ମାଲକାନଗିରି: ଲମ୍ବା ସମୟ ଧରି ଚାଲିଥିଲା ଛକାପଞ୍ଝା। କମ୍ବିଂ ଅପରେସନ୍ର ଆଭାସ ମିଳିଲେ ବାରମ୍ବାର ଚକ୍ମା ଦେଇ ଖସି ଯାଉଥିଲା। ଶେଷରେ ଆନ୍ଧ୍ର ଗ୍ରେହାଉଣ୍ଡ ଯବାନଙ୍କ ଗୁଳିରେ ନିହତ ହୋଇଛି ଟପ୍ କ୍ୟାଡର ନକ୍ସଲ ଉଦୟ। ଆନ୍ଧ୍ରର କୁନ୍ତୁକୁର ଜଙ୍ଗଲରେ ଆଜି ସକାଳେ ହୋଇଥିବା ଏହି ଏନ୍କାଉଣ୍ଟରରେ ଅରୁଣା ଏବଂ ଅଞ୍ଜୁ ମଧ୍ୟ ପ୍ରାଣ ହରାଇଥିବା ସୂଚନା ମିଳିଛି। ଛତିଶଗଡ଼ରେ ଲଗାତାର ଅପରେସନ୍ ଯୋଗୁଁ ଜୀବନ ବଞ୍ଚାଇବା ପାଇଁ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିଲା ଆନ୍ଧ୍ର-ଓଡ଼ିଶା ବର୍ଡର ଜୋନାଲ କମିଟି ସଚିବ ତଥା କେନ୍ଦ୍ରୀୟ କମିଟି ସଦସ୍ୟ ଗଜରଲା ରବି ଓରଫ ଉଦୟ। ଯାହାର ସୂଚନା ଓଡ଼ିଶା ସମେତ ଆନ୍ଧ୍ର ପୁଲିସ ନିକଟରେ ରହିଥିଲା। ଏହାପରେ ଆରମ୍ଭ ହୋଇଥିଲା ଅପରେସନ୍ ‘ଉଦୟ’। ସନ୍ଦିଗ୍ଧ ଠିକଣାରେ ଚଢ଼ଉ ସହ ନକ୍ସଲଙ୍କ ପ୍ରତ୍ୟେକ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଥିଲେ ଦୁଇ ରାଜ୍ୟର ପୁଲିସ। ଗୁଇନ୍ଦା ବିଭାଗ ମଧ୍ୟ ଦୁର୍ଗମ ଅଞ୍ଚଳରେ ନିଜ ଇନ୍ଫର୍ମରଙ୍କୁ ସକ୍ରିୟ କରିଥିଲା। ଗତକାଲି ଆନ୍ଧ୍ରର ମରେଡ଼ମଲ୍ଲୀ ଏବଂ ରାମପଚୋଦାୱରମ ମଧ୍ୟରେ ରହିଥିବା କୁନ୍ତୁକୁର ଜଙ୍ଗଲରେ ଉଦୟ, ଅରୁଣା ସହ ୧୬ ଜଣ ନକ୍ସଲ କ୍ୟାମ୍ପ କରିଥିବା ସୂଚନା ମିଳିଥିଲା। ତୁରନ୍ତ ଆନ୍ଧ୍ରର ଗ୍ରେହାଉଣ୍ଡ ଯବାନ ବଡ଼ ଅପରେସନ୍ ଲାଗି ପ୍ରସ୍ତୁତି ଶେଷ କରି ଜଙ୍ଗଲରେ ପଶିଥିଲେ। ଖସିବା ବାଟ ବନ୍ଦ କରିବା ପାଇଁ ଓଡ଼ିଶା ପୁଲିସ ମଧ୍ୟ ସୀମାନ୍ତ ଜଙ୍ଗଲରେ ଡେରା ପକାଇଥିଲା। ଆଜି ସକାଳେ ଉଦୟ ସହ ମୁହାଁମୁହିଁ ହୋଇଥିଲେ ଗ୍ରେହାଉଣ୍ଡ ଯବାନ। ପ୍ରାୟ ୨୫ ମିନିଟ୍ ଧରି ଗୁଳି