ଭୁବନେଶ୍ବର: ରାଜ୍ୟ ବାହାରେ ଆଡ଼ା ଜମାଇଥିବା ବଡ଼ବଡ଼ ସାଇବର ଠକେଇ ରୢାକେଟ୍ ଓଡ଼ିଶାରେ ମାଳମାଳ ମୋହରା ତିଆରି କରି ବଜାରରେ ଠିଆ କରାଇଛନ୍ତି। ଏହି ମୋହରାମାନେ ନକଲି କମ୍ପାନି କରି ଅଧିକ ରିଟର୍ଣ୍ଣ ଦେବାର ପ୍ରଲୋଭନ ଦେଖାଇ ନିବେଶକଙ୍କୁ ଚୂନ ଲଗାଉଛନ୍ତି। ମାସକ ଭିତରେ ସାଇବର ଥାନା ପୁଲିସ ଏମିତି ୩ ମୋହରା କମ୍ପାନିର ୪ଜଣଙ୍କୁ ଗିରଫ କରିଛି। ଆଜି ସେମିତି ଏକ ଠକ କମ୍ପାନିର ମାଲିକକୁ ଭଦ୍ରକରୁ ଗିରଫ କରାଯାଇଛି। ସେ ହେଲା ଭଦ୍ରକ ଗ୍ରାମାଞ୍ଚଳ ଥାନା କଉପୁର ଗାଁର ଉମାଶଙ୍କର ଦୀକ୍ଷିତ(୪୧)। ତା’ ପାଖରୁ ମୋବାଇଲ୍, ସିମ୍ କାର୍ଡ, ବ୍ୟାଙ୍କ୍ ପାସ୍ବୁକ୍ ଏଟିଏମ୍ ଓ ଡେବିଟ୍ କାର୍ଡ ଆଦି ଜବତ କରାଯାଇଛି। ଦୀକ୍ଷିତ ଏଣ୍ଟରପ୍ରାଇଜର୍ସ ନାଁରେ ଏକ ନକଲି କମ୍ପାନି ଥିବା ଜଣାପଡ଼ିଛି ଏବଂ ୧୨ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଥିବା ଧର୍ମେନ୍ଦ୍ର ପୃଷ୍ଟିଙ୍କ ଟଙ୍କା ତା’ ସଂସ୍ଥା ଆକାଉଣ୍ଟକୁ ଯାଇଥିବା ସ୍ପଷ୍ଟ ହୋଇଛି। କେବଳ ସେତିକି ନୁହେଁ, ଉମାଶଙ୍କର ଆକାଉଣ୍ଟରୁ ୫ ଲକ୍ଷ ଟଙ୍କା ମିଳିଛି ଏବଂ ସେସବୁ ସାଇବର ଠକ ରୢାକେଟ୍ର କମିସନ ବୋଲି ତଦନ୍ତରୁ ଜଣାପଡ଼ିଛି। ଉମାଶଙ୍କର କମ୍ପାନିର ଆକାଉଣ୍ଟକୁ ବ୍ୟବହାର କରି ରାଜ୍ୟ ବାହାରେ ଜାଲ ବିଛାଇ ବସିଥିବା ସାଇବର ଠକ ରୢାକେଟ୍ ୮ଟି ରାଜ୍ୟରୁ କୋଟିଏରୁ ଅଧିକ ଟଙ୍କା ଠକିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ଚଳିତ ବର୍ଷ ଫେବ୍ରୁଆରି ୨୪ରେ ଅଭିଯୋଗକାରୀ ଧର୍ମେନ୍ଦ୍ର ପୃଷ୍ଟି ସୋସିଆଲ୍ ମିଡିଆ ମାଧ୍ୟମରେ ଏକେ କ୍ୟାପିଟାଲ୍ ନାମକ ଟ୍ରେଡିଂ କମ୍ପାନି ଲିଙ୍କ୍ରେ ଆସିଥିଲେ।
ଏଥିରେ ପୁଞ୍ଜିନିବେଶ କଲେ ଅଧିକ ରିଟର୍ଣ୍ଣ ମିଳିବ ବୋଲି ତାଙ୍କୁ କୁହାଗଲା ଏବଂ ଏକ ହ୍ବାଟସ୍ଆପ୍ ଗ୍ରୁପ୍ରେ ତାଙ୍କୁ ଯୋଡ଼ିଦିଆଗଲା। ଲୋଭର ବଶବର୍ତ୍ତୀ ହୋଇ ଧର୍ମେନ୍ଦ୍ର ୧୨ ଲକ୍ଷ ଟଙ୍କା ନିବେଶ କରିଥିଲେ। କିନ୍ତୁ ପରେ ଟଙ୍କା ଫେରିପାଇଲେ ନାହିଁ। ସାଇବର ଥାନା ପୁଲିସ ତଦନ୍ତ କରି ଧର୍ମେନ୍ଦ୍ର ଟଙ୍କା ପଠାଇଥିବା ଆକାଉଣ୍ଟକୁ ଠାବ କରିଥିଲା। ଏହା ଥିଲା ଅଭିଯୁକ୍ତ ଉମାଶଙ୍କର ପରିଚାଳିତ ଦୀକ୍ଷିତ ଏଣ୍ଟରପ୍ରାଇଜର୍ସ ସଂସ୍ଥାର ଆକାଉଣ୍ଟ। ଏହାପରେ ପୁଲିସ ତାକୁ ଉଠାଇଛି। ତଦନ୍ତରୁ ଜଣାପଡ଼ିଛି ଯେ ନକଲି ଟ୍ରେଡିଂ କମ୍ପାନି ଏକେ କ୍ୟାପିଟାଲ୍ ଲିମିଟେଡ୍ ନାଁରେ ଯେଉଁ ସାଇବର ଠକ ରୢାକେଟ୍ ନିବେଶକଙ୍କୁ ଲୁଟୁଛି, ତାହାର ଏକ ମ୍ୟୁଲ୍ ଆକାଉଣ୍ଟ ହେଉଛି ଉମାଶଙ୍କର ପରିଚାଳିତ ଦୀକ୍ଷିତ ଏଣ୍ଟରପ୍ରାଇଜର୍ସ। ୨ ପ୍ରତିଶତ କମିସନ ପାଇବା ଲୋଭରେ ଉମାଶଙ୍କର ସାଇବର ଠକ ରୢାକେଟ୍ର ମୋହରା ସାଜିଥିଲା। ଏହି ଆକାଉଣ୍ଟରେ ବିହାର, ମଧ୍ୟପ୍ରଦେଶ, ତେଲେଙ୍ଗାନା, ରାଜସ୍ଥାନ, କର୍ଣ୍ଣାଟକ ଆଦି ୮ଟି ରାଜ୍ୟର ନିବେଶକ ପାଖାପାଖି କୋଟିଏ ଟଙ୍କାର କାରବାର ହୋଇଛି। ସୂଚନାଯୋଗ୍ୟ ଯେ ପୂର୍ବରୁ ଅନୁରୂପ ଠକେଇ ମାମଲାରେ ବେଙ୍ଗାଲୁରୁରେ ୨ ନକଲି କମ୍ପାନି କରିଥିବା କୋରାପୁଟର ପ୍ରିୟରଞ୍ଜନ ସ୍ବାଇଁ, ସିର୍ଦ୍ଧାଥ ପୂଜାରୀ, ବିବେକ ସିଂ ଓ ଖୋର୍ଦ୍ଧାର ଅବିନାଶ ସାହୁଙ୍କୁ ଗିରଫ କରାଯାଇଛି। ଠିକ୍ ସେହିଭଳି ଆଉ ଏକ ମାମଲାରେ ପୁଲିସ ବାଲେଶ୍ବରରୁ ପ୍ରମୋଦ ମହାନ୍ତିକୁ ବାନ୍ଧିଛି।