ଏମ୍‌କେସିଜିରେ ଆଉ ଜଣେ ସନ୍ଦିଗ୍ଧ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ, ଭୁବନେଶ୍ବର ଏମ୍‌ସ ସ୍ଥାନାନ୍ତର

ବ୍ରହ୍ମପୁର : ଏମ୍‌କେସିଜି ମେଡିକାଲକୁ ପୁଣି ଜଣେ ସନ୍ଦିଗ୍ଧ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଏମ୍‌କେସିଜି ମେଡିକାଲରେ ସନ୍ଦିଗ୍ଧ ରୋଗୀଙ୍କ ସିଟି ସ୍କାନ୍‌ କରାଯାଇଥିଲା। କିନ୍ତୁ ଫଙ୍ଗସ୍‌ ଜଣାପଡ଼ି ନଥିଲା। ଆଜି ତାଙ୍କର ନାକରୁ ସ୍ବାବ୍‌ ସଂଗ୍ରହ କରି ପରୀକ୍ଷା କରାଯାଇଥାନ୍ତା ବୋଲି ଏମ୍‌କେସିଜି ମେଡିକାଲ ଅଧୀକ୍ଷକ ପ୍ରଫେସର ଡା. ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି। ହେଲେ ପରୀକ୍ଷା ପୂର୍ବରୁ ରୋଗୀଙ୍କୁ ଗତରାତି ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାର ଜଣେ ଯୁବକ କରୋନାରେ ଆକ୍ରାନ୍ତ ହୋଇ ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ୍‌ ହସ୍ପିଟାଲ୍‌ରେ କିଛିଦିନ ହେଲା ଚିକିତ୍ସାଧୀନ ଥିଲେ। ତାଙ୍କ ଅବସ୍ଥାରେ ସୁଧାର ଆସୁଥିଲା। କିନ୍ତୁ ତାଙ୍କର ଆଖି ଧୀରେ ଧୀରେ ଫୁଲୁଥିବା ଯୋଗୁଁ ଡାକ୍ତରଙ୍କୁ ବ୍ଲାକ୍‌ ଫଙ୍ଗସ୍‌ ନେଇ ସନ୍ଦେହ ହୋଇଥିଲା। ଏଣୁ ସମ୍ପୃକ୍ତ ରୋଗୀଙ୍କୁ ଗତକାଲି ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ବୋଲି ଅଧୀକ୍ଷକ ପ୍ରଫେସର ଡା. ମିଶ୍ର କହିଛନ୍ତି। ଗତକାଲି ତାଙ୍କର ସିଟି ସ୍କାନ୍‌ କରାଯାଇଥିଲା। ତାଙ୍କର ସାଇନୋସାଇଟିସ୍‌ ରିପୋର୍ଟ ଆସିଥିଲା। କିନ୍ତୁ ଫଙ୍ଗସ୍‌ ଜଣାପଡ଼ି ନଥିଲା। ଆଜି ନାକରୁ ସ୍ବାବ୍‌ ନେଇ ମାଇକ୍ରୋବାୟୋଲୋଜି ବିଭାଗକୁ ପରୀକ୍ଷା ପାଇଁ ପଠା ଯାଇଥାନ୍ତା। ହେଲେ ରୋଗୀ ସ୍ବଇଚ୍ଛାରେ ଡିସ୍‌ଚାର୍ଜ ହୋଇ ଏମ୍‌ସ ଯିବା ପାଇଁ ଚାହିଁଥିଲେ। ଏଣୁ ତାଙ୍କୁ ଗତକାଲି ରାତିରେ ଭୁବନେଶ୍ବରସ୍ଥିତ ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

ପ୍ରକାଶ ଥାଉ କି କିଛିଦିନ ପୂର୍ବରୁ କରୋନାରୁ ସୁସ୍ଥ ହୋଇଥିବା ଜଣେ ମହିଳାଙ୍କ ନିକଟରେ ବ୍ଲାକ୍‌ ଫଙ୍ଗସ୍‌ ଲକ୍ଷଣ ଦେଖା ଦେଇଥିଲା। ସେ ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କର ସ୍ବାବ୍‌ ପରୀକ୍ଷା କରାଯାଇଥିଲା। ହେଲେ ରିପୋର୍ଟ ଆସିବା ପୂର୍ବରୁ ମହିଳାଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ରିପୋର୍ଟ ପରେ ନେଗେଟିଭ୍‌ ରହିଥିବା ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର