କରୋନା ସନ୍ଦେହରେ ଏସସିବିରେ ଭର୍ତ୍ତି ହେଲେ ଆଉ ଜଣେ ଚୀନ ଫେରନ୍ତା ଯୁବକ

କଟକ: ରାଜ୍ୟରେ ଭୟ ବଢାଉଛି କରୋନା ଭୂତାଣୁ । କରୋନା ସନ୍ଦେହରେ ଆଉ ଜଣେ ଚୀନ ଫେରନ୍ତା ଯୁବକ ଏସସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏହି ଯୁବକଙ୍କୁ ଏସସିବିର ସ୍ୱତନ୍ତ୍ର ୱାର୍ଡରେ ଭର୍ତ୍ତି କରାଯାଇଛି । ତାଙ୍କର ଘର ଜଗତସିଂହପୁର ଜିଲ୍ଲାରେ ହୋଇଥିବାବେଳେ ସେ ଚୀନର ହଂକଂରେ ଚାକିରି କରନ୍ତି । ଜାନୁଆରୀ ୨୫ ତାରିଖରେ ସେ ଚୀନରୁ ଘରକୁ ଫେରିଥିଲେ । ଭାରତ ଫେରିବା ପରେ ବେଙ୍ଗାଲୁରୁରେ ଥଣ୍ଡା ଓ ଜ୍ୱରର ଶିକାର ହୋଇଥିଲେ ।

ବେଙ୍ଗାଲୁରୁରୁ ଓଡିଶା ଫେରିବା ପରେ ପରେ ତାଙ୍କୁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କଠାରେ କରୋନା ଭୂତାଣୁ ଥିବା ସନ୍ଦେହ କରାଯାଉଛି । ତାଙ୍କର ରକ୍ତ ଓ ଲାଳ ନମୂନା ପୁଣେକୁ ପରୀକ୍ଷା ପାଇଁ ପଠାଯାଇଛି । ସେପଟେ ଫୁଲବାଣୀର ଡାକ୍ତରୀ ଛାତ୍ର ମୃତ୍ୟୁଞ୍ଜୟ ମୁନିଙ୍କ ଠାରେ କରୋନା ଭୂତାଣୁ ରିପୋର୍ଟ ନେଗେଟିଭ୍ ଆସିବା ସମସ୍ତଙ୍କ ପାଇଁ ଆଶ୍ୱସ୍ତିର ଖବର ହୋଇଛି ।

ଆଉ ଜଣେ ଡାକ୍ତରୀ ଛାତ୍ରୀଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଏଠାରେ ସୂଚନା ଥାଉ କି କରୋନା ଭୂତାଣୁରେ ଚୀନରେ ଏଯାଏଁ ୨୦ ହଜାର ୫୦୦ ଲୋକ ସଂକ୍ରମିତ ହୋଇଥିବା ବେଳେ ଚୀନ ବାହାରେ ୧୯୨ ଜଣ ବ୍ୟକ୍ତି ଏହି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ଚୀନରେ କରୋନା ମୃତ୍ୟୁ ସଂଖ୍ୟା ୪୯୦ ରେ ପହଂଚିଛି ।

ସମ୍ବନ୍ଧିତ ଖବର