ରେମୁଣା ବିଧାୟକଙ୍କୁ କରୋନା, ନୀଳଗିରି ବିଧାୟକଙ୍କ ସଂସ୍ପର୍ଶରେ ଆସିଥିଲେ

ବାଲେଶ୍ବର: ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ବାଲେଶ୍ବର ଜିଲ୍ଲାର ଆଉ ଜଣେ ବିଧା‌ୟକ କରୋନା ସଂକ୍ରମିତ ହୋଇଛନ୍ତି ବୋଲି ସୂଚନା ମିଳିଛି। ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହି  ସୂଚନା  ବିଧାୟକ ଶ୍ରୀ ପରିଡ଼ା ‘ସମ୍ବାଦ’କୁ ଦେଇଛନ୍ତି।  ସେ କରୋନା ସଂକ୍ରମିତ ହୋଇଥିବା ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି କହିଛନ୍ତି।  ନୀଳଗିରି ବିଧାୟକ ପଜିଟିଭ ଚିହ୍ନଟ ହେବା ପରଠୁ ବିଧାୟକ ଶ୍ରୀ ପରିଡ଼ା ବାଲେଶ୍ୱର ସହର ଗୋପଲଗାଁ ବାସଭବନରେ ଗୃହସଙ୍ଗରୋଧରେ ଥିଲେ।

‘ସମ୍ବାଦ’କୁ ସୂଚନା ଦେଇ ସେ କହିଛନ୍ତି, ଆଜି ମତେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ଠାରୁ ଖବର ମିଳିଛି କି ମୁଁ କରୋନା ପଜିଟିଭ୍। ତେଣୁ ସ୍ବାସ୍ଥ୍ୟ ବିଭାଗ ପଠାଇ ଥିବା ଗାଡ଼ିରେ ମତେ କୋଭିଡ୍ ହସ୍ପିଟାଲକୁ ନିଆଯିବ ବୋଲି ମତେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି।’ ଗତ ୧୧ ତାରିଖ ଦିନ ବିଧାୟକଙ୍କ ସ୍ବାବ ନମୁନା ପରୀକ୍ଷା ଲାଗି ନିଆଯାଇଥିଲା, ଆଜି ଏହାର ରିପୋର୍ଟ ଆସିଛି।

ଏଥିସହ ସେ ଫେସବୁକରେ ଏକ ପୋଷ୍ଟ କରି ଲେଖିଛନ୍ତି, ‘ପୂର୍ବରୁ ମୁଁ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ ପାଳନ କରି ହୋମ କ୍ବାରାଣ୍ଟାଇନରେ ଥିଲି । ଆଜି ମୋର ପଜିଟିଭ ରିପୋର୍ଟ ଆସିଛି । ମୁଁ କୋଭିଡ-୧୯ରେ ଆକ୍ରାନ୍ତ । ମୁଁ ଶାରୀରିକ ଓ ମାନସିକ ଭାବରେ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ଆପଣମାନେ ବ୍ୟସ୍ତ ହୁଅନ୍ତୁ ନାହିଁ । ବହୁତ ଜଲଦି ସୁସ୍ଥ ହୋଇ ପୂର୍ବଭଳି ଆପଣମାନଙ୍କର ସେବା କରିବି । ଆପଣମାନଙ୍କୁ ଅନୁରୋଧ କରୁଛି ଯେ ସରକାରଙ୍କ ସମସ୍ତ ନିୟମ ପାଳନ କରନ୍ତୁ ଏବଂ ସାମାଜିକ ଦୂରତା ବଜାୟ ରଖନ୍ତୁ। ’

ଉଲ୍ଲେଖଯୋଗ୍ୟ, ଗତ ୩ ତାରିଖରେ ସେ ବାଲେଶ୍ବର ସଦରର ଦିବଂଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ସ୍ମୃତିସଭାରେ ଯୋଗ ଦେବା ଅବସରରେ  ନୀଳଗିରି ବିଧାୟକଙ୍କ ସଂସ୍ପର୍ଶରେ ଆସିଥିଲେ। ଗତ ୬ ତାରିଖରେ ନୀଳଗିରି ବିଧାୟକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରେମୁଣା ବିଧାୟକ ଗୃହ ସଙ୍ଗରୋଧରେ ଥିଲେ।

ରାଜ୍ୟର ତୃତୀୟ ବିଧାୟକ ଭାବେ ଶ୍ରୀ ପରିଡ଼ା କରୋନା ସଂକ୍ରମିତ ହୋଇଛନ୍ତି। ପ୍ରଥମେ ନୀଳଗିରି ବିଧାୟକ, ତା‘ପରେ ସାଲେପୁର ବିଧାୟକ ଏବଂ ଶେଷରେ ରେମୁଣା ବିଧାୟକ ସଂକ୍ରମଣର ଶିକାର ହୋଇଥିବା ସାମ୍ନାକୁ ଆସିଛି। ତେବେ ସାଲେପୁର ବିଧାୟକ ସଂକ୍ରମିତ ହେବାର ମାତ୍ର ଦୁଇ ଦିନ ପରେ କରୋନା ନେଗେଟିଭ୍ ବୋଲି ସ୍ବାବ ପରୀକ୍ଷାରୁ ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର