ଜିଲ୍ଲା ଯକ୍ଷ୍ମା ବିଭାଗରେ ଆଉ ଏକ କେଳେଙ୍କାରୀ, ନକଲି ସାର୍ଟିଫିକେଟରେ ଚାକିରି

୨୮ ଦିନରେ ନିୟମିତ, ପୁଣି ପଦୋନ୍ନତି

ରାଉରକେଲା: ଜିଲ୍ଲା ସ୍ବାସ୍ଥ୍ୟ ବିଭାଗରେ ଚାଲିଛି ବ୍ୟାପକ ହରିଲୁଟ୍‌। ମେଡିକାଲ ଯନ୍ତ୍ରପାତି କିଣାରେ ବିନିଯୋଗ ହେଉଥିବା ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌)କୁ ବି ମିଳିମିଶି ଚଳୁ କରି ଦିଆଯାଉଛି। ଯକ୍ଷ୍ମା ପରୀକ୍ଷଣ ମେସିନ୍‌ (ଟ୍ରୁ-ନାଟ୍‌), ମା‌ଇକ୍ରୋସ୍ପୋପ୍‌ ଓ ଟ୍ରୁ -ନାଟ୍‌ ମେସିନ୍‌ରେ ବ୍ୟବହୃତ କ୍ୟାଟ୍ରିଜ୍ କିଣାରେ ଦୁର୍ନୀତିର ଗନ୍ଧକୁ ଜାଣିଶୁଣି ଘଣ୍ଟ ଘୋଡାଯାଉଥିବା ଖବର ଚର୍ଚ୍ଚାରେ ଥିବାବେଳେ ଏବେ ଏହି ବିଭାଗର ଆଉ ଏକ କେଳେଙ୍କାରୀ ପଦାକୁ ଆସିଛି। ସରକାରଙ୍କ ନିର୍ଦ୍ଦେଶନାମାକୁ ଫୁଃ କରି ଉଡାଇ ଦେଇଛନ୍ତି କିଛି କରିତକର୍ମା ଅଧିକାରୀ। ବିଭାଗର କିଛି କର୍ମଚାରୀଙ୍କ ଭିତିରି ସଲାସୁତୁରା କରି ନକଲି ଶିକ୍ଷାଗତ ପ୍ରମାଣପତ୍ର ଜରିଆରେ ଜଣେ ଅସ୍ଥାୟୀ ଠିକା ଚୁକ୍ତିଭତ୍ତିକ କର୍ମଚାରୀଙ୍କୁ ନିୟମିତ କରି ଦିଆଯାଇଛି। ତାହା ପୁଣି ମାତ୍ର ୨୮ ଦିନରେ। କେବଳ ନିୟମିତ କରାଯାଇ ନାହିଁ ମାତ୍ର ୨ ବର୍ଷ ଭିତରେ ପଦୋନ୍ନତି ବି ଦିଆଯାଇଛି। କେବଳ ଜଣେ ନୁହେଁ ଏମିତି ଅନେକ ଯୁବକଙ୍କ ସ୍ଥାୟୀ ନିଯୁକ୍ତି ପାଇଛନ୍ତି ଯେଉଁମାନଙ୍କର ଶିକ୍ଷାଗତ ପ୍ରମାଣପତ୍ର ନକଲି ଥିବା ଜଣାପଡିଛି। ନିଯୁକ୍ତି ବେଳେ ଜମା କରିଥିବା ଆବଶ୍ୟକୀୟ ଶିକ୍ଷାଗତ ପ୍ରମାଣପତ୍ର ଓ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ନିଯୁକ୍ତି ସଂକ୍ରାନ୍ତୀୟ ବିଜ୍ଞାପନ, ଚିଠିକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ ହେଲେ ଗୋଟିଏ ପରେ ଗୋଟିଏ କେଳେଙ୍କାରୀ ପଦାକୁ ଆସିପାରନ୍ତା। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଆରମ୍ଭ କରି ରାଜ୍ୟ ସ୍ବାସ୍ଥ୍ୟବିଭାଗ (ଯକ୍ଷ୍ମାସେଲ୍‌) ପର୍ଯ୍ୟନ୍ତ ଲମ୍ବିଥିବା ଦୁର୍ନୀତିର ଚେରର ପରଦା ପଛରେ ରହିଥିବା ନାୟକ, ମହାନାୟକଙ୍କ ଅସଲି ମୁଖା‌ ଖୋଲି ଯାଆନ୍ତା।

ମିଳିଥିବା ସୂଚନା ମୁତାବକ ଗତ ୨୦୦୬ରେ ଜିଲ୍ଲା ଯକ୍ଷ୍ମା ବିଭାଗରେ ୪ଜଣ ସୁପରଭାଇଜର ପଦବୀରେ ଅସ୍ଥାୟୀ ନିଯୁକ୍ତି ପାଇଥିଲେ। ପରବର୍ତ୍ତୀ ସମୟରେ ଯକ୍ଷ୍ମା ବିଭାଗର ଖାଲି ପଡିଥିବା ମେଡିକାଲ ଅଫିସର ନିଯୁକ୍ତି ପାଇଁ ରାଜ୍ୟ ଟିଭି ସେଲ୍‌ ତତ୍କାଳୀନ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀଙ୍କୁ ଗତ ଜାନୁଆରୀ ୨୦୧୪ରେ ଚିଠି ଲେଖିଥିଲେ। ଟିଭି ସେଲ୍‌ର ବିଭାଗୀୟ ଅଧିକାରୀଙ୍କ ଠାରୁ ଅନୁମତି ପାଇବା ପରେ ତତ୍କାଳୀନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଜୁନ୍‌ ୨୦୧୪ରେ ମେଡିକାଲ ଅଫିସର ନିଯୁକ୍ତି ପାଇଁ ବିଜ୍ଞାପନ ବାହାର କରିଥିଲେ। ରାଜ୍ୟ ଟିଭି ସେଲ୍‌ର ବିଭାଗୀୟ ଅଧିକାରୀ କେବଳ ମେଡିକାଲ ଅଫିସର ନିଯୁକ୍ତି ପାଇଁ ଚିଠି ନଂ ୪୧ରେ ତତ୍କାଳୀନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅନୁମତି ଦେଇଥିଲେ। ସୁପରଭାଇଜରଙ୍କୁ ନିଯୁକ୍ତି ଦେବାକୁ ତତ୍କାଳୀନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଗଳା ବାଟ ବାହାର କରିଥିଲେ। ରାଜ୍ୟ ଟିଭି ସେଲ୍‌ରୁ ଆସିଥିବା‌ ସେହି ସମାନ ୪୧ ନଂ ଚିଠିରେ ଲେଖାଥିବା ମେଡିକାଲ ଅଫିସର ପଦବୀକୁ ବଦଳାଇ ଦେଇଥିଲେ।

