ପାଟପୁର: ଗଞ୍ଜାମ ଜିଲ୍ଲାରେ ପୁଣି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ। ପାଟପୁର ଥାନା ଅଧୀନ ରାମଚନ୍ଦ୍ରପୁର ଗ୍ରାମ ବ୍ରିଜ୍ ନିକଟ ଋଷିକୁଲ୍ୟା କେନାଲହୁଡ଼ା କାଳିଆଘାଇ ରାସ୍ତାପାର୍ଶ୍ବରୁ ଆଜି ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ଉଦ୍ଧାର ହୋଇଛି। ମୃତକଜଣକ ହେଲେ, ପି.ସାମନ୍ତରାପୁର ଗ୍ରାମର ହୀନ ପାତ୍ର। ଗତକାଲି ରାତିରେ ହୀନ ବ୍ରହ୍ମପୁରରୁ ବାଇକ୍ ଯୋଗେ ନିଜ ଗ୍ରାମକୁ ଆସୁଥି‌ଲେ ହେଁ, ଘରେ ପହଞ୍ଚି ନଥିଲେ। ଆଜି ସକାଳେ ବ୍ରିଜ୍ କେନାଲହୁଡ଼ା ରାସ୍ତାପାର୍ଶ୍ବରେ ତାଙ୍କ ଶବ ପଡ଼ିଥିଲା। କିଛି ଦୂରରେ କିନ୍ତୁ ତାଙ୍କ ବାଇକ୍‌ଟି ଛିଡ଼ା ହୋଇ ରହିଥିଲା।

Advertisment

ଆଜି ସକାଳେ ଗ୍ରାମର କିଛି ଲୋକ ଶୌଚ ପାଇଁ ଯାଇଥିବା ସମୟରେ ଶବକୁ ଦେଖିବା ପରେ ପୁଲିସକୁ ସୂଚନା ଦେଇଥିଲେ। ପାଟପୁର ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନଭିନ୍ କରିଛି। ବ୍ୟବ‌ଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ଏହା ହତ୍ୟା ନା’ ଅଘଟଣ ଏନେଇ ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଶବ ମିଳିଥିବା ସ୍ଥାନଟି ପାଟପୁର ନା’ ଶେରଗଡ଼ ଥାନା ଅଧୀନରେ ରହିଛି ଏହାକୁ ନେଇ ଦ୍ବନ୍ଦ୍ବ ଦେଖାଦେଇଥିଲା। ଆସିକା ଏସ୍‌ଡିପିଓ ସନ୍ତୋଷ କୁମାର ଜେନା ଘଟଣାସ୍ଥଳରେ ପହଞ୍ଚିବା ପରେ ଘଟଣାସ୍ଥଳ ପାଟପୁର ଥାନା ଅଧୀନରେ ରହିଥିବା ସ୍ପଷ୍ଟ କରାଯାଇଥିଲା।