ବିଂଝାରପୁର : ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଦ୍ଵାରା ଚୟନ କରାଯାଇଥିବା ପ୍ରାର୍ଥୀଙ୍କୁ ଗ୍ରହଣ କରୁନାହାନ୍ତି କର୍ମୀ। ଏହି କାରଣରୁ ବିଂଝାରପୁର ବ୍ଲକ ବିଜେଡିରେ ଦେଖାଦେଇଛି ବିଦ୍ରୋହ। ବିରୋଧୀକୁ ଦମନ କରିବା ପାଇଁ ନିଲମ୍ଵନକୁ ଅସ୍ତ୍ର କରିଛି ଦଳ। ଜଣେ ପରେ ଜଣେ ବିଦ୍ରୋହୀଙ୍କୁ ନିଲମ୍ବନ କରାଯାଉଛି। ଗତ ମାସ ୩୦ ତାରିଖରେ କଲ୍ୟାଣପୁର ପଞ୍ଚାୟତର ୩ଜଣ ଆଗଧାଡ଼ିର କର୍ମୀଙ୍କୁ ଦଳରୁ ନିଲମ୍ଵନ କରାଯାଇଥିଲା। ଆଜି ପୁଣି ବିତନା ପଞ୍ଚାୟତର ସଭାପତି ରମେଶ ଚନ୍ଦ୍ର ମଲିକଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ଵନ କରାଯାଇଛି। ଏହାଦ୍ଵାରା ଖୋଲାଖୋଲି ବିଦ୍ରୋହରେ ଅଙ୍କୁଶ ଲାଗିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

Advertisment

ଅନ୍ୟପଟେ ଏଭଳି ପଦକ୍ଷେପ ଯୋଗୁଁ ଆଗକୁ ପରିସ୍ଥିତି ଅଣାୟତ୍ତ ହେବ ବୋଲି ଦଳୀୟ କର୍ମୀ କହି ବୁଲୁଛନ୍ତି। ଏସବୁକୁ ଦେଖିଲେ ବିଂଝାରପୁର ବ୍ଲକରେ ବିଜେଡିର ରାଜନୈତିକ ସ୍ଥିତି ଏକପ୍ରକାର ଜଟିଳ ହୋଇଯାଇଛି। ବ୍ଲକର ସମସ୍ତ ପଞ୍ଚାୟତରେ ବିଧାୟିକା ପ୍ରମିଳା ମଲିକ ସରପଞ୍ଚ ପ୍ରାର୍ଥୀ ବାଛିଛନ୍ତି। ହେଲେ ପଞ୍ଚାୟତସ୍ତରରେ ଥିବା ନେତା ଓ କର୍ମୀ ପ୍ରମିଳାଙ୍କ ପ୍ରାର୍ଥୀଙ୍କୁ ସମର୍ଥନ କରୁନାହାନ୍ତି। ନେତାଙ୍କ ବିରୋଧରେ କର୍ମୀମାନେ ନିଜନିଜ ମନୋନୀତ ସରପଞ୍ଚ ପ୍ରାର୍ଥୀ ଛିଡାକରିବା ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ବିଶେଷକରି ସରପଞ୍ଚ ପ୍ରାର୍ଥୀ ଚୟନକୁ ନେଇ ବିଂଝାରପୁର ବିଜେଡିରେ ନେତା ଓ କର୍ମୀଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଛି। ପ୍ରାର୍ଥୀ ଚୟନରେ ତ୍ରୁଟି ଯୋଗୁଁ ବ୍ଲକର ଅଧିକାଂଶ ପଞ୍ଚାୟତରେ ବିଜେଡି-ବିଜେଡି ପ୍ରାର୍ଥୀ ମଧ୍ୟରେ ଟକ୍କର ଦେଖିବାକୁ ମିଳିଛି। ଦଳରେ ରହି ଅନ୍ତର୍ଘାତୀ କାର୍ଯ୍ୟ କରୁଥିବା ଅଭିଯୋଗ ଆଣି ସେହି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ବିଂଝାରପୁର ବ୍ଲକରେ ସପ୍ତାହ ପୂର୍ବେ ୩ ଜଣ କର୍ମୀଙ୍କୁ ଦଳ ନିଲମ୍ଵନ କରିଥିବାବେଳେ ଆଜି ଆଉଜଣେ ବରିଷ୍ଠ କର୍ମୀ ତଥା ବିତନା ପଞ୍ଚାୟତର ସଭାପତି ରମେଶ ଚନ୍ଦ୍ର ମଲିକଙ୍କୁ ଦଳ ନିଲମ୍ଵନ କରିଛି। ଏ ନେଇ ବିଜେଡି ଜିଲ୍ଲା ସଭାପତି ସରୋଜ କୁମାର ମହାପାତ୍ର ପ୍ରେସ ଇସ୍ତହାର ମାଧ୍ୟମରେ ଜଣାଇଛନ୍ତି।

ପୂର୍ବରୁ କଲ୍ୟାଣପୁର ପଞ୍ଚାୟତରେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ସ୍ଵାଧୀନ କୁମାର ଦାଶ, ସ୍ମୃତିରଂଜନ ନାୟକ ଓ ବ୍ରଜସୁନ୍ଦର ପଣ୍ଡାଙ୍କୁ ବିଜୁ ଜନତା ଦଳର ଜିଲ୍ଲା ସଭାପତି ସରୋଜ କୁମାର ମହାପାତ୍ର ନିଲମ୍ଵିତ କରିଥିଲେ। ପଞ୍ଚାୟତ ସଭାପତି କାଳୀପ୍ରସନ୍ନ ଦାସଙ୍କ ସୁପାରିସକ୍ରମେ ସେମାନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ କରାଯାଇଥିଲା। ତଥାପି ଅନେକ ସ୍ଥାନରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ବିରୋଧରେ ବିଦ୍ରୋହୀ ଏବଂ ବିଜେପି ସମର୍ଥିତ ପ୍ରାର୍ଥୀମାନେ କଡ଼ା ମୁକାବିଲା କରୁଥିବାରୁ ଏଭଳି ନିଲମ୍ବନ ପ୍ରକ୍ରିୟା ଆଗକୁ ମଧ୍ୟ ଜାରି ରହିବାର ସମ୍ଭାବନାକୁ ଏଡ଼ାଯାଇ ନପାରେ।