ପୁଣି ୫୧୦ କୋଟିର ଜିଏସ୍‌ଟି ଠକେଇ : ମାଷ୍ଟରମାଇଣ୍ଡ୍‌ ସନ୍ଦୀପ ମହାନ୍ତି ଗିରଫ

ଜାଲ୍ ବିଲ୍ ଜରିଆରେ ଠକୁଥିଲା
୨୨ ନକଲି ସଂସ୍ଥା ସୃଷ୍ଟି କରିଥିଲା
ଆଉ ଥରେ ଠକେଇ କରିବା ପୂର୍ବରୁ ଧରାପଡ଼ିଲା

କଟକ : ନକଲି ବ୍ୟବସାୟିକ ସଂସ୍ଥା ସୃଷ୍ଟି କରିବା, ସେହି ସଂସ୍ଥା ନାମରେ ଜାଲ୍‌ ବିଲ୍‌ ବାହାର କରି ଇନ୍‌ପୁଟ୍‌ ଟ୍ୟାକ୍ସ କ୍ରେଡିଟ୍ (ଆଇଟିସି) ହାତେଇଥିବା ଜଣେ ଠକକୁ ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସ‌ମେଣ୍ଟ୍‌ ଶାଖା ଗତକାଲି ରାତିରେ ଗିରଫ କରିଛି। ଏହି ସହିତ ୫୧୦.୨୮ କୋଟି ଟଙ୍କା ମୂଲ୍ୟର ଜାଲ୍ ବିଲ୍‌ ରୢାକେଟ୍‌ର ପର୍ଦାଫାସ ହୋଇଛି। ଏହି ଠକେଇର ମାଷ୍ଟର ମାଇଣ୍ଡ ହେଉଛି ସନ୍ଦୀପ ମହାନ୍ତି।

ଅତି ଚତୁରତାର ସହ ସନ୍ଦୀପ ଜାଲ୍ କଂପାନି ସୃଷ୍ଟି କରୁଥିଲା। ସେହି କଂପାନିଗୁଡ଼ିକ ନାମରେ ଜାଲ୍ ବିଲ୍‌ ସୃଷ୍ଟି କରି ଇନ୍‌ପୁଟ୍ କ୍ରେଡିଟ୍ ହାତଉଥିଲା। ସେ ୨୨ଟି ନକଲି କଂପାନି ଗଠନ କରି ୧୬୬ କୋଟି ଟଙ୍କାର ଜାଲ୍ କିଣା ବିଲ୍ ପ୍ରସ୍ତୁତ କରି ୨୭.୧୧ କୋଟି ଟଙ୍କାର ଇନ୍‌ପୁଟ୍‌ କ୍ରେଡିଟ୍ ହାସଲ କରିଥିଲା। ସେହି ସମାନ ଢଙ୍ଗରେ ସେ ୩୪୪ କୋଟି ଟଙ୍କା ଜାଲ୍ କିଣା ବିଲ୍ ମାଧ୍ୟମରେ ୬୧.୬୯ କୋଟି ଟଙ୍କା ଇନ୍‌ପୁଟ୍ କ୍ରେଡିଟ୍ ରାଜ୍ୟ ତଥା ରାଜ୍ୟ ବାହାର ବ୍ୟବସାୟୀଙ୍କୁ ହସ୍ତାନ୍ତର କରିଛି। ପୁଣି ଥରେ ନକଲି ସଂସ୍ଥା ସ୍ଥାପନ କରି ଇନ୍‌ପୁଟ୍ ଟ୍ୟାକ୍ସ କ୍ରେଡିଟ୍ ହଡ଼ପ କରିବା ଯୋଜନା କରୁଥିବା ବେଳେ ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ୍‌ ଶାଖା ହାତରେ ସନ୍ଦୀପ ଧରାପଡ଼ିଛି। ନକଲି ସଂସ୍ଥାଗୁଡ଼ିକର ପଞ୍ଜୀକରଣ ତୁରନ୍ତ ରଦ୍ଦ କରିବା ଲାଗି ଅଧିକାରୀମାନଙ୍କୁ କୁହାଯାଇଛି। ଇନପୁଟ୍‌ ଟ୍ୟାକ୍ସ କ୍ରେଡିଟ୍‌ ହାତେଇବା ବ୍ୟତୀତ ଟିକସ ଫାଙ୍କିବା, ବ୍ୟାଙ୍କ ଋଣ ଦୁର୍ନୀତି, ବେଆଇନ ନଗଦ କାରବାର ଏବଂ ହୱାଲା କାରବାର ଥିଲା ସନ୍ଦୀପର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି ଓଡ଼ିଶା ବାଣିଜ୍ୟକର ଓ ଜିଏସ୍‌ଟି କମିସନର ସୁଶୀଲ କୁମାର ଲୋହାନୀ କହିଛନ୍ତି।

