ସମ୍ବଲପୁର: ସମ୍ବଲପୁରରେ ପୁଣି କିଛିଦିନ ବ୍ୟବଧାନରେ ଘଟିଛି ହତ୍ୟାକାଣ୍ଡ। ସାମାନ୍ୟ କଥାକୁ କେନ୍ଦ୍ରକରି ଗାଡ଼ିଚାଳକ ମହମ୍ମଦ ଅସ୍ଫାକଙ୍କୁ ହତ୍ୟା କରି ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ସହିତ ଅଭିଯୁକ୍ତର ଗୁଳି ବିନିମୟ ହୋଇଛି। ପୁଲିସ ଗୁଳିରେ କୁଖ୍ୟାତ ଅପରାଧୀ ମହମ୍ମଦ ସାମଦ ଗୁରୁତର ଆହତ ହୋଇଥିବା ବେଳେ ତା’ର ଭାଇ ମହମ୍ମଦ ୱାସିମ୍ ଫେରାର ହୋଇଯାଇଛି।
ଆଜି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଅତିରିକ୍ତ ଏସ୍ପି ଶ୍ରୀମନ୍ତ ବାରିକ ଦେଇଥିବା ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ସମୟରେ ଧନୁପାଲି ଥାନା ଅନ୍ତର୍ଗତ ମୋତିଝରଣ ଅଞ୍ଚଳରେ କୁଖ୍ୟାତ ଅପରାଧୀ ମହମ୍ମଦ ସାମଦ ଓ ତାର ଭାଇ ମହମ୍ମଦ ୱାସିମ୍ ସହିତ ଜଣେ ଗାଡ଼ିଚାଳକ ମହମ୍ମଦ ଅସ୍ଫାକଙ୍କ କୌଣସି କାରଣରୁ ବଚସା ଲାଗିଥିଲା। ଏଥିରେ ପ୍ରତିଶୋଧ ପରାୟଣ ହୋଇ ଦୁଇଭାଇ ରାତି ପ୍ରାୟ ୧୦ଟା ସମୟରେ ଅସ୍ଫାକକୁ ଛୁରି ଭୁସି ହତ୍ୟା କରିଥିଲେ। ଏହାପରେ ଦୁଇ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲେ। ଘଟଣା ସଂକ୍ରାନ୍ତରେ ମୃତକଙ୍କ ପରିବାର ଲୋକେ ଧନୁପାଲି ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ସମ୍ବଲପୁର ଏସ୍ପି ମୁକେଶ ଭାମୁ ପୁଲିସ ଅଧିକାରୀମାନଙ୍କୁ ନେଇ ବିଭିନ୍ନ ଟିମ୍ ଗଠନ କରିଥିଲେ। ସମ୍ବଲପୁରର ବିଭିନ୍ନ ପ୍ରବେଶ ଥରେ ପୁଲିସ ଟିମ୍ ଜଗି ରହିଥିଲା। ଏପଟେ ସହରର ସମସ୍ତ ଛକ ଓ ଗଳିମାନଙ୍କରେ ପୁଲିସ ଯାଞ୍ଚ ଆରମ୍ଭ କରିଥିଲା। ଆଜି ଭୋର ୫ଟା ସମୟରେ ଧମା ଖଣ୍ଡୁଆଳରୋଡ୍ ସାମନ୍ତରାୟ ଫାର୍ମହାଉସ୍ ନିକଟରେ ପୁଲିସ ଦୁଇ ଭାଇଙ୍କୁ ଠାବ କରିଥିଲା। ପୁଲିସକୁ ଦେଖି ଅଭିଯୁକ୍ତ ଖସି ପଳାଇବା ପାଇଁ ଗୁଳିଚାଳନା କରିଥିଲା।
ଉଭୟ ପଟରୁ ୩ ରାଉଣ୍ଡ ଗୁଳିଚାଳନା
ସାମଦ ନାଁରେ ୨୯ଟି ମାମଲା
ଭାଇ ମହମ୍ମଦ ୱାସିମ୍ ଚମ୍ପଟ
ମହମ୍ମଦ ସାମଦ ପୁଲିସକୁ ଚ୍ୟାଲେଞ୍ଜ କରିବା ସହ ନିଜ ୭.୬ ଏମଏମ୍ ବନ୍ଧୁକରୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା। ସାମଦର ଗୁଳି କାହାରିବାକୁ ବାଜିନଥିବା ବେଳେ ପୁଲିସର ପାଲଟା ଗୁଳିରେ ସାମଦ ଗୁରୁତର ଆହତ ହୋଇଥିଲା। ଗୁଳିଟି ସାମଦର ବାମ ଗୋଡ଼ର ଆଣ୍ଠୁ ତଳକୁ ବାଜିଥିଲା। ଗୁଳି ବାଜିବା ପରେ ସାମଦ ତଳେ ପଡ଼ି ଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତ ୱାସିମ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପୁଲିସ ତୁରନ୍ତ ସାମଦକୁ କାବୁ କରି ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନା ପଠାଯାଇଥିଲା। ଘଟଣାସ୍ଥଳରୁ ପୁଲିସ ୭.୬ ଏମ୍ଏମ୍ ଗୋଟିଏ ପିସ୍ତଲ, ୩ଟି ଖୋକା, ଗୋଟିଏ ଜୀବନ୍ତ ଗୁଳି ଓ ଗୋଟିଏ ଆପାଚି ବାଇକ୍ (ଓଡି୧୫ ଏମ୍ ୭୧୦୦) ଜବତ କରିଛି। ଅତିରିକ୍ତ ଏସ୍ପି ଶ୍ରୀ ବାରିକ କହିଛନ୍ତି ଯେ, ମହମ୍ମଦ ସାମଦ ନାମରେ ୨୯ଟି ମାମଲା ରହିଛି। ମାରପିଟ, ନିଶା କାରବାର, ବଟି ଆଦାୟ, ହତ୍ୟା ଉଦ୍ୟମ, ଗୁଳିଚାଳନା ସହିତ ଦୁଷ୍କର୍ମ ଭଳି ଅନେକ ସଙ୍ଗିନ୍ ମାମଲା ରହିଛି। ପୂର୍ବରୁ ଅନେକ ଥର ସେ ଜେଲ୍ ଯାଇଛି। ଜେଲ୍ରୁ ବାହାରି ପୁଣି ସେ ଅପରାଧ ଘଟାଇ ଚାଲିଥିଲା। କିଛି ମାସ ତଳେ ଜଣେ ଆଦିବାସୀ ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଜେଲ୍ ଯାଇଥିଲା ବୋଲି ଅତିରିକ୍ତ ଏସ୍ପି କହିଛନ୍ତି। ସାମଦର ଭାଇ ନାମରେ ବି ଅନେକ ମାମଲା ରହିଥିବା ଶ୍ରୀ ବାରିକ ସୂଚନା ଦେଇଛନ୍ତି।