁଅ ପ୍ରତାପ ବିଭାର(୩୦) ଗୁଜରାତ ରାଜ୍ୟ ରାଜକୋଟ ସହରରେ କୋଠା ନିର୍ମାଣ କାମରେ ନିୟୋଜିତ ଥିଲେ । ସାଥିରେ ତାଙ୍କ ପତ୍ନୀ ଓ ପଡିଶାର ଅନ୍ୟ ପରିବାରମାନେ ମଧ୍ୟ ରହୁଥିଲେ ।

ଏପଟେ ଗାଁରେ ବାପା, ମାଁ, ଭାଇ ଆଦି ରହୁଥିଲେ । ଗତ ଜୁନ ୨ ତାରିଖ ପ୍ରତାପ ସକାଳ ୭ ଘଣ୍ଟା ସମୟରେ କାମ କରିବାକୁ ଯାଉଥିଲା ବେଳେ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ । ତାଙ୍କୁ ସଙ୍ଗେସଙ୍ଗେ ରାଜକୋଟ ସ୍ଥିତ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ମୁଣ୍ଡରୁ ପ୍ରଚୁର ରକ୍ତ ସ୍ରାବ ହୋଇଥିବା ଯୋଗୁଁ ବୁଧବାର ଦିନ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଥିଲା । ସେଠାରେ ଶବ ବ୍ଯବଛେଦ ପରେ ଅମ୍ବୁଲାନ୍ସ ଯୋଗେ ଶବ ଗାଁକୁ ଆସିଥିଲା । ଶୁକ୍ରବାର ଶୋକାକୁଳ ପରିବେଶ ମଧ୍ୟରେ ଖମନପଡାରେ ଶବ ସତ୍କାର କରାଯାଇଛି । ମୃତ ପ୍ରତାପଙ୍କ ଉପରେ ତାଙ୍କ ପରିବାର ଭରଷା କରି ଚଳୁଥିଲା ଓ ଏମାନେ ଗରିବ ହୋଇଥିବାରୁ ସରକାରଙ୍କ ତରଫରୁ ଆର୍ଥିକ ସହଯୋଗ ଯୋଗାଇଦେବା ନିମନ୍ତେ ଅଞ୍ଚଳବାସୀ ଦାବୀ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଗତ ସପ୍ତାହରେ ଏହି ବ୍ଲକ ଟୋଲବ୍ରାହ୍ମଣୀ ଗ୍ରାମକୁ ମଧ୍ୟ ଏକ ଦାଦନ ଶ୍ରମିକର ଶବ ଫେରିଥିଲା । ସେହି କଥା ଲୋକଙ୍କ ମନରୁ ନଲିଭୁଣୁ ଆଜି ପୁଣି ଏକ ଦାଦନର ଶବ ଆସିବାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ସମ୍ବନ୍ଧିତ ଖବର