ଭୁବନେଶ୍ବର: ରାଜ୍ୟର ଆଉ ଜଣେ ଓମିକ୍ରନ ସଂକ୍ରମିତ ସୁସ୍ଥ ହୋଇଥିବା ଜଣାଯାଇଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ମୋଟ ୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଣେ ରାଜ୍ୟରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୬୧ରେ ପହଞ୍ଚିଛି।
ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଛି। କୋଭିଡ-୧୯ର ନୂଆ ଭାରିଆଣ୍ଟ ‘ଓମିକ୍ରନ୍’ ରାଜ୍ୟବାସୀଙ୍କର ଚିନ୍ତା ବଢ଼ାଇଛି। ଏବେ ରାଜ୍ୟରେ ପୁଣି ୨୪ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଇଏଲ୍ଏସ୍ ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଏହି ସୂଚନା ଦିଆଯାଇଛି। ନୂଆକରି ଚିହ୍ନଟ ହୋଇଥିବା ଓମିକ୍ରନ୍ ସଂକ୍ରମିତଙ୍କ ମଧ୍ୟରେ ୫ ଜଣଙ୍କର ଅନ୍ତର୍ଜାତୀୟ ଟ୍ରାଭେଲ୍ ହିଷ୍ଟ୍ରି ଥିବାବେଳେ, ଆଉ ୧୯ ଜଣ କମ୍ୟୁନିଟି ସାମ୍ପୁଲରୁ ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ରହିଛି । ତେବେ ମୋଟ ୨୧୮ ନମୁନା ପରୀକ୍ଷଣରୁ ଏହି ପଜିଟିଭ୍ ଚିହ୍ନଟ ହୋଇଥିବା ଆଇଏଲଏସ୍ ସୂଚନା ଦେଇଛି । ଡିସେମ୍ବର ୨୧ରେ ରାଜ୍ୟରେ ପ୍ରଥମ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେମାନେ ନାଇଜେରିଆ ଏବଂ କତାରରୁ ଫେରିଥିଲେ। ଏହାକୁ ମିଶାଇ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୬୧ରେ ପହଞ୍ଚିଛି।