ପୁରୀ: ଐତିହ୍ୟ ପଥରପୋଖରୀର ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟକୁ ଅବଢ଼ା ଯୋଜନାରେ ସାମିଲ କରାଯାଇଛି। ନିର୍ମାଣାଧୀନ ଅନ୍ୟ ତୀର୍ଥ ପୁଷ୍କରିଣୀ ଭଳି ଏହି ପୁଷ୍କରିଣୀକୁ ମଧ୍ୟ ଖଣ୍ଡୋଲାଇଟ୍ ପଥରରେ ଆଚ୍ଛାଦିତ କରାଯିବ। ପୁଷ୍କରିଣୀ ଚତୁଃପାର୍ଶ୍ବରେ ଖଣ୍ଡୋଲାଇଟ୍ ପଥରରେ ପୌରାଣିକ କଥାବସ୍ତୁର ଅବତାରଣା କରାଯିବ। ଏଥିପାଇଁ ଅବଢ଼ା ଯୋଜନାରେ ୨କୋଟି ୧୬ଲକ୍ଷ ୫୨ ହଜାର ୨୮୮ ଟଙ୍କା ମଞ୍ଜୁର ହୋଇଛି ଓ ଏହା ଟେଣ୍ଡର୍ ପ୍ରକ୍ରିୟାରେ ରହିଛି। ଓଡ଼ିଶା ସେତୁ ଓ ନିର୍ମାଣ ନିଗମ (ଓବିସିସି) ପକ୍ଷରୁ ସୌନ୍ଦର୍ଯ୍ୟୀକରଣ କରାଯିବ।
ମା’ ଅଲାମଚଣ୍ଡୀଙ୍କ ସମ୍ମୁଖ ଭାଗରେ ଶୋଭା ପାଉଥିବା ପଥରପୋଖରୀ ନବକଳେବର ସହ ଜଡ଼ିତ। ମହାପ୍ରଭୁଙ୍କ ନବକଳେବର ସମୟରେ ଦଇତାପତିମାନେ ବନଯାଗ ଯାତ୍ରାରେ ଦାରୁ ନେଇ ଫେରିବା ବେଳେ ଏଇଠାରେ ବିଶ୍ରାମ ନେଇ ପୁଷ୍କରିଣୀରେ ସ୍ନାନ କରନ୍ତି। ସେଠାରେ ଅଟକି ଥିବା ଦାରୁ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କରେ। ମାତ୍ର ଐତିହ୍ୟ ଗୁରୁତ୍ବ ବହନ କରୁଥିବା ଏହି ପୁଷ୍କରିଣୀ ପର୍ଯ୍ୟଟକଙ୍କ ଆଢ଼ୁଆଳରେ ରହିଯାଇଛି। ପୁଷ୍କରିଣୀ ଧୀରେଧୀରେ ଅବରୋଧ ହୋଇଚାଲିଛି। ଦ୍ବିତୀୟ ତୁଠ ପାର୍ଶ୍ବ ଅବରୋଧ ହେବା ଯୋଗୁ ଆଉ ସେଠାରେ ତୁଠ କାର୍ଯ୍ୟ ହୋଇପାରୁନାହିଁ। ମୁଖ୍ୟ ତୁଠ ଅପରପାର୍ଶ୍ବରେ ଏକ ମନ୍ଦିର ଥିଲେ ହେଁ ତାହା ବି ଅବରୋଧ ଯୋଗୁ ନିଶ୍ଚିହ୍ନ ହୋଇଯାଇଛି। ପୁଷ୍କରିଣୀର ପାଚେରି ଭାଙ୍ଗି ଯାଇଥିଲେ ବି ଏଯାଏ ନିର୍ମାଣ ହୋଇନାହିଁ। ପଙ୍କରେ ଭର୍ତ୍ତି ହୋଇଯାଇଥିଲେ ମଧ୍ୟ ପଙ୍କ ଉଝଳା ଯାଇନାହିଁ। ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଭଳି କୌଣସି ବ୍ୟବସ୍ଥା ଉବଲବ୍ଧ ନାହିଁ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ନିକଟରେ ମୁକ୍ତା ଯୋଜନାରେ ୧୪ଲକ୍ଷ ୯୫ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ପୁଷ୍କରିଣୀର ନବୀକରଣ ଓ ପୁନରୁଦ୍ଧାର ପାଇଁ ଏହି ଅର୍ଥ ମଞ୍ଜୁର ହୋଇଥିଲେ ହେଁ ଏଯାଏ କାମ ଆରମ୍ଭ ହୋଇନାହିଁ। ଏଣେ ମୁକ୍ତା ପରେ ଅବଢ଼ା ଯୋଜନାରେ ଅର୍ଥ ମଞ୍ଜୁର ହୋଇ ଟେଣ୍ଡର୍ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। କିନ୍ତୁ ବାସ୍ତବରେ ପଥରପୋଖରୀର ସୀମା କେଉଁଠି ଥିଲା ସେନେଇ ପ୍ରଶାସନ ଗୁରୁତ୍ବ ଦେଇନାହିଁ।
