ରାଉରକେଲା: ବାସନ୍ତୀ କଲୋନି ମାଲ୍ ଗୋଦାମ ରେଳସାଇଡିଂ ଦୁର୍ଘଟଣାର ୩୪ ଘଣ୍ଟା ପରେ ଆଜି ଅପରାହ୍ଣ ପ୍ରାୟ ୪ଟା ୪୫ ମିନିଟ୍ରେ ଷ୍ଟେସନ୍ର ୪ ନଂବର ପ୍ଲାଟ୍ଫର୍ମ ନିକଟରେ ପୁଣି ଏକ ଦୁର୍ଘଟଣା ଘଟିଛି। ମୁମ୍ବାଇ-ହାୱଡ଼ା ମୁଖ୍ୟମାର୍ଗର ୧୦ ନଂବର ଟ୍ରାକ୍ରେ ମାଲ୍ଗାଡ଼ି ଲାଇଚ୍ୟୁତ୍ ହୋଇଥିଲା। ଫଳରେ ଗୋଟିଏ ବଗି ଲାଇନ୍ରୁ ତଳକୁ ଖସିଯିବା ପରେ ଇଞ୍ଜିନ୍ ବଗିକୁ ଛାଡ଼ି କିଛି ବାଟ ଚାଲିଯାଇଥିଲା। ଦୁର୍ଘଟଣା ପରେ ବନ୍ଧମୁଣ୍ଡା ଷ୍ଟେସନ୍ରେ ‘ହୁଟର୍’ (ହର୍ଣ୍ଣ) ବାଜିଥିଲା। ସତର୍କ ସୂଚନା ଶୁଣିବା ପରେ ଟୁଲ୍ ଭ୍ୟାନ୍ ଓ କ୍ରେନ୍ ବିଭାଗର ସମସ୍ତ କର୍ମଚାରୀଙ୍କ ସହ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି। ତେବେ କାହା ଅବହେଳାରୁ ଏମିତି ଅଘଟଣ ଘଟିଲା, ସେ ସଂପର୍କରେ ଅନୁଧ୍ୟାନ ଚାଲିଛି।
ମୁମ୍ବାଇ-ହାୱଡ଼ା ମୁଖ୍ୟମାର୍ଗରେ ମାଲଗାଡ଼ି ଲାଇନ୍ଚ୍ୟୁତ ହୋଇଥିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପୁନେ-ହାଟିଆ ଏକ୍ସପ୍ରେସ୍ ଟ୍ରେନ୍କୁ ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ରାଉରକେଲା ଷ୍ଟେସନ୍ରେ ଅଟକାଇ ରଖାଯାଇଥିଲା। ଘଣ୍ଟାକ ପରେ ୫ଟା ୪୫ ମିନିଟ୍ରେ ଟ୍ରାକ୍ରୁ ମାଲଗାଡ଼ିକୁ ହଟାଯିବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା। ଦୁର୍ଘଟଣା ଖବର ପାଇ ଚକ୍ରଧରପୁର ମଣ୍ଡଳର ମହାପ୍ରବନ୍ଧକ ତରୁଣ କୁମାର ହୁରିଆ ଓ ଅନ୍ୟ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଘଟଣାର ତଦନ୍ତ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଉରକେଲାରେ ବାରମ୍ବାର ରେଳ ଦୁର୍ଘଟଣା ହେଉଥିବାରୁ ରେଳ ବିଭାଗର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୂର୍ବରୁ ବନ୍ଧମୁଣ୍ଡା, ଇସ୍ପାତ କାରଖାନା ରେଳଲାଇନ୍, ମାଲଗୋଦାମ ସମେତ ଅନ୍ୟାନ୍ୟ ସ୍ଥାନରେ ମାଲ୍ଗାଡ଼ିଗୁଡ଼ିକ ଅନେକବାର ଲାଇନ୍ଚ୍ୟୁତ ହୋଇଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦାୟିତ୍ବରେ ଅବହେଳା ପାଇଁ କିଛି ଅଧିକାରୀ ଓ କର୍ମଚାରୀଙ୍କୁ ନିଲମ୍ବିତ କରି କାମ ସାରିଦେଉଛନ୍ତି। ଏଭଳି ଘଟଣାର କେମିତି ପୁନରାବୃତ୍ତି ନ ହେବ, ସେଥିପ୍ରତି ଯେତିକି ଗୁରୁତ୍ବ ଦିଆଯିବା କଥା, ତା’ ହେଉ ନଥିଲା ଭଳି ମନେ ହେଉଛି। ସୂଚନାଯୋଗ୍ୟ, ଗତକାଲି ବାସନ୍ତୀ କଲୋନି ମାଲ୍ଗୋଦାମ ରେଳସାଇଡିଂରେ ମାଲ୍ଗାଡ଼ିର ୪ଟି ବଗି ପାଚେରି ଭାଙ୍ଗି ବସ୍ତି ଭିତରକୁ ପଶିଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/07/Ce1vLzc2Wdk4fKQzjmvO.jpg)