ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ବୁଢ଼ାପାଳ ପଞ୍ଚାୟତ ତିଲେଇପଶି ଗୁଦୁରାସାହିରେ ଜିତୁ ମାହାରଙ୍କ ପତ୍ନୀ ପୂଜା ମାହାର (୩୦)ଙ୍କୁ ହାତୀ ଦଳି ଦେଇଛି। ଏହି ପରିବାର ଘରେ ଶୋଇଥିବାବେଳେ ଗତକାଲି ବିଳମ୍ବିତ ରାତି ପ୍ରାୟ ଅଢ଼େଇଟା ସମୟରେ ହାତୀଟି ଘର କାନ୍ଥ ଭାଙ୍ଗି ପୂଜାଙ୍କୁ ଟାଣି ନେଇ ଦଳି ଦେଇଥିଲା। କାନ୍ଥ ପଡ଼ି ଜିତୁ ଓ ତାଙ୍କ ଦୁଇ ପୁଅ ଗୁରୁତର ହୋଇଛନ୍ତି। ଜିତୁଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏବଂ ଦୁଇ ପୁଅ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

Advertisment

ଘର ଭାଙ୍ଗି ମହିଳାଙ୍କୁ ଟାଣିନେଇ ଦଳିଦେଲା
 କାନ୍ଥ ପଡ଼ି ବାପା,୨ ପୁଅ ଗୁରୁତର

ସୂଚନା ଅନୁସାରେ ଗତକାଲି ଉକ୍ତ ଅଞ୍ଚଳରେ ହାତୀପଲ ଆସି କ୍ଷୟକ୍ଷତି କରୁଥିଲେ। ବନ ବିଭାଗ ଆସି ଘଉଡ଼ାଇଥିଲା। ସମସ୍ତ ହାତୀ ପଳାଇ ଥିବା ବେଳେ ଏହି ଦନ୍ତାଟି ବିଳମ୍ବିତ ରାତିରେ ଗାଁ ଭିତରକୁ ପଶି ଏଭଳି କାଣ୍ଡ ଘଟାଇଛି।  ପରିବାରର ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଆସି ହାତୀକୁ ଘଉଡ଼ାଇଥିଲେ। କୁଣ୍ଢେଇଗୋଳା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ବନ ବିଭାଗ ଅଧିକାରୀ ପହଞ୍ଚି ତଦନ୍ତ କରିଛନ୍ତି। ପୂର୍ବରୁ ଗତ ଜାନୁଆରି ୧୪ରେ କୁଣ୍ଢେଇଗୋଳା ଫରେଷ୍ଟ ରେଞ୍ଜ ଚଢ଼େଇମରା ପଞ୍ଚାୟତ ଅନ୍ତର୍ଗତ ସଙ୍ଘାପଶି ଗ୍ରାମରେ ଦନ୍ତା ଆକ୍ରମଣରେ ଦିଗମ୍ବର ବେହେରାଙ୍କ ପତ୍ନୀ କୁନି ବେହେରା(୫୦)ଙ୍କ ମୃତ୍ୟୁ ଘଟିଥିଲା।