ଭୁବନେଶ୍ବର: ଉପକୂଳ ରାଜପଥ ନିର୍ମାଣରେ ପୁଣି କେଁ ପଶିଛି। ଦଶନ୍ଧିରୁ ଅଧିକ ସମୟ ବିତି ଯାଇଥିଲେ ହେଁ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି। ଜାତୀୟ ରାଜପଥ କତ୍ତୃର୍ପକ୍ଷ (ଏନ୍ଏଚ୍ଏଆଇ) ଡାକିଥିବା ୪ଟି ପ୍ୟାକେଜ୍ର ଟେଣ୍ଡର ଖୋଲିବା ତାରିଖ ମେ ୨୩ ଥିବା ବେଳେ ଗୋଟିଏ ଦିନ ପୂର୍ବରୁ ସମସ୍ତ ଟେଣ୍ଡରକୁ ପ୍ରଶାସନିକ କାରଣ ଦର୍ଶାଇ ବାତିଲ କରି ଦିଆଯାଇଛି। ଯାହାକୁ ନେଇ ଓଡ଼ିଶାରେ ଉପକୂଳ ରାଜପଥ ନିର୍ମାଣକୁ ନେଇ ଅନିଶ୍ଚିତତା ଦେଖା ଦେଇଛି। ବାରମ୍ବାର ନକ୍ସା ପରିବର୍ତ୍ତନ ଏବଂ ନାନା ବାଦବିବାଦ ପରେ ଖୋର୍ଦ୍ଧା ଜିଲ୍ଲା ବଡ଼ପୋଖରୀଆରୁ କେନ୍ଦ୍ରାପଡ଼ା ଜିଲ୍ଲା ମଶାକଣି ପର୍ଯ୍ୟନ୍ତ ୧୬୩ କିମି ରାଜପଥ ନିର୍ମାଣ ପାଇଁ ଗତ ଜାନୁଆରି ୮ରେ ଟେଣ୍ଡର ଡକାଯାଇଥିଲା। ରାମେଶ୍ବରରୁ ପୁରୀ ୪୭ କିମି, ପୁରୀରୁ କାକଟପୁର ୪୨ କିମି, କାକଟପୁରରୁ ଏରସମା ୪୮ କିମି ଏବଂ ଏରସମାରୁ ୨୬ କିମି ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା। ସମସ୍ତ ପ୍ରକ୍ରିୟା ଶେଷ କରି ଏପ୍ରିଲରୁ କାମ ଆରମ୍ଭ ହେବା କଥା। ହେଲେ ଟେଣ୍ଡର ଖୋଲିବା ତାରିଖକୁ ୪ ଥର ବଢ଼ାଇବା ପରେ ଆଜି ବାତିଲ କରାଯାଇଛି।
ସମସ୍ତ ୪ ପ୍ୟାକେଜ୍ର ଟେଣ୍ଡର ବାତିଲ
୧୦ ବର୍ଷ ବିତିଲା, ଆରମ୍ଭ ହୋଇପାରୁନି
ଏଯାଏଁ ମିଳିନି ପରିବେଶ ମଞ୍ଜୁରି
ଉପକୂଳ ରାଜପଥ ନିର୍ମାଣ ପାଇଁ ଅଧିଗୃହୀତ ହେବାକୁ ଥିବା ୫୩ଟି ଗାଁର ୨୫୦ ହେକ୍ଟର ଜମିର ତଥ୍ୟ ରାଜସ୍ବ ବିଭାଗ ଦେଇପାରୁନାହିଁ। ତେଣୁ ପରିବେଶ ମଞ୍ଜୁରି ମିଳିପାରୁ ନାହିଁ। ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ଯାଉଥିବା ରାଜପଥର ଜମିର ତଥ୍ୟ ଦେବାକୁ ଏନ୍ଏଚ୍ଏଆଇ ରାଜସ୍ବ ବିଭାଗକୁ ଅବଗତ କରିଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ବ୍ରହ୍ମଗିରି, ଗୋପ, କାକଟପୁର, ଏରସମା, କୁଜଙ୍ଗ, ମହାକାଳପଡ଼ା, ପଟ୍ଟାମୁଣ୍ଡାଇର ପ୍ରାୟ ୨୫୦ ହେକ୍ଟର ଜମିର ଖାତାଖତିୟାନ ରାଜସ୍ବ ବିଭାଗ ଦେଇ ପାରିଲା ନାହିଁ। ଏନେଇ ଏନ୍ଏଚ୍ଏଆଇ ପକ୍ଷରୁ ୪ ମାସ ତଳେ ସରକାରଙ୍କୁ ଅବଗତ କରାଯାଇଥିଲା। ଜଗତସିଂହପୁର, ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ଏନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ରେକର୍ଡ ରୁମ୍ରେ ୧୯୮୦ ମସିହା ପୂର୍ବର ରେକର୍ଡ ନଥିବା ଦର୍ଶାଇ ଚୁପ୍ ବସିଛନ୍ତି ସଂପୃକ୍ତ ତହସିଲ ଅଧିକାରୀ। କିଛି ଦିନ ତଳେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଆଲୋଚନା କରିବା ସହ ତୁରନ୍ତ ସମସ୍ୟାର ସମାଧାନ କରିବା ପାଇଁ ରାଜସ୍ବ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏଯାଏଁ ସମାଧାନର ବାଟ ବାହାରି ପାରିନାହିଁ।
ଅନ୍ୟପଟେ ଏନ୍ଏଚ୍ଆଇ ଅନ୍ୟକୁ ଦୋଷ ଦେଇ ନିଜ ତ୍ରୁଟି ଲୁଚାଇବାକୁ ଉଦ୍ୟମ କରୁଛି। କାରଣ, ଏ ପର୍ଯ୍ୟନ୍ତ ପ୍ରକଳ୍ପର ଡିଜାଇନ ଓ ପ୍ଲାନ୍କୁ ବିଭାଗ ପକ୍ଷରୁ ଅନୁମୋଦନ କରାଯାଇନାହିଁ। ଦିଲ୍ଲୀରେ ଫାଇଲ୍ ପଡ଼ିଛି। କ୍ୟାବିନେଟ ମଞ୍ଜୁରି ପାଇଁ ଏପର୍ଯ୍ୟନ୍ତ ଏନ୍ଏଚ୍ଏଆଇ କ୍ୟାବିନେଟ୍ ପାଖରେ ଦାଖଲ କରିନାହିଁ। କେବେ ଏହି ୪ ଥାକିଆ ଗ୍ରିନ୍ଫିଲ୍ଡ ଉପକୂଳ ରାଜପଥ କାମ ଅରମ୍ଭ ହେବ ତାହା ଅନିଶ୍ଚିତତା ଭିତରେ ରହିଛି। ଏନେଇ ଏନ୍ଏଚ୍ଏଆଇ ଓଡ଼ିଶା ମୁଖ୍ୟ ବୀରେନ୍ଦ୍ର ସିଂଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।