ଯୋଗାଣ ବିଭାଗର ଆଉ ଏକ କେଳେଙ୍କରୀ: ସରକାରୀ କର୍ମଚାରୀଙ୍କ ସମ୍ପର୍କୀୟ, ଠିକାଦାର ଚଳାଉଛନ୍ତି କଣ୍ଟ୍ରୋଲ ଦୋକାନ

ରାଉରକେଲା : ଯୋଗାଣ ବିଭାଗର ବିବାଦ ଥମୁନି। କେତେବେଳେ ଚାଉଳ, ଗହନ, କିରାସିନ ବଣ୍ଟନକୁ ନେଇ ତ ପୁଣି କେତେବେଳେ ଜାଲ୍‌ କାର୍ଡ ନେଇ ଅକଳରେ ପଡୁଛି ବିଭାଗ। ଦୁର୍ନୀତି କେବଳ ରାଉରକେଲା ସହରରେ ନୁହେଁ। ସୁନ୍ଦରଗଡ, ରାଜଗାଙ୍ଗପୁର, ବୀରମିତ୍ରପୁର ପୌରପାଳିକା ସମେତ ଜିଲ୍ଲାର ପ୍ରତ୍ୟେକ ବ୍ଲକକୁ ଏହାର ଚେର ଲମ୍ବିଛି। ଯୋଗାଣ ବିଭାଗ ଅଧିକାରୀ, କଣ୍ଟ୍ରୋଲ ଦୋକାନୀଙ୍କ ଭିତିରି ସଲାସୁତୁରାରେ ଚାଲିଛି ବ୍ୟାପକ ଜାଲିଆତି।

କରୋନା ଧରାଇଥିଲା ଜିଲ୍ଲାର ଭୂତ ରାସନ କାର୍ଡ। ଏହି ସବୁ କାର୍ଡ ଜରିଆରେ କଣ୍ଟ୍ରୋଲ ଦୋକାନୀମାନେ ବର୍ଷ ବର୍ଷ ଧରି ଉଠାଉଥିଲେ କ୍ବିଣ୍ଟାଲ କ୍ବିଣ୍ଟାଲ ଚାଉଳ, ଗହମ ଓ କିରାସିନ। ଏସବୁରୁ ମିଳୁଥିବା ଲକ୍ଷ ଲକ୍ଷ ଟଙ୍କା ସିଧାସଳଖ ଯାଉଥିବା କଣ୍ଟ୍ରୋଲ ଦୋକାନୀ, ଯୋଗାଣ ବିଭାଗର କରିତକର୍ମା ଅଧିକାରୀ ଓ କର୍ମଚାରୀଙ୍କ ପକେଟ୍‌କୁ। ଜିଲ୍ଲାପାଳ ହସ୍ତକ୍ଷେପ ପରେ ହଜାର ହଜାର ଭୂତକାର୍ଡକୁ ବାତିଲ କରି ଦିଆଯାଇଥିଲା। ଏବେ ଯୋଗାଣ ବିଭାଗ ଆଉ ଏକ କେଳେଙ୍କାରୀ ସାମ୍ନାକୁ ଆସିଛି। ସରକାରୀ ଚାକିରି କରୁଥିବା ବ୍ୟକ୍ତିଙ୍କ ସମ୍ପର୍କୀୟ, ଠିକାଦାର ଲାଇସେନ୍ସ ନେଇଥିବା ବ୍ୟକ୍ତିଙ୍କୁ କଣ୍ଟ୍ରୋଲ ‌ଦୋକାନ ମିଳିବା ସମ୍ପୂର୍ଣ୍ଣ ବେଆଇନ। ସୁନ୍ଦରଗଡ଼ ଜିଲ୍ଲାରେ କିନ୍ତୁ ଏହାର ବହୁ ବ୍ୟତିକ୍ରମ ଦେଖିବାକୁ ମିଳୁଛି।