ବିନିମୟ ଚାଲିଥିଲା। ନକ୍ସଲ ଛତ୍ରଭଙ୍ଗ ଦେବାପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ୍। ଘଟଣାସ୍ଥଳରୁ ଉଦୟ ସମେତ ଆନ୍ଧ୍ର ଷ୍ଟେଟ୍ ଜୋନାଲ କମିଟି ସଚିବ ତଥା କେନ୍ଦ୍ରୀୟ କମିଟି ସଦସ୍ୟା ଅରୁଣା ଓ ଏସିଏମ୍ ଅଞ୍ଜୁର ମୃତଦେହ ମିଳିଥିଲା।
ଚାରି ରାଜ୍ୟ ପାଇଁ ୱାଣ୍ଟେଡ୍ ଥିଲା ଉଦୟ। ଓଡ଼ିଶା ସରକାର ୨୫ଲକ୍ଷ, ଛତିଶଗଡ଼ ସରକାର ୪୦ଲକ୍ଷ ଏବଂ ଆନ୍ଧ୍ର ସରକାର ୨୫ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ୨୦୧୧ ମସିହାରେ ତତ୍କାଳୀନ ଜିଲ୍ଲାପାଳ ଭିନୀଲ କ୍ରିଷ୍ଣାଙ୍କୁ ଅପହରଣ ଘଟଣାର ମାଷ୍ଟର ମାଇଣ୍ଡ ଥିଲା। ତତ୍କାଳୀନ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ରାଜଶେଖର ରେଡ୍ଡିଙ୍କ ସହ ଶାନ୍ତିବାର୍ତ୍ତା ପାଇଁ ଆଲୋଚନା କରି ଚର୍ଚ୍ଚିତ ହୋଇଥିଲା। ଲାଲ ବାହିନୀର ପିଏଲ୍ଜିଏ ସଂଗଠନକୁ ମଜଭୁତ କରିବା ସହ ରଣନୀତି ପ୍ରସ୍ତୁତିରେ ଧୁରନ୍ଧର ଥିଲା। ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳରେ ଅଧିକାଂଶ ସମୟ ଉଦୟ ବିତାଇଥିବା ଜଣାପଡ଼ିଛି। ସେହିପରି ସଂଗଠନର ଆଗଧାଡ଼ିର ନେତ୍ରୀ ଭାବେ ଜଣାଶୁଣା ଅରୁଣାର ମୁଣ୍ଡ ପାଇଁ ଓଡ଼ିଶା, ଆନ୍ଧ୍ର ଏବଂ ଛତିଶଗଡ଼ ସରକାର ୨୦ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଥିଲେ। ସ୍ବାମୀ ତଥା ମାଓନେତା ଚେଲପତିଙ୍କ ମୃତ୍ୟୁ ପରେ ଅରୁଣା ଭାଙ୍ଗି ପଡିଥିଲା। ତଥାପି ସଂଗଠନ ପାଇଁ ପୂରା ଦମ୍ଭରେ ସବୁବେଳେ ଲଢ଼େଇ କରୁଥିଲା। ଏସିଏମ୍ ଅଞ୍ଜୁ ପାଇଁ ସରକାର ୫ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ଉଦୟ ଏବଂ ଅରୁଣା ନିହତ ପରେ ସଂଗଠନରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ଏମାନଙ୍କ ପରେ କିଏ ସଂଗଠନର ନେତୃତ୍ବ ନେବ ତାହା ବଡ଼ ପ୍ରଶ୍ନ। ଏହି ସଫଳତା ପରେ ଗ୍ରେହାଉଣ୍ଡ ଯବାନ ଉତ୍ସାହିତ ଅଛନ୍ତି। ଘଟଣାସ୍ଥଳରୁ ଦୁଇଟି ଏକେ-୪୭ ବନ୍ଧୁକ ସହ ବିପୁଳ ସାମଗ୍ରୀ ଜବତ କରିଛନ୍ତି। ଶେଷ ଖବର ସୁଦ୍ଧା ଖସି ଯାଇଥିବା ନକ୍ସଲଙ୍କ ପିଛା ଜାରି ରହିଛି।
ସରଣ୍ଡାରେ ୬୦ରୁ ଅଧିକ ମାଓବାଦୀ, ଓଡ଼ିଶା-ଝାଡ଼ଖଣ୍ଡ ପୁଲିସର ନିର୍ଣ୍ଣାୟକ ଅଭିଯାନ
ବିଶ୍ରା: ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ବିରୋଧରେ ଚାଲିଥିବା ଅଭିଯାନ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ଝାଡ଼ଖଣ୍ଡ ଓ ଓଡ଼ିଶା ପୁଲିସର ମିଳିତ ଅଭିଯାନ ମାଓବାଦୀଙ୍କୁ ଏକପ୍ରକାର କୋଣଠେସା କରି ରଖିଛି। ବିଶେଷ କରି ଗୋଳାବାରୁଦ ଓ ଅସ୍ତ୍ରଶସ୍ତ୍ର ଅଭାବର ସମ୍ମୁଖୀନ ହୋଇ ମାଓବାଦୀ ସଂଗଠନ ଏବେ ଓଡ଼ିଶାରେ ସେମାନଙ୍କର ଭୂତଳ (ଅଣ୍ଡରଗ୍ରାଉଣ୍ଡ) ସାଥୀଙ୍କଠାରୁ ସାହାଯ୍ୟ ଆଶା କରୁଛନ୍ତି। ଦୁଇରାଜ୍ୟ ପୁଲିସର ମିଳିତ ଅଭିଯାନ ଯୋଗୁଁ କିଛିଦିନ ତଳେ ଓଡ଼ିଶାର କେ.ବଲାଙ୍ଗ ଥାନା ଅଞ୍ଚଳରେ ମାଓବାଦୀଙ୍କ ଦ୍ବାରା ବିସ୍ଫୋରକ ଲୁଟ୍ ଉଦ୍ୟମ ଭଳି ଏକ ବଡ଼ ଷଡ୍ଯନ୍ତ୍ର ପଣ୍ଡ ହୋଇଯାଇଛି। ସରଣ୍ଡା ଜଙ୍ଗଲରେ ୩ ଜଣ ଶୀର୍ଷ ମାଓନେତାଙ୍କ ସମେତ ପ୍ରାୟ ୬୦ରୁ ଅଧିକ ମାଓବାଦୀ କ୍ୟାଡର୍ ଫସି ରହିଛନ୍ତି। ଏମାନଙ୍କ ମୁଣ୍ଡ ଉପରେ ୧ କୋଟି ଟଙ୍କାର ପୁରସ୍କାର ରହିଛି। ଆଗାମୀ ଦିନରେ ମାଓବାଦୀଙ୍କ ନିକଟରେ ବିସ୍ଫୋରକ ଶେଷ ହେବାକୁ ଯାଉଛି। ସେଥିପାଇଁ ସରଣ୍ଡା ଜଙ୍ଗଲରେ ସକ୍ରିୟ ଥିବା ମାଓନେତା ଅନଲ ଓଡ଼ିଶାର କେ.