ରାଜ୍ୟରେ ଆ‌ଉ ୬ ଜଣ ଏଚ୍‌ଏଫ୍‌ଏମ୍‌ଡି ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ହ୍ୟାଣ୍ଡ, ଫୁଟ୍ ଓ ମାଉଥ ଡିଜିଜ୍ ବା ଏଚ୍‌ଏଫ୍‌ଏମ୍‌ଡି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଉ ୬ଜଣ ଆକ୍ରାନ୍ତ ଏଥିରେ ସଂକ୍ରମିତ ଥିବା ଆରଏମ୍‌ଆରସି ପକ୍ଷରୁ ସ୍ପଷ୍ଟ ହୋଇଛି। ଯାହାଫଳରେ ରାଜ୍ୟରେ ବର୍ତମାନସୁଦ୍ଧା ସରକାରୀଭାବେ ଏଚ୍‌ଏଫ୍‌ଏମ୍‌ଡି ଆକ୍ରାନ୍ତଙ୍କ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି। ତଥାପି ଆଉ କିଛି ନମୁନା ଆରଏମ୍‌ଆସିକୁ ପଠା ଯାଇଥିବାରୁ ଏହି ସଂଖ୍ୟା ଆହୁରି ବଢ଼ିବାରେ ବୋଲି ଆଶଙ୍କା କରାଯାଉଛି।

ଚିହ୍ନଟ ହୋଇଥିବା ଆଉ ୬ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଧାରୁ ୪ ଓ ଦେବଗଡ଼ରୁ ୨ଜଣ ରହିଛନ୍ତି। ପୂର୍ବରୁ ଯେଉଁ ୨୬ଜଣ ଚିହ୍ନଟ ହୋଇଥିଲେ ତହିଁରୁ ୨ଟି ସଂଖ୍ୟା ରିପିଟ୍ ହୋଇଥିବାରୁ ଏହାକୁ କାଟି ଦିଆଯାଇଛି। ପୂର୍ବରୁ ଖୋର୍ଧା, ପୁରୀ ଓ କଟକ ଜିଲ୍ଲାରେ ଆକ୍ରାନ୍ତଙ୍କୁ ଚିହ୍ନଟ ‌କରାଯାଇଥିବା ବେଳେ ଏବେ ଦେବଗଡ଼ ଜିଲ୍ଲାକୁ ଆକ୍ରାନ୍ତଙ୍କ ସଂଖ୍ୟା ଲମ୍ବିଛି। ଚିହ୍ନଟ ଆଉ ୬ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ସୂଚନା ମିଳିପାରି ନାହିଁ। ସେହିପରି ଆଉ ୧୨ଟି ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଖୁବଶୀଘ୍ର ସେମାନଙ୍କ ରିପୋର୍ଟ ଆସିପାରେ।

ଅପରପକ୍ଷରେ ‌ପୂର୍ବରୁ ଯେଉଁ ଏଚ୍‌ଏଫ୍‌ଏମ୍‌ଡି ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ଜଣାଇବାକୁ ଜିଲ୍ଲାମାନଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରିପୋର୍ଟ ମଗାଯାଇଛି। ଏହାସହ ଆକ୍ରାନ୍ତଙ୍କ ସେରୋ ଟାଇପିଂ ପାଇଁ ପୁନେସ୍ଥିତ ଏନ୍‌ଆଇଭି ପୁନେକୁ ପଠାଯାଇଥିବା ବେଳେ ସେମାନଙ୍କ ରିପୋର୍ଟ ଆସିନାହିଁ।

ସମ୍ବନ୍ଧିତ ଖବର