ଭୋଗରାଇ:  ସମୁଦ୍ରରେ ଗାଧୋଉଥିବା ବେଳେ  ପୁଣି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ପଶ୍ଚିମବଙ୍ଗ ଉତ୍ତର ଚବିଶ ପ୍ରଗଣା ଅଞ୍ଚଳର ଦତ୍ତପୋଖରୀ ଗାଁର ବାସିନ୍ଦା ରତନ ସାମନ୍ତ। ସ୍ତ୍ରୀ ଓ ୫ବର୍ଷର ଶିଶୁକନ୍ୟା ସହ ସମୁଦ୍ରରେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଥିଲା। ସୂଚନା ମୁତାବକ, ଶନିବାର ପଶ୍ଚିମବଙ୍ଗର ବାରାସତ ଅଞ୍ଚଳରୁ ଏକ ପର୍ଯ୍ୟଟକ ଦଳ ଦୀଘା ବୁଲିବାକୁ ଆସିଥିଲେ। ଆଜି ଛୁଟିଦିନ ଥିବାରୁ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼ ଜମିବା ସହିତ ବହୁ ପର୍ଯ୍ୟଟକ ଗାଧୋଇବାର ମଜା ନେଉଥିଲେ।

Advertisment

ଏତିକିବେଳେ ମଧ୍ୟାହ୍ନ ପ୍ରାୟ ସାଢେ ୧୨ଟା ବେଳେ ପୁରୁଣା ଦୀଘାର ଜଗନ୍ନାଥ ଘାଟ ନିକଟରେ ସେହି ପର୍ଯ୍ୟଟକଙ୍କ ଭିତରେ ଥିବା ପଶ୍ଚିମବଙ୍ଗର ଉତ୍ତର ଚବିଶ ପ୍ରଗଣା ଅଞ୍ଚଳର ଦତ୍ତପୋଖରୀ ଗାଁର ବାସିନ୍ଦା ରତନ ସାମନ୍ତ(୨୫), ତାଙ୍କ ସ୍ତ୍ରୀ ଓ ୫ବର୍ଷର ଶିଶୁ କନ୍ୟା ମଧ୍ୟ ଗାଧୋଇବାର ମଜା ନେଉଥିଲେ।

ସ୍ତ୍ରୀ ଓ ଝିଅ କୂଳରେ ଗାଧୋଉଥିବା ବେଳେ ରତନ ଦୂରକୁ ଚାଲି ଯାଇଥିଲେ। ଏତିକିବେଳେ ଗୋଟିଏ ଢେଉ ମାଡ଼ିଆସି ତାଙ୍କୁ ଗଭୀର ସମୁଦ୍ରକୁ ଭସାଇ ନେଇଥିଲା। ସଙ୍ଗେ ସଙ୍ଗେ ଅନ୍ୟ ପର୍ଯ୍ୟଟକମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହେବା ପରେ କୋଷ୍ଟ ଗାର୍ଡ ଓ ଦୀଘା ପୁଲିସ ଏକ ପାୱାର ବୋଟ ଯୋଗେ ବହୁ ଖୋଜାଖୋଜି ପରେ ସମୁଦ୍ର କୂଳରୁ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ। ତୁରନ୍ତ ରତନଙ୍କୁ ସ୍ଥାନୀୟ ଦୀଘା ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୀଘା ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହିତ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି।