ରାଜଧାନୀର ୟୁନିଟ-୨ରେ ୪୧୦ଟି ସରକାରୀ କ୍ୱାର୍ଟର ଭଙ୍ଗାଯିବ

ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ-୨ରେ ୪୧୦ଟି ସରକାରୀ କ୍ୱାର୍ଟର ଭଙ୍ଗାଯିବ। ଏହି ସବୁ କ୍ୱାର୍ଟରକୁ ଭାଙ୍ଗି ପିପିପି ମୋଡରେ ପୁନଃନିର୍ମାଣ କରିବା ଲାଗି ରାଜ୍ୟ ସରକାରଙ୍କ ଯୋଜନା ରହିଛି।
ଠିକ୍ ସେହିପରି ୟୁନିଟ-୬ ଅନ୍ତର୍ଗତ ୫୦ଟି କ୍ୱାର୍ଟର ଭଙ୍ଗାଯାଇ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଆଣ୍ଡ ରିସର୍ଚ୍ଚ ଆଟ୍ କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ମାଣ କରାଯିବ। ଏଣେ, ୟୁନିଟ-୪ ଅନ୍ତର୍ଗତ ଅନ୍ୟ ୫୦ଟି କ୍ୱାର୍ଟର ଏମଏଲଏ କଲୋନିରେ ବହୁତଳ ଆବାସିକ କୋଠା ନିର୍ମାଣ କରାଯିବ।
ୟୁନିଟ-୩ରେ ଭୁବନେଶ୍ୱର ମହାନଗର ନିଗମର ନୂତନ କାର୍ଯ୍ୟାଳୟ ନିର୍ମାଣ ପାଇଁ ୧୨ଟି କ୍ୱାର୍ଟର ଓ ୟୁନିଟ-୮ ଅନ୍ତର୍ଗତ ୩୬ଟି କ୍ୱାର୍ଟର ନିରାପଦ ନ ଥିରବା ଯୋଗୁ ଭଙ୍ଗାଯାଇଛି। ଏହା ବାଦ ୟୁନିଟ-୨ରେ ୧୨୪ଟି ଘର ଖାଲି ପଡ଼ିଛି ଯାହାର ପୁନଃନିର୍ମାଣ ଯୋଜନା ନିମନ୍ତେ ପ୍ରସ୍ତାଵ ଥିବାରୁ ଆବଣ୍ଟନ ହୋଇନାହିଁ। ବର୍ତ୍ତମାନ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅଧୀନରେ ୧୧,୩୭୪ଟି କ୍ୱାର୍ଟର ରହିଛି।
ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତିଙ୍କ ପ୍ରଶ୍ନରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଲିଖିତ ଉତ୍ତର ଦେଇଛନ୍ତି।

ସମ୍ବନ୍ଧିତ ଖବର