ଏ ବାବଦରେ ଓବିସିସିର ମହାପ୍ରବନ୍ଧକ ସୁନ୍ଦର ମାଧବ ପାଢ଼ୀ କହିଛନ୍ତି, ନରେନ୍ଦ୍ର, ଇନ୍ଦ୍ରଦ୍ୟୁମ୍ନ, ମାର୍କଣ୍ଡ ଓ ଶ୍ବେତଗଙ୍ଗା ଭଳି ଏହି ପୁଷ୍କରିଣୀ ନୂଆ ରୂପ ପାଇବ। ଚତୁଃପାର୍ଶ୍ବରେ ସୌନ୍ଦର୍ଯ୍ୟୀକରଣ କରାଯିବା ସହ ମଜଭୁତ ପାଚେରି ନିର୍ମିତ ହେବ। ଏହା ମଧ୍ୟରେ ଖଣ୍ଡୋଲାଇଟ୍ ପତରରେ କାରୁକାର୍ଯ୍ୟପୂର୍ଣ୍ଣ ପୌରାଣିକ କଥାବସ୍ତୁ ସ୍ଥାନିତ ହେବ। ଚତୁଃପାର୍ଶ୍ବରେ କେଉଁ କଥାବସ୍ତୁ ସ୍ଥାନ ପାଇବ ସେନେଇ ଏକ କମିଟି ମାଧ୍ୟମରେ ନିଷ୍ପତ୍ତି ନିଆଯିବ। ଏହା ବ୍ୟତୀତ ଖଣ୍ଡୋଲାଇଟ୍ ପାହାଚ ଓ ଚତୁଃପାର୍ଶ୍ବକୁ ବୃକ୍ଷରାଜିରେ ସଜାଯିବ। ପର୍ଯ୍ୟଟକଙ୍କ ପାଇଁ ମୌଳିକ ସୁବିଧା ନେଇ ବ୍ୟବସ୍ଥା ରହିବ ବୋଲି ସେ କହିଛନ୍ତି।
ମା’ ଅଲାମଚଣ୍ଡୀ ପଥର ପୋଖରୀ ଉନ୍ନୟନ କମିଟିର ସଭାପତି ଅମିୟ ମହାପାତ୍ର କହିଛନ୍ତି, ପଥର ପୋଖରୀର ଐତିହ୍ୟ ଗୁରୁତ୍ବ ଏଯାଏ ଠିକ୍ ଢଙ୍ଗରେ ଉପସ୍ଥାପିତ ହୋଇପାରିନାହିଁ। ମୁଖ୍ୟ ତୁଠ ଅପରପାର୍ଶ୍ବ ଅବରୋଧ ହୋଇଯାଇଛି। ତୁଠ ଓ ମନ୍ଦିର ନିଶ୍ଚିହ୍ନ ହୋଇଯାଇଛି। ଏଥିପ୍ରତି ଗୁରୁତ୍ବ ଦିଆଯିବା ଆବଶ୍ୟକ। ୨୦୧୫ ନବକଳେବର ବେଳେ ୨୭ ଲକ୍ଷ ଟଙ୍କା ବ୍ୟୟରେ ଏହାର ମରାମତି ଓ ପୁନରୁଦ୍ଧାର କରାଯାଇଥିଲା। କିନ୍ତୁ ବର୍ଷେ ନପୂରୁଣୁ ପୋଖରୀର ପାଚେରି ଭାଙ୍ଗିଯାଇଥିଲା। ପାହାଚଗୁଡ଼ିକ ନଷ୍ଟ ହୋଇଯାଇଥିଲା। ବାରମ୍ବାର ପାଚେରି ପୁନଃ ନିର୍ମାଣ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟିଛୁ। ଏବେ କାମ କରିବା ପାଇଁ ଅର୍ଥ ମଞ୍ଜୁର ହୋଇଛି। ଉନ୍ନତୀକରଣ କରାଯିବ। କିନ୍ତୁ ସୌନ୍ଦର୍ଯ୍ୟୀକରଣ କରିବା ଯେତିକି ସ୍ବାଗତଯୋଗ୍ୟ, ରକ୍ଷଣାବେକ୍ଷଣ କରିବା ସେତିକି ଗୁରୁତ୍ବପୂର୍ଣ୍ଣ। ସୌନ୍ଦର୍ଯ୍ୟୀକରଣ ପରେ ଯେପରି ତତ୍ତ୍ବାବଧାରକ ରହିବେ ସେନେଇ ନିଶ୍ଚିତ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।