କାଶୀପୁର କଲେରା ମୃତ୍ୟୁ ସଂଖ୍ୟା ୧୨ ଛୁଇଁଲା; ୨୪ ଘଣ୍ଟାରେ ୨ ଜଣଙ୍କ ମୃତ୍ୟୁ, ଗ୍ରାମବାସୀ ଭୟଭୀତ

୨୫ ଦିନରେ ବ୍ଲକରେ ଆଖି ବୁଜିଲେଣି ୩୭ ଜଣ

ରାୟଗଡ଼ା/କାଶୀପୁର: ମେଡ଼ିକାଲ୍ ନେବା ପାଇଁ ମିଳିଲାନି ଆମ୍ବୁଲାନସ୍। ଫଳରେ ରୋଗଶର୍ଯ୍ୟାରେ ଛଟପଟ ହୋଇ ଚାଲିଗଲା କଲେରା ଆକ୍ରାନ୍ତଙ୍କ ଜୀବନ। ମୃତକ ଟିକିରି ପଞ୍ଚାୟତ ଜାମୁଗୁଡ଼ା ଗ୍ରାମର ସୁନି ମାଝି (୬୦)। ଠିକ୍ ସମୟରେ ମେଡ଼ିକାଲକୁ ସ୍ଥାନାନ୍ତର ନ ହୋଇ ପାରିବା କାରଣରୁ ସୁନିଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ସେପଟେ ଝାଡ଼ାବାନ୍ତିରେ ଆକ୍ରାନ୍ତ ପାନବନ୍ଧ ଗ୍ରାମର ବୁଟି ମାଝିଙ୍କ ମଧ୍ୟ ଆଜି ସକାଳେ ମୃତ୍ୟୁ ହୋଇଛି। ୨୪ ଘଣ୍ଟାରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଗ୍ରାମବାସୀ ଭୟଭୀତ ହୋଇ ପଡିଛନ୍ତି।

ଝାଡ଼ାବାନ୍ତିରେ ଆକ୍ରାନ୍ତ ବୃଦ୍ଧା ସୁନି ମାଝି ମଙ୍ଗଳବାର ରାତିରେ ଗୁରୁତର ହୋଇ ପଡିଥିଲେ। ପୁଅ ପିଡିତା ମାଝି ମାକୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ପାଇଁ ଆମ୍ବୁଲାନସ୍ ଟିମ୍ ସହ ଯୋଗାଯୋଗ କରିଥିଲେ। କିନ୍ତୁ ରାତିରେ ନୁହେଁ, ସକାଳେ ଆମ୍ବୁଲାନସ୍ ଯିବ ବୋଲି କହିବା ପରେ ନିରୁପାୟ ହୋଇ ପଡିଥିଲେ ପିଡିତା ମାଝି। ବହୁ କଷ୍ଟରେ ଏକ ଅଟୋ ଭଡ଼ା କରି ମେଡ଼ିକାଲ୍ ନେବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବୁଧବାର ଭୋରରେ ସୁନିଙ୍କ ମୃତ୍ୟୁ ହୋଇଥିଲା। ସୁନିଙ୍କ ମୃତ୍ୟୁ ପରେ ପରିବାର ଲୋକ ଦୁଃଖରେ ମିୟମ୍ରାଣ ହୋଇ ପଡିଥିବା ବ‌େଳେ ଗ୍ରାମବାସୀ ଭୟଭୀତ ହୋଇ ପଡିଛନ୍ତି। ଗତକାଲି ପେଟ ବ୍ୟଥା କାରଣରୁ ମୃତ ସୁନି ସ୍ବାସ୍ଥ୍ୟ ବିଭାଗର ମୋବାଇଲ୍ ହେଲଥ୍ ୟୁନିଟ୍ ଟିମ୍ ନିକଟରୁ ମେଡ଼ିସିନ୍ ନେଇଥିଲେ। ବିଳମ୍ବିତ ରାତିରେ ଝାଡ଼ା ସହ ବାନ୍ତି ହେବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା।

ସେହିପରି ଟିକିରି ପଞ୍ଚାୟତ ପାନବନ୍ଧ ଗ୍ରାମର ବୁଟି ମାଝି ଅନୁରୂପ ଭାବେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଗ୍ରାମବାସୀ କହିଛନ୍ତି। ଗୋଟିଏ ଦିନରେ ଦୁଇ ଆକ୍ରାନ୍ତଙ୍କ ମୃତ୍ୟୁ ପରେ କଲେରା ମୃତ୍ୟୁ ସଂଖ୍ୟା ୧୨ରେ ପହଞ୍ଚିଛି। ମୃତ୍ୟୁ ସହ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ତାଳ ଦେଇ ବଢ଼ି ଚାଲିଛି। ମଙ୍ଗଳବାର ୨୯୭ ଗାଁକୁ ସ୍ବାସ୍ଥ୍ୟ ବିଭାଗ ଅନୁଧ୍ୟାନରେ ରଖିଥିବା ବେଳେ ଆଜି ଏହି ସଂଖ୍ୟା ୩୧୮ରେ ପହଞ୍ଚିଛି। ସରକାରୀ ଭାବେ ଆଜି ସୁଦ୍ଧା ୧୪୭ ଆକ୍ରାନ୍ତ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। କିନ୍ତୁ ବେସରକାରୀ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ରୁ ଉର୍ଧ୍ବ ଟପିଲାଣି। ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଟିକିରି, କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଡଙ୍ଗାସିଲ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଏବଂ ଉତ୍କଳ ଆଲୁମିନା ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୯୮ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪୦ ଚିକିତ୍ସାଧୀନ ଅଛନ୍ତି। କାଶୀପୁର ବ୍ଲକର ୧୦ଟି ଗ୍ରାମ ଦୁଡୁକାବାହାଲ, ଗୋବରଘାଟି, କୁମୁରୁଝୋଡି, କାକୁଡିପଦର, ପାଞ୍ଚାଳି, କପାଡଙ୍ଗ, ଡେଙ୍ଗାଗୁଡା, ଟିକିରି ଝଡିଆସାହି, କୋରାପୁଟ ସାହି, ଜାମୁଗୁଡା ଗ୍ରାମରେ କଲେରା ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିବାରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଶେଷ ଧ୍ୟାନ ଦିଆଯାଇଛି ।

ଜୁଲାଇ ୨ରୁ ୨୭ ତାରିଖ ମଧ୍ୟରେ କାଶୀପୁର ବ୍ଲକ ଅଞ୍ଚଳରେ ମୋଟ ୩୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯ ଜଣଙ୍କ କଲେରାରେ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି। ଅନ୍ୟ ମୃତକ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଏବଂ ବୟସାଧିକ କାରଣରୁ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ କହିଛି। ସ୍ୱାସ୍ଥ୍ୟ ବିଭାଗ ନଜରରେ ଥିବା ୩୧୮ ଗ୍ରାମରୁ ୨୮୯ ଗ୍ରାମରେ ବିଶୋଧନ ପ୍ରକ୍ରିୟା ଶେଷ ହୋଇଛି।

ସମ୍ବନ୍ଧିତ ଖବର