ରାୟଗଡ଼ା: ଆନ୍ଧ୍ର ପ୍ରଦେଶର ବିଜୟନଗରମ୍-ବିଶାଖାପାଟଣା ରେଲ ଲାଇନ୍ର ଆଲମଣ୍ଡା ଓ କଣ୍ଟକପାଲ୍ଲୀ ଷ୍ଟେସନ ମଧ୍ୟରେ ଆଜି ସନ୍ଧ୍ୟା ୭ଟାରେ ଦୁଇଟି ଯାତ୍ରୀ ଟ୍ରେନ ମଧ୍ୟରେ ଧକ୍କା ଯୋଗୁ ୧୦ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି ଏବଂ ୫୦ରୁ ଅଧିକ ଆହତ ହୋଇଛନ୍ତି। ପାସେଞ୍ଜର ଟ୍ରେନ୍(୦୮୫୩୨) ବିଶାଖାପାଟଣାରୁ ପଲାସା ଯାଉଥିବା ବେଳେ ଏହାକୁ ପଛରୁ ଧକ୍କା ଦେଇଛି ରାୟଗଡ଼ା ଆସୁଥିବା ବିଶାଖାପଟଣା ପାସେଞ୍ଜର(୦୮୫୦୪)। ଫଳରେ ୪ଟି ବଗି ଲାଇନ୍ଚ୍ୟୁତ ହୋଇଛି। ଦୁର୍ଘଟଣାରେ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଊର୍ଦ୍ଧ୍ବ ଆହତ ହୋଇଥିବା ପ୍ରାଥମିକ ସୂଚନା ମିଳିଛି। ଗତ ଜୁନ ୨ ତାରିଖ ସନ୍ଧ୍ୟାର ବାଲେଶ୍ବର ଜିଲ୍ଲା ବାହାନଗା ଷ୍ଟେସନରେ ଠିକ୍ ଏହି ଢଙ୍ଗରେ ମାଲଗାଡ଼ି-କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ହୋଇଥିଲା। ଏହାକୁ ନେଇ ଯାତ୍ରୀମାନେ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଆଜିର ଦୁର୍ଘଟଣା ରେଳଯାତ୍ରା ସୁରକ୍ଷା ନେଇ ପ୍ରଶ୍ନଚିହ୍ନ ଲଗାଇଛି।
ମିଳିଥିବା ସୂଚନା ଅନୁଯାୟୀ, କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପଲାସା ପାସେଞ୍ଜର ଠିଆ ହୋଇଥିଲା। ଏହି ସମୟରେ ରାୟଗଡ଼ା ପାସେଞ୍ଜର ଆସି ଏହାକୁ ପଛରୁ ଧକ୍କା ଦେଇଥିଲା। ଧକ୍କା ଦେବାପରେ ରାୟଗଡ଼ା ପାସେଞ୍ଜରର ୪ଟି ବଗି ଲାଇନଚ୍ୟୁତ ହୋଇଛି। ଦୁର୍ଘଟଣା ସ୍ଥଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଲାଇନଚ୍ୟୁତ ହୋଇଥିବା ବଗି ଭିତରୁ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଉଛି। ବର୍ତ୍ତମାନ ସୁଦ୍ଧା ୧୦ ଜଣ ଯାତ୍ରୀଙ୍କର ମୃତଦେହ ମିଳିଥିବା ବେଳେ ୫୦ ଜଣ ଗୁରୁତର ଯାତ୍ରୀଙ୍କୁ ମେଡିକାଲ ପଠାଯାଇଛି। ତେବେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତାହତଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଅନ୍ଧାରରେ ଓଡ୍ରାଫ, ସ୍ଥାନୀୟ ଜନସାଧାରଣ, ଏନ୍ଡିଆରଏଫ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ଏଥିସହ ରାୟଗଡ଼ାରୁ ଗୋଟିଏ ଆମ୍ବୁଲାନ୍ସ ଘଟଣାସ୍ଥଳକୁ ଯାଇଥିବା ବେଳେ ପ୍ରାୟ ୧୮ଟି ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଛି। ଦୁର୍ଘଟଣା-ରିଲିଫ୍ ଟ୍ରେନ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସାରିଛି।
ରାୟଗଡ଼ା ପାସେଞ୍ଜର୍ ସିଗ୍ନାଲ୍ ନ ମାନିବାରୁ ଦୁର୍ଘଟଣା ଘଟିଛି
ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ
କଥା ହେଲେ ମୋଦୀ
ସହାୟତା ଘୋଷଣା କଲେ ଆନ୍ଧ୍ର ସରକାର
ଜଣେ ରେଳବାଇ ଅଧିକାରୀ କହିଛନ୍ତି ଯେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ି ନଥିଲେ ମଧ୍ୟ ରାୟଗଡ଼ା ପାସେଞ୍ଜର ସିଗ୍ନାଲକୁ ଖାତିର ନକରି ପଲାସା ପାସେଞ୍ଜରକୁ ଧକ୍କା ଦେଇଥିଲା। ତେବେ ଏହା ହେଉଛି ପ୍ରାଥମିକ ରିପୋର୍ଟ। ପ୍ରକୃତ କାରଣ ପରେ ଜଣାପଡ଼ିବ। ଦୁର୍ଘଟଣା କିଭଳି ଘଟିଲା ସେନେଇ ଲୋକୋ ପାଇଲଟଙ୍କ ବୟାନ ରେକର୍ଡ କରାଯିବ ବୋଲି ସେଣ୍ଟ୍ରାଲ ଇଷ୍ଟକୋଟ ରେଲୱେର ସିପିଆରଓ ବିଶ୍ବଜିତ ସାହୁ କହିଛନ୍ତି। ଏବେ ରିଲିଫ ଓ ଉଦ୍ଧାର କାର୍ଯ୍ୟକୁ ପ୍ରାଥମିକତା ଦିଆଯାଉଛି। ଖବର ପାଇ ଅନେକ ବରିଷ୍ଠ ରେଳ ଅଧିକାରୀ ଦୁର୍ଘଟଣାସ୍ଥଳରେ ପହଂଚିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଦୁର୍ଘଟଣା ନେଇ ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାତିରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି। ପରେ ଶ୍ରୀ ବୈଷ୍ଣବ କହିଛନ୍ତି, ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ସ୍ଥିତି ନିୟନ୍ତ୍ରଣରେ ରହିଛି। ଶ୍ରୀ ବୈଷ୍ଣବ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇଥିବା ସୂଚନା ଦେଇଛନ୍ତି। ସେପଟେ ଅାନ୍ଧ୍ର ମୁଖ୍ୟମନ୍ତ୍ରୀ ଦୁର୍ଘଟଣାର ତଦନ୍ତ ନିର୍ଦେଶ ଦେବା ସହିତ ସହାୟତା ଘୋଷଣା କରିଛନ୍ତି। ଆନ୍ଧ୍ର ନିବାସୀ ମୃତ୍ୟୁ ବରଣ କରିଥିଲେ ୧୦ ଲକ୍ଷ ଟଙ୍କା ଏବଂ ଅନ୍ୟ ରାଜ୍ୟ ମୃତ ଯାତ୍ରୀଙ୍କୁ ୨ ଲକ୍ଷ ଟଙ୍କା ମିଳିବ। ଆହତଙ୍କୁ ମଧ୍ୟ ୨ଲକ୍ଷ ଅର୍ଥରାଶି ଦେବାଲାଗି ଆନ୍ଧ୍ର ସରକାର ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ ଯେ ଗତ ଜୁନରେ ବାହାନଗାରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ୨୮୮ ଜଣ ପ୍ରାଣ ହରାଇଥିବା ବେଳେ ୧୧୦୦ରୁ ଅଧିକ ଆହତ ହୋଇଥିଲେ। ଦୁର୍ଘଟଣା ପରେ ଭୁବନେଶ୍ବର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ, ତିରୁପତି ଏକ୍ସପ୍ରେସ ଏବଂ ସମ୍ବଲପୁର ନାନ୍ଦେଦ ଏକ୍ସପ୍ରେସର ଯାତ୍ରାକୁ ଅଧାରୁ ବାତିଲ କରି ଦିଆଯାଇଛି।
ଉଦ୍ଧାରରେ ସାମିଲ ହୁଅ:ନବୀନ
ଭୁବନେଶ୍ବର: ଟ୍ରେନ୍ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ବେଗ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ସବୁ ପ୍ରକାର ସହାୟତା ଯୋଗାଇଦେବାକୁ ସ୍ବତନ୍ତ୍ର ରିଲିଫ୍ କମିସନର୍, ରାୟଗଡ଼ା ଓ କୋରାପୁଟ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।