ସୁନାବେଡ଼ା: ପୁଣି ରେଳ ଅଘଟଣ। ଏଥର କୋରାପୁଟ ଜିଲ୍ଲା ମାଛକୁଣ୍ଡ ନିକଟସ୍ଥ ଖୁଜେଲ ଗାଁ ନିକଟରେ ଘଟିଛି। ଯଦିଓ କୌଣସିପ୍ରକାର ବଡ଼ଧରଣର କ୍ଷୟକ୍ଷତି ହୋଇନାହିଁ। କିନ୍ତୁ, ମାଲ୍ବାହୀ ଟ୍ରେନ୍ର ବଗିଗୁଡ଼ିକୁ ମଝି ଟ୍ରାକ୍ରେ ଛାଡ଼ି ଇଞ୍ଜିନ ବହୁଦୂରକୁ ଚାଲିଯାଇଥିଲା। ଏଥିପାଇଁ କିଛି ସମୟ ପାଇଁ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଥିଲା।
ସୂଚନା ଅନୁଯାୟୀ, ଆଜି ସକାଳେ ଗୋଟିଏ ଲୁହା ପଥର ବୋଝେଇ ଟ୍ରେନ୍ କିରଣ୍ଡୁଲରୁ ବିଶାଖାପାଟଣା ଅଭିମୁଖେ ଯାତ୍ରା କରୁଥିଲା। ମଧ୍ୟାହ୍ନ ପ୍ରାୟ ୧୨ଟାରେ ମାଛକୁଣ୍ଡ ଷ୍ଟେସନଠାରୁ ଅଳ୍ପଦୂରରେ ହଠାତ୍ ଇଞ୍ଜିନ୍ରୁ ବଗି ଗୁଡ଼ିକ ବିଚ୍ଛିନ୍ନ ହୋଇଯାଇଥିଲା। ଯାହାଫଳରେ ଇଞ୍ଜିନ୍ ଆଗକୁ ଚାଲି ଯାଇଥିବା ବେଳେ କିଛିଦୂର ପର୍ଯ୍ୟନ୍ତ ବଗି ଗୁଡ଼ିକ ଗଡ଼ିବା ପରେ ଅଟକିଥିଲା। ପ୍ରାୟ ଅଧାକିଲୋମିଟର ଅତିକ୍ରମ କରିବା ପରେ ବିନା ବଗିରେ ଇଞ୍ଜିନ ବହୁଦୂରକୁ ଚାଲି ଆସିଥିବା ଚାଳକ ଜାଣିଥିଲେ। ଏହି ଅଘଟଣ ସଂପର୍କରେ ଖବର ପାଇ ନିକଟସ୍ଥ ରେଳ ଷ୍ଟେସନରୁ ବିଭାଗୀୟ କର୍ମଚାରୀ ପହଞ୍ଚିଥିଲେ। ଟ୍ରାକ୍ରେ ମରାମତି କାମ କରିବା ପରେ ଟ୍ରେନ୍ ଚଳାଚଳ ସ୍ବାଭାବିକ ହୋଇଥିଲା। ଅବହେଳା ନା ବୈଷୟିକ କାରଣରୁ ଏଭଳି ଅଘଟଣ ଘଟିଲା ସ୍ପଷ୍ଟ ହୋଇପାରିନି। ସୌଭାଗ୍ୟର କଥା କୌଣସି ପ୍ରକାର କ୍ଷୟକ୍ଷତି ହୋଇନାହିଁ।