ଭୁବନେଶ୍ବର: ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଘରୁ ଚୋରି ଘଟଣାର ୪୮ ଘଣ୍ଟା ନପୁରୁଣୁ ତାଙ୍କର ଆଉ ଏକ ଘରେ ଦୁର୍ବୃତ୍ତମାନେ ଚୋରି ପାଇଁ ଉଦ୍ୟମ କରିଛନ୍ତି। ପୁଲିସ ଏପର୍ଯ୍ୟନ୍ତ ପ୍ରଥମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିପାରି ନଥିବା ବେଳେ ଦ୍ବିତୀୟ ଥର ଚୋରି ଉଦ୍ୟମ ସମୟରେ ଲୋକେ ଜଣକୁ ଧରି ପୁଲିସରେ ଦେଇଛନ୍ତି। ଧରା ପଡ଼ିଥିବା ଅଭିଯୁକ୍ତ ଜଣକ ପୂର୍ବରୁ ନୂଆପଲ୍ଲୀ ଅଞ୍ଚଳରେ ଚୋରି କରି ଗିରଫ ହୋଇଥିବା ଜଣାପଡ଼ିଛି। ପୁଲିସ ତାକୁ ଏବେ ଥାନାରେ ଅଟକ ରଖି ପଚରାଉଚରା କରୁଛି।
ଶନିବାର ରାତିରେ ଶ୍ରୀ ପଟ୍ଟନାୟକଙ୍କର ଏନ୍-୨/୨୯ ଘରେ ଚୋରି ହୋଇଥିଲା। ପୁଲିସ ଏହି ଘଟଣାରେ ତନାଘନା ଜାରି ରଖିଥିଲେ ବି ମୁଖ୍ୟ ଅଭିଯୁକ୍ତ ପାଖରେ ପହଞ୍ଚି ପାରି ନାହିଁ। ସେହି ଘର ଠାରୁ ତିନିଟି ଘର ପରେ ଥିବା ଶ୍ରୀ ପଟ୍ଟନାୟକଙ୍କର ଅନ୍ୟ ଏକ ଘରେ (ଏନ୍-୨/୨୫) ଗତକାଲି ଚୋରି ଉଦ୍ୟମ ହୋଇଥିଲା। ସୋମବାର ବିଳମ୍ବିତ ରାତିରେ ଅଭିଯୁକ୍ତ ଜଣକ ପ୍ରଥମେ ଶ୍ରୀ ପଟ୍ଟନାୟକଙ୍କ ଦୁଇ ପଡ଼ୋଶୀଙ୍କ ଘରେ ଚୋରି ଉଦ୍ୟମ କରିଥିଲା। ହେଲେ ସେମାନେ ଉଠି ପଡ଼ିବାରୁ ଅଭିଯୁକ୍ତ ଜଣକ ଚତୁରତାର ସହ ସେଠାରୁ ଖସିଆସିଥିଲା। ସେଠାରୁ ଆସିବା ପରେ ଶ୍ରୀ ପଟ୍ଟନାୟକଙ୍କ ଘରେ ପଶିବାକୁ ଉଦ୍ୟମ କରିଥିଲା। ଏହି ସମୟରେ ସ୍ଥାନୀୟ ଲୋକେ ଅଭିଯୁକ୍ତକୁ ଦେଖି ପାଟି କରିବାରୁ ଅନ୍ୟମାନେ ଚାଲିଆସିଥିଲେ।
ଖସିଯିବା ବେଳେ ମାଡ଼ିବସିଲେ ସ୍ଥାନୀୟ ଲୋକେ
ଆଇନଶୃଙ୍ଖଳା ସ୍ଥିତିକୁ ନେଇ ନିରଂଜନଙ୍କ ଉଦ୍ବେଗ
ଅସାମାଜିକ ବ୍ୟକ୍ତିଙ୍କ ଡର ଛାଡ଼ିଗଲାଣି: ନବୀନ
ପାଖରେ ଥିବା ଏକ ନଡ଼ିଆ ଗଛକୁ ସେ ଚଢ଼ି ଖସିଯିବାକୁ ଉଦ୍ୟମ କରିଥିଲା। ହେଲେ ଲୋକମାନେ ତାକୁ ଘେରିଯାଇ କାବୁ କରିଥିଲେ। ଖବର ପାଇ ନୂଆପଲ୍ଲୀ ଥାନା ପୁଲିସ ସେଠାରେ ପହଞ୍ଚି ଅଭିଯୁକ୍ତକୁ ଥାନାକୁ ନେଇଥିଲା। ଉତ୍କର୍ଷ ଓଡ଼ିଶା ପାଇଁ ରାଜଧାନୀ ସାରା ପୁଲିସ ଛାଉଣି ବେଳେ ଲୁଟେରାଙ୍କ ଉପଦ୍ରବକୁ ନେଇ ଶ୍ରୀ ପଟ୍ଟନାୟକ ଉଦ୍ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ମୋ ଘରେ ଆଉଥରେ ଚୋରି କରିବା ପାଇଁ ଚେଷ୍ଟା ହୋଇଛି। ଏକଥା ବିଶ୍ବାସ କରିହେଉନାହିଁ। ରାଜଧାନୀର ଆଇନଶୃଙ୍ଖଳା ସ୍ଥିତିକୁ ନେଇ ପ୍ରଶ୍ନ କରିଥିଲି। ଏ ଦିଗରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିବେଦନ କରିଥିଲି। ମୋତେ ଲାଗୁଛି, କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଭୁବନେଶ୍ବରବାସୀଙ୍କ ସୁରକ୍ଷା ତଥା ନିରାପତ୍ତାକୁ ଦୃଷ୍ଟିରେ ରଖି ତୁରନ୍ତ ପ୍ରଭାବଶାଳୀ ପଦକ୍ଷେପ ନେବାକୁ ମୁଁ ପୁଣିଥରେ ସରକାର ଓ ପୁଲିସକୁ ଅନୁରୋଧ କରୁଛି।
ଏହି ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉଦ୍ବେଗ ପ୍ରକାଶ କରିବା ସହ ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ସେ କହିଛନ୍ତି, ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଘରେ ୩ ଦିନ ମଧ୍ୟରେ ପୁଣିଥରେ ଚୋରି ଉଦ୍ୟମ ହେବା ମୋତେ ବିଚଳିତ କରିଛି। ଏଇ କିଛି ଦିନ ତଳେ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ପାଇଁ ସାରା ବିଶ୍ୱରୁ ଭାରତୀୟ ଭୁବନେଶ୍ୱରକୁ ଆସିଥିବା ବେଳେ ସେମାନେ ଦେଖିଲେ ପୂରା ଦିବାଲୋକରେ ରାଜଧାନୀ ଛାତି ଉପରେ କିପରି ବିଭତ୍ସ ହତ୍ୟାକାଣ୍ଡ ଘଟିଗଲା। ଏବେ ଏତେ ବଡ଼ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ହେଉଥିବା ସମୟରେ ସବୁଠୁ ସୁରକ୍ଷିତ ଗଣାଯାଉଥିବା ଅଞ୍ଚଳରୁ ଚୋରି ହେଉଥିବା ଖବର ଲୋକେ ଦେଖୁଛନ୍ତି। ବାରମ୍ବାର ଭୟଭୀତ କରୁଥିବା ଏପରି ଘଟଣାରୁ ଲାଗୁଛି, ପୁଲିସ ଓ ଆଇନଶୃଙ୍ଖଳା ବ୍ୟବସ୍ଥା ପ୍ରତି ଅସମାଜିକ ବ୍ୟକ୍ତିମାନଙ୍କ ଆଉ କୌଣସି ଡର, ଭୟ ନାହିଁ। ବର୍ତ୍ତମାନ ଲୋକେ ଭୟରେ ରହୁଛନ୍ତି। ସେମାନଙ୍କ ଧନଜୀବନ ସୁରକ୍ଷା ପାଇଁ ପୁଲିସ ଉପରେ ଥିବା ବିଶ୍ୱାସ ଏବେ ଭାଙ୍ଗିବାକୁ ଲାଗିଛି। ବିଜେପି ସରକାର ଏହାକୁ ଗୁରୁତ୍ୱ ଦିଅନ୍ତୁ। ଭବିଷ୍ୟତରେ ଏପରି ଘଟଣାର ପୁନରାବୃତ୍ତି ନ ହେଉ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/niranjan-pat-deccan-chronicle.jpeg)