ଭୁବନେଶ୍ବର : ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଦାମ୍ପତ୍ୟ କଳହ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ସୋସିଆଲ ମିଡିଆରେ ଦୁହେଁ ଦୁହିଁଙ୍କୁ ବଦାନମ୍ କରିବା ପାଇଁ କୌଣସି ଗୋଟିଏ ବି ସୁଯୋଗ ହାତଛଡ଼ା କରୁନାହାନ୍ତି। ଅନୁଭବ କେବେ ଭିଡିଓ କରି ବର୍ଷାଙ୍କୁ ଘରୁ ବାହାରିଯିବାକୁ ନେହୁରା ହେଉଛନ୍ତି ତ କେତେବେଳେ ସ୍ବାମୀ ଡାକିବା ବନ୍ଦ କରିବାକୁ କହୁଛନ୍ତି। ଏପରିକି ବର୍ଷା କେବଳ ମିଛ କହୁଛନ୍ତି ଓ ତାଙ୍କର ଡାକ୍ତରୀ ପରୀକ୍ଷା, ପଲିଗ୍ରାଫ୍ ପରୀକ୍ଷା ଏବଂ ଫୋରେନସିକ୍ ଲ୍ୟାବ୍ ପରୀକ୍ଷା କରାଯାଉ ବୋଲି କହି ସର୍ବସାଧାରଣରେ ତାଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି।
ସେହିପରି ଭିସାଠାରୁ ଆରମ୍ଭ କରି ମାଟ୍ରିକ୍ ସାର୍ଟିଫିକେଟ୍, ଆଧାର କାର୍ଡରେ ବର୍ଷାଙ୍କ ଭିନ୍ନ ଭିନ୍ନ ନାଁ, ଠିକଣା ଥିବା କହିଛନ୍ତି। ଏପରି କହି ସେ ବର୍ଷାଙ୍କୁ ଫର୍ଜି ବୋଲି ଦର୍ଶାଇବାକୁ ଚେଷ୍ଟା କରୁଛନ୍ତି। ଆଜି ଅନୁଭବ ପୁଣି ବର୍ଷାଙ୍କ ଆକାଉଣ୍ଟ ସବୁ ଫର୍ଜି ବୋଲି କହିଛନ୍ତି। ଅନୁଭବ ଆଜି ନିଜ ଫେସ୍ବୁକ୍ ଆକାଉଣ୍ଟରେ ଲେଖିଛନ୍ତି ଯେ ବର୍ଷା, ଫ୍ୟାନ୍ସ କ୍ଲବ୍ ଭଳି ଅନେକ ଫେକ୍ ଆକାଉଣ୍ଟ କରିଛନ୍ତି। ସେ ସବୁ ଆକାଉଣ୍ଟରୁ ତାଙ୍କୁ ଏବଂ ସତ୍ୟକୁ ସାମ୍ନା କରୁଥିବା ବା ତାଙ୍କୁ ସମର୍ଥନ କରୁଥିବା ପ୍ରଶଂସକଙ୍କୁ ଅଶ୍ଳୀଳ ଗାଳିଗୁଲଜ କରୁଛନ୍ତି। ତାହାର ସ୍କ୍ରିନ୍ସଟ୍ଗୁଡ଼ିକୁ ମଧ୍ୟ ସେ ପୋଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ, ସୋସିଆଲ ମିଡିଆରେ ବାରମ୍ବାର ବର୍ଷାଙ୍କୁ ଟାର୍ଗେଟ୍ କରି ଅନୁଭବ ତାଙ୍କ ଚରିତ୍ର ସଂହାର କରୁଥିବାରୁ ବର୍ଷା ପ୍ରଥମେ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ। ଏମିତିକି ଗତ ବୁଧବାର ଦିନ ସାଇବର ଥାନାର ମଧ୍ୟ ଦ୍ବାରସ୍ଥ ହୋଇଥିଲେ। ଆଜି ପୁଣି ବର୍ଷାଙ୍କୁ ଫର୍ଜି ବୋଲି କହି ସମାଲୋଚନା କରିଛନ୍ତି। ଏହାକୁ ନେଇ ବର୍ଷାଙ୍କ ପ୍ରଶଂସକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେଉଛି।