ସୁରତ ଯାତ୍ରାବେଳେ ଆଉ ଜଣେ ଶ୍ରମିକ ମୃତ

ମାଲିକ ଟିକେଟ୍‌ ଦେଇ ଡାକିଲେ, ବିମାନବନ୍ଦରରେ ଜୀବନ ଚାଲିଗଲା

ତିର୍ତୋଲ : ସୁରତର ସୂତାକଳର ମାଲିକ ଜୀବକା ହରାଇଥିବା ୫ ଜଣ ଓଡ଼ିଆ ପ୍ରବାସୀ ଶ୍ରମିକଙ୍କୁ ବିମାନରେ ଯିବା ପାଇଁ ଟିକେଟ୍‌ ବ୍ୟବସ୍ଥା କରିଥିଲେ। କିନ୍ତୁ, ଠିକଣା ଜାଗାରେ ପହଞ୍ଚି ପୁଣିଥରେ ରୋଜଗାର କରିବା ବୋଧେ ଭାଗ୍ୟରେ ନଥିଲା। ବିମାନ ବନ୍ଦରରେ ତାଙ୍କର ଜୀବନ ଚାଲିଗଲା। ମୃତ ଶ୍ରମିକ ହେଲେ, ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ୍‌ କାବଲପୁର ଗ୍ରାମର ଅମରେନ୍ଦ୍ର ଶୁକ୍ଳ(୪୮)।

ସୂଚନା ଅନୁସାରେ, କ‌ରୋନା କଟକଣାରେ ଜୀବିକା ହରାଇ ଗାଁକୁ ଫେରିଥିବା ୫ ଜଣ ଶ୍ରମିକଙ୍କୁ ଫେରାଇ ନେବାକୁ ସୂତାକଳ ମାଲିକ ବିମାନରେ ଟିକେଟ୍ କରିଥିଲେ। ୩ଜଣ ଶ୍ରମିକଙ୍କ ପାଇଁ ସିଧା ସୁରତକୁ ଥିବା ବିମାନରେ ଟିକେଟ ମିଳିଥିଲା। କିନ୍ତୁ ଅମରେନ୍ଦ୍ର ଓ ତାଙ୍କର ନୟାଗଡ଼ ସହଯୋଗୀଙ୍କୁ ବେଙ୍ଗାଲୁରୁ ଦେଇ ଯାଉଥିବା ଅନ୍ୟ ଏକ ବିମାନରେ ପାଇଁ ବିମାନ ଟିକେଟ୍ ହୋଇଥିଲା। ସେଠାରୁ ଅନ୍ୟ ଏକ ବିମାନରେ ସୁରତ ଯାଇଥା’ନ୍ତେ। କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା। ଅମରେନ୍ଦ୍ର ଥିଲେ ମୃତ୍ୟୁ ପଥର ଯାତ୍ରୀ। ଅଧାବାଟରେ ଯେମିତି ଅମରେନ୍ଦ୍ରଙ୍କୁ ମୃତ୍ୟୁ ଅପେକ୍ଷା କରି ରହିଥିଲା। ଗତ ୩୦ ତାରିଖରେ ବେଙ୍ଗାଲୁରୁରେ ଗୋଟିଏ ବିମାନରୁ ଓହ୍ଲାଇ ଅନ୍ୟ ଏକ ବିମାନରେ ସୁରତ ଯିବାକୁ ଉଦ୍ୟମ କଲାବେଳେ ସେ ଘରକୁ ଫୋନ୍‌ରେ ଭଲରେ ପହଞ୍ଚିଥିବା ଖବର ଦେଇଥିଲେ । କିଛି କ୍ଷଣ ଭିତରେ ସେହିଠାରେ ହିଁ ଟଳିପଡ଼ିଥିଲେ । ସାଙ୍ଗରେ ଥିବା ନୟାଗଡ଼ ଜିଲ୍ଲାର ଅନ୍ୟ ଜଣେ ସୁରତ ଫେରନ୍ତା ହଡ଼ବଡ଼େଇ ଯାଇ ତାଙ୍କୁ କୌଣସିମତେ ଏକ ହସ୍‌ପିଟାଲ ନେଇ ଯାଇଥିଲେ। କିନ୍ତୁ ସେଠାରେ ଚିକିତ୍ସାରେ ବିଳମ୍ବ ହୋଇଥିଲା। କରୋନା ଓ ଅନ୍ୟାନ୍ୟ ପରୀକ୍ଷା କରି କୌଣସି ମେଡ଼ିକାଲରେ ଚିକିତ୍ସା ଆରମ୍ଭ ହେବା ପୂର୍ବରୁ ତାଙ୍କ ନାକ, ଆଖି, କାନରୁ ରକ୍ତସ୍ରାବ ପରେ ପରେ ଡାକ୍ତର ମୃତ ଘୋଷଣା କରିଥିଲେ।

ଏଣେ ଅମରେନ୍ଦ୍ରଙ୍କ ପରିବାର ନିକଟରେ ପହଞ୍ଚିବା ପାଇଁ ପରିବାର ନିକଟ‌ରେ କୌଣସି ସମ୍ବଳ ନଥିଲା। ପରିବାରରେ ଅଛନ୍ତି ଅମରେନ୍ଦ୍ରଙ୍କ ପତ୍ନୀ ରେଣୁବାଳା, ଝିଅ ପୂଜା ଓ ୧୦ମ ପଢ଼ୁଥିବା ପୁଅ ଗଣେଶ। ଶେଷକୁ ଟଙ୍କା ପଇସା ଯୋଗାଡ଼ କରି ଜଣେ ସମ୍ପର୍କୀୟ ପୁତୁରା ସେଠାରେ ଆଜି ପହଞ୍ଚିବା ପରେ ବାଙ୍ଗଲୋରର କେରାମଙ୍ଗଳ ଠାରେ ଶବକୁ ସଂସ୍କାର କରିଛନ୍ତି। ଦୁଇ ଦିନ ତଳେ ସୁରତ ଫେରୁଥିବା ଶ୍ରମିକଙ୍କ ବସ୍‌ ଦୁର୍ଘଟଣାରେ ଗଞ୍ଜାମର ୭ ଜଣ ଶ୍ରମିକଙ୍କ ଦୁଃଖଦ ମୃତ୍ୟୁ ପରେ ଏହା ହେଉଛି ଆଉ ଏକ ଦୁଃଖଦ ଘଟଣା।

ସମ୍ବନ୍ଧିତ ଖବର