ବଲାଙ୍ଗ ଅଞ୍ଚଳର ଜର୍ଜ ମୁଣ୍ଡା ସହିତ ଯୋଗାଯୋଗ କରି ବିସ୍ଫୋରକ ସଂଗ୍ରହ କରିବା ପାଇଁ ଯୋଜନା କରିଥିଲା। ଜର୍ଜର ସୂଚନା ଆଧାରରେ ମେ’ ୨୭ ତାରିଖରେ ମାଓବାଦୀମାନେ ପ୍ରାୟ ୫ ଟନ୍ ବିସ୍ଫୋରକ ଲୁଟି ନେଇଥିଲେ, ଯାହାର ପ୍ରାୟ ୮୦ ପ୍ରତିଶତ ଜବତ ହୋଇସାରିଲାଣି। ଜର୍ଜକୁ ମଧ୍ୟ ଦୁଇଦିନ ତଳେ ଗିରଫ କରାଯାଇଛି।
ଓଡ଼ିଶା-ଝାଡ଼ଖଣ୍ଡ ପୁଲିସର ନିର୍ଣ୍ଣାୟକ ଅଭିଯାନ
୨ ଜଙ୍ଗଲକୁ ଘେରିଛନ୍ତି ୧୫ ହଜାର ପୁଲିସ
ଜର୍ଜ ଓ ମାଓବାଦୀଙ୍କ ମଧ୍ୟରେ ସମ୍ପର୍କକୁ ବିଭିନ୍ନସ୍ତରରେ ଯାଞ୍ଚ କରାଯାଉଛି ବୋଲି ରାଉରକେଲା ଏସ୍ପି ନୀତେଶ ୱାଧୱାନୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହି ପ୍ରସଙ୍ଗରେ ଝାଡ଼ଖଣ୍ଡ ଡିଜିପି ଅନୁରାଗ ଗୁପ୍ତା ଓଡ଼ିଶା ପୁଲିସର ସହଯୋଗକୁ ପ୍ରଶଂସା କରିବା ସହ ସରଣ୍ଡାରେ ଏତେ ଫୋର୍ସ ମୁତୟନ କରାଯାଇଛି ଯେ ନକ୍ସଲମାନେ ଖସି ଯାଇପାରିବେ ନାହିଁ ବୋଲି କହିଛନ୍ତି। ୧୫ ହଜାରରୁ ଅଧିକ ପୁଲିସ ବଳ ସରଣ୍ଡା ଓ କୋହ୍ଲଣ ଜଙ୍ଗଲ ଚାରପଟୁ ଘେରି ରହିଛନ୍ତି। ଝାଡ଼ଖଣ୍ଡ ସଶସ୍ତ୍ର ବାହିନୀ(ଗୋର୍ଖା ବାଟାଲିୟନ୍), ଝାଡ଼ଖଣ୍ଡ ଜାଗୁଆର, କୋବ୍ରା-ସିଆର୍ପିଏଫ୍ ଓ ଓଡ଼ିଶା ପୁଲିସ ଏହି ଅପରେସନ୍ରେ ସାମିଲ ଅଛନ୍ତି। ସୂଚନାଯୋଗ୍ୟ, ନିଷିଦ୍ଧ ନକ୍ସଲ ସଂଗଠନ ସିପିଆଇ ମାଓବାଦୀର ବରିଷ୍ଠ ମାଓନେତା ମିସିର ବେସରା, ଅନଲ, ଅସୀମ ମଣ୍ଡଳ ପ୍ରମୁଖ ନିଜର ଦଳବଳ ସହ ସରଣ୍ଡାରେ ଲୁଚି ରହିଛନ୍ତି। ଏହାଛଡ଼ା ମୋଚୁ, ଅଜୟ ମାହାତୋ, ସାଗେନ ଅଙ୍ଗାରିଆ, ଅଶ୍ୱିନ, ପିଣ୍ଟୁ ଲୋହାରା, ଚନ୍ଦନ ଲୋହାରା, ଅମିତ ହାଁସଦା ଓରଫ ଉପତାନ, ଜୟକାନ୍ତ, ରାପା ମୁଣ୍ଡା ପ୍ରମୁଖ ମାଓନେତା କୋହ୍ଲଣ ଅଞ୍ଚଳରେ ସେମାନଙ୍କର ଦଳ ସହିତ ସକ୍ରିୟ ଅଛନ୍ତି।