ବ୍ରହ୍ମଗିରି: ଆଜି ଚତୁର୍ଦ୍ଧାମୂର୍ତ୍ତି ଅତ୍ୟଧିକ ସ୍ନାନ କରିବା ଯୋଗୁ ଜ୍ବରରେ ପୀଡିତ ହୋଇ ଅଣସର ପିଣ୍ତିକୁ ବିଜେ କରିଛନ୍ତି। ଏଣୁ ଆଜିଠାରୁ ଶ୍ରୀଜିଉଙ୍କ ପରିବର୍ତ୍ତେ ଶ୍ରୀମନ୍ଦିରରେ ପଟ୍ଟିଦିଅଁଙ୍କୁ ଶ୍ରଦ୍ଧାଳୁ ଦର୍ଶନ କରି ପାରିବେ। ସମାନ୍ତରାଳ ଭାବେ ଶ୍ରଦ୍ଧାଳୁମାନେ ଆସନ୍ତାକାଲିଠାରୁ ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ ହେବ। ୧୫ ଦିନ ପର୍ଯ୍ୟନ୍ତ ଅଣସର ଦର୍ଶନ କରିବେ ଭକ୍ତ। ଚତୁର୍ଦ୍ଧାମୂର୍ତ୍ତି ଅଣସର ପିଣ୍ତିକୁ ବିଜେ ସମୟରେ ଶ୍ରୀଅଲାରନାଥଙ୍କ ଦର୍ଶନର ସମଫଳ ମିଳିଥାଏ ବୋଲି ବିଶ୍ବାସ ରହିଛି।
ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଅଣସର ସମୟରେ ଦର୍ଶନ କରିବାରୁ ବଞ୍ଚିତ ରହିଥିଲେ। ଚଳିତ ବର୍ଷ କଟକଣା ହଟିବା ଫଳରେ ଆସନ୍ତାକାଲିଠାରୁ ଶ୍ରଦ୍ଧାଳୁ ଦର୍ଶନ କରିବେ। ସେଥିପାଇଁ ପ୍ରଶାସନ ସମସ୍ତ ପ୍ରସ୍ତୁତି ଶେଷ କରିଛି। ୬ ପ୍ଲାଟୁନ୍ ପୁଲିସ ଫୋର୍ସ ସହିତ ୨୦ରୁ ଅଧିକ ଅଧିକାରୀ ମୁତୟନ ରହିବେ। ଶ୍ରୀଜିଉଙ୍କ ସମସ୍ତ ନୀତିକାନ୍ତି ସ୍ଥିର ହୋଇ ସାରିଥିବା ବେଳେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ପ୍ରଶାସନ ସବୁ ପ୍ରସ୍ତୁତି ଶେଷ କରି ସାରିଛି। ସିସିଟିଭି ସଚଳ ହୋଇଥିବା ବେଳେ ବ୍ୟାରିକେଡ୍ ଲାଗି ସାରିଛି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।
ଆସନ୍ତାକାଲି ରାତି ୩ଟାରୁ ମନ୍ଦିର ଖୋଲାଯିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଭୋର ୫ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ମଧ୍ୟ୍ୟାହ୍ନ ୧୨ଟାରେ ସକାଳ ଧୂପ ଓ ଗୋଟାଏରେ ଦ୍ବିପ୍ରହର ଧୂପ ନୀତି ବଢ଼ିବ। ପୁଣି ଅପରାହ୍ଣ ୨ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଅଗ୍ନିଶମ ବାହିନୀ, ମେଡିକାଲ ଟିମ୍, ସ୍ବେଚ୍ଛାସେବୀ ସ୍ବତନ୍ତ୍ର କ୍ୟାମ୍ପ କରିବେ ବୋଲି ପ୍ରଶାସନ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/4hsf64hsf654h6sf54h65.jpg)