ନ୍ୟାୟ ନ ପାଇ ଆଉ ଜଣେ ଦୁଷ୍କର୍ମ ପୀଡ଼ିତା ନାବାଳିକାଙ୍କ ଆତ୍ମହତ୍ୟା

ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ପରିବାର
ଫେରାର ହୋଇ ଯାଇଥିଲା ଅଭିଯୁକ୍ତ
ମାମଲା ରୁଜୁ କରି ଚୁପ୍‌ ବସିଥିଲା ପୁଲିସ
ଗାଁରେ ଉତ୍ତେଜନା

ବାଲୁଗାଁ/ବାଣପୁର : କୋରାପୁଟ ଜିଲ୍ଲା କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ସାରା ରାଜ୍ୟରେ ନିଆଁ ଥମି ନଥିବା ବେଳେ ଆଜି ସ୍ଥାନୀୟ ଅଞ୍ଚଳରେ ଆଇ ଜଣେ ନାବାଳିକା ଅନୁରୂପ ଭାବେ ନ୍ୟାୟ ନପାଇବାରୁ ଆତ୍ମହତ୍ୟା କରିଛନ୍ତି। ନାବାଳିକା ଜଣଙ୍କୁ ସେହି ଗ୍ରାମର ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୁକ୍ତ ଜଣଙ୍କ ଫେରାର ଥିବା ବେଳେ ପୁଲିସର ନିଷ୍କ୍ରିୟତାକୁ ନେଇ ପୀଡ଼ିତା ଜଣଙ୍କ ନିରାଶ ହେବା ପରେ କୀଟନାଶକ ଖାଇ ଏପରି କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଘଟଣାଟି ପ୍ରଘଟ ହେବାମାତ୍ରେ ପୀଡ଼ିତାଙ୍କ ଗ୍ରାମରେ ଉତ୍ତେଜନା ସୃଷ୍ଟି ହୋଇଛି।

ଅଭିଯୋଗ ଅନୁସାରେ ବାଣପୁର ଥାନାର ତୁମୁରାପୁଟ ପଞ୍ଚାୟତ ଅନ୍ତର୍ଗତ ଗୋଟିଏ ଗ୍ରାମର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ସେହି ଗ୍ରାମର ଭାବି ପଲାଇଙ୍କ ପୁଅ ନିମେଇ ପଲାଇ (୨୨) ଏକତରଫା ଭାବେ ପ୍ରେମ କରି ଆସୁଥିଲା। ବାରମ୍ବାର ପ୍ରେମ ନିବେଦନ କରି ନିମେଇ ହତାଶ ହୋଇ ପଡ଼ିଥିଲା। ଡିସେମ୍ବର ୩୧ ତାରିଖ ରାତି ୧୧ଟା ସମୟରେ ପରିଶ୍ରା କରିବା ପାଇଁ ବାଡ଼ିପଟକୁ ଯିବା ବେଳେ ଅଭିଯୁକ୍ତ ନିମେଇ ତାକୁ ଜୋର ଜବରଦସ୍ତ ଟେକି ନେଇ ଦୁଷ୍କର୍ମ କରିଥିଲା। ଏ ସମ୍ପର୍କରେ ନାବାଳିକାଙ୍କ ବାପା ଗ୍ରାମବାସୀଙ୍କୁ ଜଣାଇଥିଲେ। ମାତ୍ର ନିମେଇ ଗ୍ରାମବାସୀଙ୍କ କଥାକୁ ପ୍ରତ୍ୟାଖ୍ୟାନ କରିଥିଲା। ବାଧ୍ୟ ହୋଇ ନାବାଳିକାର ବାପା ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଥିଲା। ବାଣପର ପୁଲିସ କେସ୍‌ ନମ୍ବର-୦୨/୨୦୧୮ରେ ଏକ ମାମଲା ରୁଜୁ କରି ଚୁପ ରହିଥିଲା।

ବାଣପୁର ପୁଲିସର ନିଷ୍କ୍ରିୟତାର ସୁଯୋଗ ନେଇ ଅଭିଯୁକ୍ତ ନିମେଇ ଖୁଲମ୍‌ଖୋଲା ବୁଲୁଥିଲା। ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କରି ନାବାଳିକାର ପରିବାର ହତାଶ ହୋଇ ପଡ଼ିଥିଲେ। ସେହି ଦିନଠାରୁ ନାବାଳିକ ଜଣକ ଘରେ ଲୁଚି ରହିଥିବା ବେଳେ ସାହି ପଡ଼ିଶାଙ୍କ ଟାହି ଟାପରା ତାଙ୍କୁ ବ୍ୟଥିତ କରିଥିଲା। ସମ୍ଭବତଃ ଲୋକଲଜ୍ଜା କାରଣରୁ ଏବଂ ନ୍ୟାୟରୁ ବଞ୍ଚିତ ହୋଇ ନାବାଳିକା ଜଣଙ୍କ ଆଜି ଅପରାହ୍ଣ ପ୍ରାୟ ୨ଟାରେ ଘରେ ଥିବା କୀଟନାଶକ ଖାଇ ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାଣପୁର ମେଡିକାଲ ଓ ପରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହକୁ ଆଣି ପରିବାରବର୍ଗ ସନ୍ଧ୍ୟାରେ ଗ୍ରାମରେ ପହଞ୍ଚିବା ପରେ ଏକ ଉତ୍ତେଜନା ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର