ପୂର୍ତ୍ତ ବିଭାଗର ଆଉ ଏକ କେଳେଙ୍କାରୀ, ପିସି ପାଇଁ ଟେଣ୍ଡର ଖେଳ!

ଯୋଗ୍ୟ ଠିକାଦାରଙ୍କୁ ମିଳିଲାନି ନିର୍ମାଣ କାମ

ରାଉରକେଲା: ରାଉରକେଲା ପୂର୍ତ୍ତ ବିଭାଗରେ ଗୋଟିଏ ପରେ ଗୋଟିଏ କେଳେଙ୍କାରୀ ପଦାକୁ ଆସୁଛି। କେବେ ରାସ୍ତା, ବିଲ୍‌ଡିଂ ମରାମତି ତ ପୁଣି କେତେବେଳେ ବିଲ୍‌ଡିଂ ନିର୍ମାଣରେ ପାଖଲୋକ ଠିକାଦାରଙ୍କୁ କାମ ମିଳୁଛି। ଏହା ପଛରେ ମୋଟା ଅଙ୍କର ପିସି କାରଣ ବୋଲି ଅଭି‌ଯୋଗ ହେଉଛି। ଏବେ ପ୍ରାୟ ଦେଢ଼ କୋଟିରେ ଇଣ୍ଡୋ ଇଂରାଜୀ ମାଧ୍ୟମ ସ୍କୁଲ ଗଳି ଓ ଅନ୍ୟ ଏକ ସ୍ଥାନରେ ନିର୍ମାଣ ହେବାକୁ ଯାଉଥିବା ୟୁପିଏଚ୍‌ସି (ଅର୍ବାନ ପବ୍ଲିକ ହେଲ୍‌ଥ ସେଣ୍ଟର)‌ ଟେଣ୍ଡରରେ ମଧ୍ୟ ଚଞ୍ଚକତା ହୋଇଥିବା ଚର୍ଚ୍ଚା ହେଉଛି। ଇଣ୍ଡୋ ଇଂରାଜୀ ମାଧ୍ୟମ ସ୍କୁଲ ଗଳିରେ ହେବାକୁ ବିଲ୍‌ଡିଂ ନିର୍ମାଣ ପାଇଁ ଟେଣ୍ଡର ହୋଇଥିଲା। ଟେଣ୍ଡର ପ୍ରକ୍ରିୟାରେ ୮ ଜଣ ଠିକାଦାର ଅଂଶଗ୍ରହଣ କରିଥିଲେ। ଆବଶ୍ୟକ କାଗଜପତ୍ର ଭୁଲ ଥିବାରୁ ଜଣେ ଠିକାଦାରଙ୍କୁ ବାଦ୍‌ ଦିଆଯାଇଥିଲା। ଅବଶିଷ୍ଟ ୭ ଠିକାଦାରଙ୍କୁ ଫାଇନାଲ୍‌ସିଆଲ ବିଡ୍‌କୁ ଡକାଯାଇଥିଲା। ସମସ୍ତ ଠିକାଦାର ସମାନ ରେଟ୍‌ ଦେଇଥିଲେ। ଏମାନଙ୍କ ମଧ୍ୟରେ ଥିଲେ ଜଣେ ଆଦିବାସୀ ଜନଜାତିର ଠିକାଦାର। ସରକାରୀ ଗାଇଡ୍‌ ଲାଇନ ଅନୁଯାୟୀ ଆଦିବାସୀ ଜନଜାତିଙ୍କୁ ଏ କ୍ଷେତ୍ରରେ ଅଗ୍ରାଧିକାର ଦିଆଯିବା କଥା। କିନ୍ତୁ ଅନ୍ୟମାନଙ୍କୁ କାମଦେବା ଲକ୍ଷ୍ୟରେ ଇଲେକ୍ଟ୍ରିକାଲ ଲାଇସେନ୍ସ ନବୀକରଣ ହୋଇ ନଥିବା ଦର୍ଶାଇ ଆଦିବାସୀ ଜନଜାତି ଠିକାଦାରଙ୍କୁ ବିଡ୍‌ରୁ ବାଦ୍‌ ଦିଆ ଯାଇଥିଲା। ବିଡ୍‌ରୁ ବାଦ୍‌ ଦିଆଯାଇଥିବା ସଂକ୍ରାନ୍ତରେ ଜଣାଇବାକୁ ଉକ୍ତ ଠିକାଦାରଙ୍କୁ ମେ’ ୯ ତାରିଖରେ ଇସ୍ୟୁ ହୋଇଥିବା ଚିଠିକୁ ଡାକରେ ପଠା ଯାଇଥିବା ବିଭାଗ ପକ୍ଷରୁ ଦାବି କରାଯାଏ। କିନ୍ତୁ ପୂର୍ତ୍ତବିଭାଗରୁ ୯ ତାରିଖରେ ଇସ୍ୟୁ ହୋଇଥିବା ଚିଠି ରାଉରକେଲା ସହରରେ ହିଁ ରହୁଥିବା ଠିକାଦାରଙ୍କ ଘରେ ଏଯାଏ ପହଞ୍ଚିନାହିଁ ବୋଲି ସେ ଅଭିଯୋଗ କରନ୍ତି। ପ୍ରାୟ ୧୧ ଦିନ ପରେ ଅର୍ଥାତ୍‌ ୨୦ରେ ସେ ଜାଣିବାକୁ ପାଇଥିଲେ ଯେ ୧୫ ତାରିଖରେ ଫାଇନାନ୍‌ସିଆଲ୍ ବିଡ୍ ସରି ଯାଇଛି। ସେହି ୨୦ ତାରିଖରେ ଟେକ୍ନିକାଲ ମଞ୍ଜୁରୀ ମିଳିବା ପରେ କାହିଁକି ତାଙ୍କୁ ବିଲ୍‌ଡିଂ ନିର୍ମାଣ କାମରୁ ବାଦ୍‌ ଦିଆଗଲା ଜାଣିବାକୁ ସେ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଏ ଟେଣ୍ଡର ପ୍ରକ୍ରିୟାର ତଦନ୍ତ ପାଇଁ ସେ ମୁଖ୍ୟମନ୍ତ୍ରୀ, ପୂର୍ତ୍ତମନ୍ତ୍ରୀ, ପୂର୍ତ୍ତ ସଚିବ, ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ, ଅନୁସଚିତ ଜାତି ଓ ଜନଜାତି ସଚିବଙ୍କୁ ମଧ୍ୟ ଚିଠି ଲେଖିଥିଲେ। ପୂର୍ତ୍ତବିଭାଗର ସଂପୃକ୍ତ ଅଧିକାରୀ ଏ ସମ୍ପର୍କରେ ଜାଣିବା ପରେ ଭୟରେ ଗତ ମେ ୯ରେ ଇସ୍ୟୁ ହୋଇଥିବା ଚିଠିକୁ ସଙ୍ଗେ ସଙ୍ଗେ ଠିକାଦାରଙ୍କ ୱାଟ୍‌ସଆପ୍‌ ନମ୍ବରକୁ ପଠାଇଥିଲେ। ତେବେ ଠିକ୍ ସମୟରେ ଖବର ପାଇଥିଲେ ଠିକାଦାର ଜଣକ ଇଲେକ୍ଟ୍ରିକାଲ ଲାଇସେନ୍ସରେ ଥିବା ସମସ୍ୟାକୁ ସଜାଡ଼ି ଦେବାର ଭୟରେ ମେ ୯ରେ ଇସ୍ୟୁ ହୋଇଥିବା ଚିଠିକୁ ଜାଣିଶୁଣି ଚାପି ଦିଆଯାଇ ନାହିଁ ତ ? ନିଜ ଲୋକଙ୍କୁ ଠିକା ଦେବାଲାଗି ଇଲେକ୍ଟ୍ରିକାଲ ଲାଇସେନ୍ସ ନବୀକରଣ ଆଳ ଦେଖାଯାଇ ନାହିଁ ତ ? ଏମିତି ଅନେକ ପ୍ରଶ୍ନ ଉଠିବା ସ୍ବଭାବିକ। ଅଧିକାରୀମାନେ ଏସବୁ ମାମଲାରେ ସ୍ବଚ୍ଛତା ଅବଲମ୍ବନ ନକରିବା ପୂରା ବିଭାଗକୁ ବଦନାମ ହିଁ କରୁଛି।

ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପିଲା ପରି ଏମିତି ଗଣ୍ଡା ଗଣ୍ଡା ଅଭିଯୋଗ ରହିଛି। ବିଭାଗର କିଛି ଜେଇ ଓ ଏସ୍‌ଡିଓ ସଲାସୁତରା କରି ସବୁ ଅଭିଯୋଗକୁ ଚାପି ଦେଉଛନ୍ତି। କିଛି ବଡ ଠିକାଦାର ନିଜର କର୍ମଚାରୀଙ୍କ ନାଁରେ କଣ୍ଟ୍ରାକ୍ଟର ଲାଇସେନ୍ସ କରି ନିଜେ ଲୋକ ଲୋଚନକୁ ନଆସି ସେମାନଙ୍କ ନାଁରେ କୋଟି କୋଟି ଟଙ୍କାର କାମ ହାତଉଛନ୍ତି। କୋଏଲନଗର-ଝିରପାଣି ପ୍ରାୟ ଦେଢ଼ କୋଟି ରାସ୍ତା ମରାମତି କାମରେ ଏମିତି ଦୁର୍ନୀତିର ଗନ୍ଧ ବାହାରୁଛି। ସେପଟେ ନିକଟରେ ନିର୍ବାହୀ ଯନ୍ତ୍ରୀ ରାଉରକେଲା ପୂର୍ତ୍ତ ବିଭାଗରେ ୧୦ରୁ ୧୫ ବର୍ଷ ଧରି ରହିଥିବା ଜେଇ ଓ ଏସ୍‌ଡିଓମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨/୩ଜଣଙ୍କ ବଦଳି ପାଇଁ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଚିଠି ଲେଖାଯାଇଛି ବୋଲି କହିଥିଲେ। କିନ୍ତୁ ଏଯାଏଁ ଜଣଙ୍କୁ ହେଲେ ବଦଳି କରାଯାଇ ନାହିଁ। ଅନ୍ୟମାନେ ରାଉରକେଲାରେ ରହିବାକୁ ନିଜ ନିଜର ଲବି ଆରମ୍ଭ କରି ଦେଇଥିବା ଶୁଣିବାକୁ ମିଳୁଛି। ବର୍ଷ ବର୍ଷ ଧରି ନାନା ବିବାଦରେ ବୁଡିଥିବା ରାଉରକେଲା ପୂର୍ତ୍ତ ବିଭାଗର ଜେଇ, ଏସ୍‌ଡିଓମାନଙ୍କୁ ରାଉରକେଲାରୁ ଅନ୍ୟତ୍ର ଯିବାକୁ କାହିଁକି ବିଭାଗୀୟ ଉଚ୍ଚ ଅଧିକାରୀ ପଛଘୁଞ୍ଚା ଦେଉଛନ୍ତି ଏହାକୁ ନେଇ ବିଭିନ୍ନ ମହଲରେ ବେଶ୍‌ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର