କୋକସରା: ୨୪ ଘଣ୍ଟା ନପୂରୁଣୁ ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ସୋମବାର କଳାହାଣ୍ଡି ଜିଲ୍ଲା ଗମ୍ଭାରୀଗୁଡ଼ା ପଞ୍ଚାୟତ ସିର୍ଲିଗୁଡ଼ା ଗାଁକୁ ଜଣେ ଦାଦନ ଶ୍ରମିକଙ୍କ ଶବ ଫେରିଥିବା ବେଳେ ପୁଣି ଜଣେ ଶ୍ରମିକଙ୍କ ମୃତ୍ୟୁ ସିକନ୍ଦରାବାଦରେ ହୋଇଥିବା ଜଣାପଡ଼ିଛି। ମୃତକ ସାନପୋଡ଼ାଗୁଡ଼ା ପଞ୍ଚାୟତ ନେଗୀଗୁଡ଼ା ଗାଁର ବାଳମତ ସୁନାଙ୍କ ପୁଅ ସତ୍ୟ ସୁନା(୨୪) ବୋଲି ଜଣାପଡ଼ିଛି। ପରିବାର ଲୋକଙ୍କ କହିବା ଅନୁସାରେ, ସେ ମାସେ ତଳେ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ପିଠାପଡ଼ା ଗାଁର ଦାଦନ ସର୍ଦାର ସୁଧାନ୍ୟ ସୁନାଙ୍କ କଥାରେ ପଡ଼ି ସିକନ୍ଦରାବାଦର ଏକ ଇଟାଭାଟିକୁ କାମ କରିବାକୁ ଯାଇଥିଲେ।
ଗତ ଗୁରୁବାର ଇଟାଭାଟିରେ କାମ କରୁଥିବାବେଳେ ଇଟାଭାଟି ପାଉଁଶରେ ପୋଡ଼ିଯାଇ ଗୁରୁତର ହୋଇଥିଲେ। ତାଙ୍କୁ ସିକନ୍ଦରାବାଦର ଗାନ୍ଧୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ସଂଧ୍ୟାରେ ମୃତ୍ୟୁ ଘଟିଥିଲା। ରାତିରେ ପୁଅ ମୃତ୍ୟୁ ଖବର ପାଇ ପରିବାର ଲୋକେ ଭାଙ୍ଗି ପଡ଼ିଥିଲେ। ଅନ୍ୟପଟେ ଶବ ଆଣିବାକୁ ମୃତକଙ୍କ ବାପା ବାଳମତ ସୁନା ଓ ସଂପର୍କୀୟ ଦଶରଥ ଖମାରୀ ସିକନ୍ଦରାବାଦ ଯାଇଛନ୍ତି। କିଛି ମାସ ମଧ୍ୟରେ କୋକସରା ବ୍ଲକ୍ର ବିଭିନ୍ନ ପଞ୍ଚାୟତ ଦାଦନ ଖଟିବାକୁ ଯାଇଥିବା ୧୦ ଜଣଙ୍କ ମୃତ୍ୟୁ ଘଟିଲାଣି।