୨୦୨୦ ନଭେମ୍ବରରେ ଏନ୍‌ଫୋର୍ସମେଣ୍ଟ୍‌ ୱିଙ୍ଗ୍‌ ଦ୍ବାରା ତଥ୍ୟ ବିଶ୍ଳେ‌ଷଣ ଓ ଗୁଇନ୍ଦା ସୂତ୍ରକୁ ଆଧାର କରି ରାଜ୍ୟବ୍ୟାପୀ ଚଢ଼ଉ କରାଯାଇଥିଲା। ସେହି ସମୟରେ ସନ୍ଦୀପର ଏହି ଠକାମି ବିଷୟରେ ଜଣାପଡ଼ିଥିଲା। ସେହି ଚଢ଼ଉ ବେଳେ ୧୦୦ରୁ ଅଧିକ ଜାଲ୍ ଏବଂ ଭୂତ ସଂସ୍ଥା ସାମ୍ନାକୁ ଆସିଥିଲା। ସେଗୁଡ଼ିକୁ ଦେବଗଡ଼, ବଲାଙ୍ଗୀର, ଖୋର୍ଦ୍ଧା, ରାଉରକେଲା, ଜଗତସିଂହପୁର, ଢେଙ୍କାନାଳ, ଭୁବନେଶ୍ବର, କଟକ, ପୁରୀ ଆଦି ସ୍ଥାନର ବିଭିନ୍ନ ବେକାର ଯୁବକ, ଗୃହିଣୀ, କୃଷକ, ବରିଷ୍ଠ ନାଗରିକ ଏବଂ ଦିନ ମଜୁରିଆଙ୍କ ନାମରେ ଖୋଲାଯାଇଥିଲା। ଜିଏସ୍‌ଟି ଆଇନରେ ପଞ୍ଜୀକରଣକୁ ନେଇ ଥିବା କୋହଳ ବ୍ୟବସ୍ଥାର ମନଇଚ୍ଛା ଫାଇଦା ଉଠାଇବାକୁ ସେ ପ୍ରୟାସ ଚଳାଇଥିଲା।

ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ୍‌ ଶାଖା ତରଫରୁ ବର୍ତ୍ତମାନ ସୁଦ୍ଧା ୧୭ ଜଣ ଠକଙ୍କୁ ଗିରଫ କରାଯାଇଥିବା ବେଳେ ୫୧୨୦ କୋଟି ଟଙ୍କାର ଜାଲ୍ ବିଲ୍‌ ରୢାକେଟ୍‌ ଧରାପଡ଼ିଛି। ଏହି ରୢାକେଟ୍‌ ମାଧ୍ୟମରେ ୯୭୦ କୋଟି ଟଙ୍କାର ଇନପୁଟ୍‌ ଟ୍ୟାକ୍ସ କ୍ରେଡିଟ୍ ହସ୍ତାନ୍ତର ହୋଇଛି। ଦୁଇଟି ଆର୍ଥିକ ବର୍ଷରେ ରାଜ୍ୟ ଜିଏସ୍‌ଟି ବିଭାଗ ୧୯,୫୩୯ ବ୍ୟବସାୟୀଙ୍କ ପଞ୍ଜୀକରଣ ରଦ୍ଦ କରିଛନ୍ତି।

ସମ୍ବନ୍ଧିତ ଖବର