ବ୍ରହ୍ମପୁର/ବସ୍ତା-୨: ପୁଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରୀରେ କ୍ରାଇମବ୍ରାଞ୍ଚ ପୁଣି ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ବାଲେଶ୍ବର ସିଂଲା ଥାନା ନାବରା ଗାଁର ଅରବିନ୍ଦ ଦାସ। ଏସ୍ଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତିରେ ଅରବିନ୍ଦଙ୍କ ସଂପୃକ୍ତି ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିବା ପରେ ତାଙ୍କୁ ଗିରଫ କରିବାକୁ ବାଲେଶ୍ୱର ଏସ୍ପି ପ୍ରତ୍ୟୁଷ ଦିବାକରଙ୍କ ସହ ଯୋଗାଯୋଗ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍।
ଆଜି ବସ୍ତା ପୁଲିସ ପ୍ରଥମେ ଅରବିନ୍ଦଙ୍କ ପୈତୃକ ଘର ନାବରାରେ ଚଢ଼ଉ କରିଥିଲା। ହେଲେ ସେଠାରେ ତାଙ୍କୁ ନ ପାଇ ଜଳେଶ୍ବର ରାଜପୁର ଗ୍ରାମରୁ ଧରିଥିଲା। ଅରବିନ୍ଦ ସିଧାସଳଖ ଆଶାୟୀଙ୍କ ପାଖରୁ ଟଙ୍କା ନେଇଥିଲେ ନା ଦଲାଲଙ୍କ ପାଇଁ ପରୀକ୍ଷାର୍ଥୀ ଯୋଗାଡ଼ କରୁଥିଲେ, ସେ ବାବଦରେ କ୍ରାଇମବ୍ରାଞ୍ଚ ଖୋଳତାଡ଼ ଜାରି ରଖିଛି। ଗିରଫ ପରେ ତାଙ୍କୁ ବ୍ରହ୍ମପୁର ଜେଏମ୍ଏଫ୍ସି କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ନିକଟରୁ କିଛି ଆପତ୍ତିଜନକ ନଥିପତ୍ର ମଧ୍ୟ ଜବତ କରାଯାଇଛି। ଗତକାଲି ଭୁବନେଶ୍ବର ବାରଙ୍ଗ ଥାନା ଅଞ୍ଚଳର ବିଶ୍ବରଞ୍ଜନ ବେହେରାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲାବେଳେ ଆଜି ଅରବିନ୍ଦଙ୍କୁ ମିଶାଇ ଗିରଫ ସଂଖ୍ୟା ୧୧୯ରେ ପହଞ୍ଚିଛି। ସେହିପରି କ୍ରାଇମବ୍ରାଞ୍ଚ ଆଜି ପୋଲସରା ପୋଷ୍ଟ ଅଫିସ ପାଖରେ ରହୁଥିବା ଗୁପ୍ତରଞ୍ଜନ ନାୟକଙ୍କୁ ଅଟକ ରଖି ଜେରା କରୁଛି। ଗୁପ୍ତରଞ୍ଜନ ସ୍ଥାନୀୟ ଷଣ୍ଢ ସାହି-ଶ୍ରୀରାମନଗରଠାରେ ଏକ କମ୍ପ୍ୟୁଟର ଇନ୍ଷ୍ଟିଚ୍ୟୁଟ୍ ଚଳାଉଥିଲେ। ସେଠାରେ ପୁଲିସ ଏସ୍ଆଇ ପରୀକ୍ଷା ଲାଗି ସେଣ୍ଟର କରାଯାଇଥାନ୍ତା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/10/06/dgdagdgda-2025-10-06-02-17-44.jpg)