ରାଉରକେଲା ଆର୍‌ଏମ୍‌ସି ଓ ଇସ୍ପାତ ସହରାଞ୍ଚଳରେ ମୋଟ ୧୬୮ କଣ୍ଟ୍ରୋଲ ଦୋକାନ ରହିଛି। ୧୬୮ କଣ୍ଟ୍ରୋଲ ଦୋକାନୀଙ୍କ ମଧ୍ୟରୁ ପ୍ରାୟ ୧୫ରୁ ଅଧିକ ସରକାରୀ ଚାକିରି କରୁଥିବା ସମ୍ପର୍କୀୟ ଓ ଠିକାଦାର। ଏମାନେ ବର୍ଷ ବର୍ଷ ଧରି ବେଆଇନ ଭାବେ କଣ୍ଟ୍ରୋଲ ଦୋକାନ ଚଳାଇ ଆସୁଥିଲେ ହେଁ ବିଭାଗୀୟ ଅଧିକାରୀ ଏମାନଙ୍କ ଲାଇସେନ୍ସ ବାତିଲ କରୁ ନାହିଁ। କଣ୍ଟ୍ରୋଲ ଦୋକାନ ହାତେଇବା ପୂର୍ବରୁ ଏମାନେ ଯୋଗାଣ ବିଭାଗରେ ଯେଉଁସବୁ କାଗଜପତ୍ର ଦାଖଲ କରିଛନ୍ତି, ଯାଞ୍ଚ କରାଗଲେ ସରକାରୀ କର୍ମଚାରୀଙ୍କ ସମ୍ପର୍କିୟ ଓ ଠିକାଦାରଙ୍କ ଅସଲି ମୁଖା ଖୋଲା ଯାଇପାରନ୍ତା। ସ୍ବାମୀଙ୍କ ନାଁରେ କଣ୍ଟ୍ରୋଲ ଦୋକାନ ରହିଥିଲାବେଳେ ପତ୍ନୀ ନାଁରେ ଠିକାଦାର ଲାଇସେନ୍ସ ରହିଛି। ଭୁଲ୍‌ ତଥ୍ୟ ଦେଇ ବର୍ଷ ବର୍ଷ ଧରି କଣ୍ଟ୍ରୋଲ ଦୋକାନ ଚଳାଇ ଆସୁଥିବା ଠିକାଦାର, ସରକାରୀ କର୍ମଚାରୀ ସମ୍ପର୍କୀୟ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

ରାଉରକେଲା ମହାନଗର ନିଗମରେ ମୋଟ ୬୭ ହଜାର ୯୭୧ ହିତାଧିକାରୀଙ୍କୁ ରାସନ କାର୍ଡ ମିଳିଛି। ଅନୁରୂପ ଭାବେ ରାଜଗାଙ୍ଗପୁର ପୌରପାଳିକାରେ ପ୍ରାୟ ୮, ୬୭୯, ବୀରମିତ୍ରପୁର ପୌରପାଳିକାରେ ପ୍ରାୟ ୬,୪୮୩ ହିତାଧିକାରୀଙ୍କୁ ରାସନ କାର୍ଡ ମିଳିଛି। ନୂଆଗାଁ ବ୍ଲକରେ ପ୍ରାୟ ୨୫, ୮୧୨, ବିଶ୍ରାରେ ପ୍ରାୟ ୧୬,୬୨୫, ଲାଠିକଟାରେ ୨୫,୮୩୯, କୁଆରମୁଣ୍ଡାରେ ୨୪,୫୯୫, ଲହୁଣିପଡାରେ ୨୨,୧୧୭, ସୁନ୍ଦରଗଡ ସଦରରେ ୧୭,୬୦୯, କୋଇଡାରେ୧୭,୬୨୫, ବଣାଇଗଡରେ ୧୫,୮୩୫, ବାଲିଶଙ୍କରାରେ୨୨,୨୯୮, ହେମଗିରିରେ ୨୧,୦୭୨, ବଡଗାଁରେ୧୭,୮୪୭, କୁତ୍ରାରେ ୧୯,୬୦୪, ଲେଫ୍ରିପଡାରେ ୨୨,୧୧୭, ଟାଙ୍ଗରପାଲିରେ ୧୭,୧୪୨, ସବଡେଗାରେ୧୬,୨୯୧, ଗୁରୁଣ୍ଡିଆରେ୪୧୫୯, ରାଜଗାଙ୍ଗପୁରରେ ୨୩,୯୦୯ କାର୍ଡଧାରୀଙ୍କୁ ମାସକୁ ମାସ ଗହମ, ଚାଉଳ, କିରାସିନ ବଣ୍ଟନ କରାଯାଉଛି।

ସମ୍ବନ୍ଧିତ ଖବର