ସେହି ସ୍ଥାନରେ ମେଲ୍‌ ହେଲ୍‌ଥ ଭିଜିଟର ପଦବୀ ଖାଲି ପଡିଥିବା ଦର୍ଶାଇ ଦେଇଥିଲେ। ଦୁଇଟି ମେଲ୍‌ ହେଲ୍‌ଥ ଭିଜିଟର ସମେତ ମେଡିକାଲ ଅଫିସର ପାଇଁ ଗତ ଜୁନ୍‌ ୨୦୧୪ରେ ବିଜ୍ଞାପନ ବାହାର କରିଥିଲେ। ହେଲ୍‌ଥ ଭିଜିଟର ପାଇଁ ୮ଜଣ ଆବେଦନ କରିଥିଲେ। ଯୋଗ୍ୟତା ଭିତ୍ତିରେ ଜଣକୁ ନିଯୁକ୍ତି ମିଳିଥିଲ। ସୁପରଭାଇଜର କାମ କରୁଥିବା ୪ଜଣଙ୍କ ମଧ୍ୟରୁ ଜଣଙ୍କୁ ନିଯୁକ୍ତି ଦେଇଥିଲେ। ସେ ଦିଲ୍ଲୀସ୍ଥିତ ଏକ ଶିକ୍ଷାନୁଷ୍ଠାନରୁ ଦେଇଥିବା ଡିପ୍ଲୋମା ପ୍ରମାଣପତ୍ର ଅସଲି କି ନକଲି ତାହା ମଧ୍ୟ ତଦନ୍ତ ସାପେକ୍ଷ। ଦୁହେଁ ଗତ ୨୦୧୪ ଜୁଲାଇ ୨୩ରେ ନିଯୁକ୍ତି ପାଇଲେ। ରାଜ୍ୟ ଟିଭି ସେଲ୍‌ର ବିଭାଗୀୟ ଅଧିକାରୀ ଓ ତତ୍କାଳୀନ ମୁଖ୍ୟ ଜିଲ୍ଲା ଶିକ୍ଷା ଅଧିକାରୀ ଦୁହେଁ ଭିତିରି ସଲାସୁତୁରା କରି ମାତ୍ର ୨୮ ଦିନର ମଧ୍ୟରେ ଅର୍ଥାତ୍‌ (୨୧.୮.୨୦୧୪)ରେ ତାଙ୍କୁ ନିୟମିତ କରି ଦିଆଗଲା। କେବଳ ଏତିକି ନୁହେଁ ପୁଣି ଦୁଇ ବର୍ଷ ପରେ ପଦୋନ୍ନତି ପାଇଗଲେ। ନକଲି ଶିକ୍ଷାଗତଯୋଗ୍ୟତା ପ୍ରମାଣପତ୍ର ଓ ଅନ୍ୟାନ୍ୟ ଆବଶ୍ୟକ କାଗଜପତ୍ର ଜରିଆରେ ପଦୋନ୍ନତି ପାଇଥିବା କର୍ମଚାରୀ ଜଣକ ଏବେ ଜିଲ୍ଲା ଯକ୍ଷ୍ମା ବିଭାଗରେ ଅଧିକାଂଶ କାମ ନିଜ ନିୟନ୍ତ୍ରଣରେ ରଖିଛନ୍ତି। ନିକଟରେ କିଣାଯାଇଥିବା ୭ଟି ଟ୍ରୁ-ନାଟ୍‌ ମେସିନ୍‌, ୩୭ଟି ମାଇକ୍ରୋସ୍ପୋପ୍‌ ମେସିନ୍‌, ୨୫ହଜାର କ୍ୟାଟ୍‌ରିଜ୍‌ କାରବାରେ ଠିକା ସଂସ୍ଥା ସହ ଭିତିରି ବୁଝାମଣା କରି ବଡ ବଡିଆଙ୍କୁ ସନ୍ତୁଷ୍ଟ କରିଥିବା ଚର୍ଚ୍ଚା ହେଉଛି। ଜିଲ୍ଲାର ନକଲି ଡାକ୍ତରଙ୍କ ପରି ଯକ୍ଷ୍ମା ବିଭାଗର ଚାକିରୀ କରୁଥିବା କରିତକର୍ମା କର୍ମଚାରୀଙ୍କ କାଗଜପତ୍ର ଯାଞ୍ଚ କରାଗଲେ ଅସଲି କଥା ପଦାକୁ ଆସିପାରନ୍ତା ବୋଲି ବିଭିନ୍ନ ମହଲରୁ ଦାବି ହେଉଛି।

ସମ୍ବନ୍ଧିତ ଖବର