ରାୟଗଡ଼ା: ଅସୁସ୍ଥତା କାରଣରୁ ଗୁରୁବାର ସଂଧ୍ୟାରେ ଋଷୀୟ ପର୍ଯ୍ୟଟକ ବ୍ଲାଡିମିର୍ ବିଦାନୋଭାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ସଂଧ୍ୟାରେ ଆଉ ଜଣେ ପର୍ଯ୍ୟଟକ ପାୱେଲ୍ ଆନ୍ଥେମ (୬୫)ଙ୍କ ମୃତ୍ୟୁ ହୋଇଛି। ଦୁଇ ବନ୍ଧୁ ଏକାଠି ଭାରତ ଆସି ଓଡ଼ିଶା ପରିଭ୍ରମଣରେ ଥିଲେ। ଦୁଇ ଦିନ ବ୍ୟବଧାନରେ ଦୁଇ ଋଷ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା ଜିଲ୍ଲା ପୁଲିସ୍ ସହ ପ୍ରଶାସନକୁ ଚିନ୍ତାରେ ପକାଇଛି।
ରାୟଗଡ଼ାର ଏକ ଘରୋଇ ହୋଟେଲରେ ରହୁଥିବା ଋଷୀୟ ପର୍ଯ୍ୟଟକ ପାୱେଲ୍ ଆନ୍ଥେମ୍ ଆଜି ସଂଧ୍ୟାରେ ଅସୁସ୍ଥତା ଅନୁଭବ କରିଥିଲେ। ସଙ୍ଗେ ସଙ୍ଗେ ଆମ୍ବୁଲାନସ୍ ଯୋଗେ ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନିଆ ଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଗୁରୁବାର ସଂଧ୍ୟାରେ ମୃତ୍ୟୁବରଣ କରିଥିବା ବ୍ଲାଡିମିର୍ ବିଦାନୋଭାଙ୍କ ଶେଷକୃତ୍ୟ ଆଜି ସଂଧ୍ୟାରେ ଶେଷ ହୋଇଛି। ବିଦାନୋଭା ମଧ୍ୟ ଅସୁସ୍ଥତା ଅନୁଭବ କରିବା ପରେ ଗୁରୁବାର ସଂଧ୍ୟାରେ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।
ବିଦାନୋଭାଙ୍କ ଶେଷକୃତ୍ୟ ପାଇଁ ଋଷ ରାଷ୍ଟ୍ରଦୂତଙ୍କ ସହ ରାୟଗଡ଼ା ପୁଲିସ୍ ଓ ଜିଲ୍ଲା ପ୍ରଶାସନ ଯୋଗାଯୋଗ କରିଥିଲା। ବିଦାନୋଭାଙ୍କ ପୁଅ ଭାରତ ଆସିବା ସମ୍ଭବ ନଥିବାରୁ ରାଷ୍ଟ୍ରଦୂତଙ୍କ ଜରିଆରେ ଶବ ବ୍ୟବଚ୍ଛେଦ ଓ ଶେଷକୃତ୍ୟ ପାଇଁ ସମ୍ମତି ପ୍ରଦାନ କରିଥିଲେ। ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ ଡାକ୍ତରୀ ଦଳ ବିଦାନୋଭାଙ୍କ ଶବ ବ୍ୟବଚ୍ଛେଦ କରିଛନ୍ତି। ପ୍ରାଥମିକ ତଦନ୍ତରୁ ହୃଦଘାତରେ ହିଁ ବିଦାନୋଭା ପ୍ରାଣ ହରାଇଥିବା ପୁଲିସ୍ କହିଛି। ସାଥୀ ପର୍ଯ୍ୟଟକଙ୍କ ଉପସ୍ଥିତିରେ ରାୟଗଡ଼ା ପୁଲିସ୍ ଶବ ବ୍ୟବଚ୍ଛେଦ ପରେ ସିରିଗୁଡ଼ା ଶ୍ମଶାନରେ ବିଦାନୋଭାଙ୍କ ଶେଷକୃତ୍ୟ ସଂପନ୍ନ କରିଛି। ଏହି ଘଟଣାର କିଛି ସମୟ ପରେ ହିଁ ଦ୍ବିତୀୟ ଋଷ ପର୍ଯ୍ୟଟକ ପାୱେଲ୍ ଆନ୍ଥେମଙ୍କ ମୃତ୍ୟୁ ହୋଇଛି। ଉଭୟେ ହୋଟେଲରେ ଗୋଟିଏ ରୁମରେ ରହୁଥିଲେ। ଦୁଇ ବନ୍ଧୁଙ୍କ ମୃତ୍ୟୁ ହୋଟେଲ୍ କର୍ତ୍ତୃପକ୍ଷଙ୍କ ସହ ଜିଲ୍ଲା ପୁଲିସ୍, ପ୍ରଶାସନ ଓ ସାଥୀ ପର୍ଯ୍ୟଟକଙ୍କୁ ଚକିତ କରିଛି।
ସୂଚନାଯୋଗ୍ୟ, ଗତ ୧୮ ତାରିଖରେ ଋଷିଆର ୪ ପର୍ଯ୍ୟଟକ ଓଡ଼ିଶା ପରିଭ୍ରମଣରେ ଆସିଥିଲେ। ଭୁବନେଶ୍ବରରୁ ସେମାନେ ଦାରିଙ୍ଗିବାଡ଼ି ଅଭିମୁଖେ ଯାଇ ବୁଲାବୁଲି କରିବା ପରେ ରାୟଗଡ଼ା ଆସିଥିଲେ। ବୁଧବାର ସନ୍ଧ୍ୟାରେ ସମସ୍ତ ପର୍ଯ୍ୟଟକ ରାୟଗଡ଼ାରେ ପହଞ୍ଚିବା ପରେ ହୋଟେଲରେ ରହିଥିଲେ। ଗୁରୁବାର ପୂର୍ବାହ୍ଣରେ ବିଦାନୋଭା ଅସୁସ୍ଥ ଅନୁଭବ କରିବା ସହ ହୋଟେଲ୍ ରୁମରେ ଅଣନିଶ୍ବାସୀ ହୋଇ ପଡିଥିଲେ। ବିଦାନୋଭାଙ୍କ ସହ ଥିବା ସାଥୀ ପର୍ଯ୍ୟଟକ ଏ ସଂପର୍କରେ ହୋଟେଲ୍ କର୍ତ୍ତୃପକ୍ଷଙ୍କୁ ଅବଗତ କରିବା ପରେ ଆମ୍ବୁଲାନସ୍ ଜରିଆରେ ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ବିଦାନୋଭାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଅନ୍ୟ ଜଣେ ପର୍ଯ୍ୟଟକ ପାୱେଲ୍ ଆନ୍ଥେମଙ୍କ ମୃତ୍ୟୁ ହୋଇଛି।