ଭୁବନେଶ୍ବର: ଯେଉଁ ଅସହାୟ ପରିବାରକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୌଣସି ଯୋଜନାରେ ଘର ଦିଆଯାଇପାରୁନି, ସେମାନଙ୍କୁ ଘର ଯୋଗାଇବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଘର ଦିଆଯାଉଛି। ହେଲେ ଏହି ଯୋଜନାରେ ଉପକୃତ ହେଉଥିବା ହିତାଧିକାରୀଙ୍କୁ ସେମାନଙ୍କ ପ୍ରାପ୍ୟ ମିଳୁନି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅବହେଳା ଯୋଗୁଁ ହିତାଧିକାରୀମାନେ ଏବେ ଘର ନିର୍ମାଣ ସମୟରେ ମିଳିବାକୁ ଥିବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି। ମନରେଗାରେ ୯୦ ଦିନର ଶ୍ରମ ପାଇଁ ୨୭୩ଟଙ୍କା ହିସାବରେ ୨୪,୫୭୦ ଟଙ୍କା, ପାହାଡ଼ିଆ ଅଞ୍ଚଳରେ ୯୫ ଦିନର ଶ୍ରମ ପାଇଁ ୨୫୯୩୫ ଟଙ୍କା ହିତାଧିକାରୀମାନେ ପାଇ ପାରୁନାହାନ୍ତି। ଯଦି ୨୪୫୭୦/୨୫୯୩୫ ଟଙ୍କା ପାଇବାକୁ ଅପେକ୍ଷା କରୁଛନ୍ତି, ତେବେ ଧାର୍ଯ୍ୟ ୪ମାସ ଭିତରେ ଘର ନିର୍ମାଣ ଶେଷ କଲେ ମିଳିବାକୁ ଥିବା ୨୦ ହଜାର ଟଙ୍କା ସହାୟତା ପାଇବେନି। ସରକାରୀ ଅବହେଳା ପାଇଁ ରାଜ୍ୟର ହଜାର ହଜାର ହିତାଧିକାରୀ ଏବେ ଅସହାୟ ହୋଇ ବସିଛନ୍ତି।
Advertisment
ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଚ୍ଚ ଶେଷ ସପ୍ତାହରୁ ୫୭,୩୦୮ଜଣ ହିତାଧିକାରୀଙ୍କୁ ଘର ଯୋଗାଇବାକୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ଦିଆଯାଇଛି। ଏପ୍ରିଲ ୧୫ ସୁଦ୍ଧା ସେମାନଙ୍କ ଆକାଉଣ୍ଟରେ ପ୍ରଥମ କିସ୍ତି ବାବଦକୁ ୪୦ହଜାର ଟଙ୍କା ଜମା କରାଯାଇଛି। ବାକି ଦୁଇଟି କିସ୍ତିରେ ଆଉ ୮୦ହଜାର ଟଙ୍କା କେମିତି ମିଳିବ, ମନରେଗା ଯୋଜନାରେ କିପରି ୯୦/୯୫ଦିନର କାମ ପାଇଁ ୨୭୩ ଟଙ୍କା ହିସାବରେ ମଜୁରି ମିଳିବ, ତାହା ହିତାଧିକାରୀଙ୍କୁ ବୁଝାଇ ଦିଆଗଲା। ଏହା ସହ କୁହାଗଲା ଯଦି ୪ ମାସରେ ଘର ନିର୍ମାଣ ଶେଷ କରିବ ତେବେ ଅଧିକ ୨୦ ହଜାର ଟଙ୍କା, ୬ ମାସରେ କାମ ସରିଲେ ଅଧିକ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ମିଳିବ। ଘରଦ୍ବାର ନଥିବା ଅସହାୟ ଲୋକଟି ଧାରକରଜ କରି ଘର କାମ କରି ଚାଲିଲା। କିନ୍ତୁ ନା ଏବେ ମନରେଗା ଟଙ୍କା ମିଳୁଛି, ନା ଘର କାମ ଧାର୍ଯ୍ୟ ସମୟରେ ଶେଷ କରିବା ପାଇଁ ଦ୍ବିତୀୟ, ତୃତୀୟ କିସ୍ତି ମିଳୁଛି। 
ପଞ୍ଚାୟତିରାଜ ବିଭାଗର ଅବହେଳା ପାଇଁ ଫସିଛନ୍ତି ଅନ୍ତ୍ୟୋଦୟ ହିତାଧିକାରୀ
ଘର ସରିବ, ମନରେଗା ଟଙ୍କା ମିଳିଲାନି
ଆର୍ଥିକ ପ୍ରୋତ୍ସାହନ ମିଳିଲେ, ମନରେଗା ଟଙ୍କା ମିଳିବନି
ଅପରପକ୍ଷେ ନିୟମ ଅନୁଯାୟୀ, ଅନ୍ତ୍ୟୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ମିଳିବା ପରେ ହିତାଧିକାରୀଙ୍କ ନାଁରେ ପଞ୍ଚାୟତ କାର୍ଯ୍ୟାଳୟରେ ମନରେଗା ଯୋଜନାରେ ଏକ ଆଇଡି ବା ଜବ୍ କାର୍ଡ ସୃଷ୍ଟି କରାଯିବ। ଏହାକୁ ବ୍ଲକ୍‌ର କନିଷ୍ଠ ଯନ୍ତ୍ରୀ-ସହକାରୀ ନିର୍ବାହୀ ଯନ୍ତ୍ରୀ-ବିଡିଓ-ଡିଆର୍‌ଡିଏ ପିଡି-ଜିଲ୍ଲାପାଳ ବୈଷୟିକ ଏବଂ ପ୍ରଶାସନିକ ଅନୁମୋଦନ ଦେବା ପରେ ଏକ ମଷ୍ଟର୍‌ ରୋଲ୍ ସୃଷ୍ଟି ହେବ। ଏହାସହ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଏହାକୁ ସଂଯୋଗ କରାଯିବ। ଏହାଦ୍ବାରା ସପ୍ତାହକୁ ୬ ଦିନ ହିସାବରେ ମୋଟ୍ ୯୦/୯୫ଦିନର ଶ୍ରମ ପାଇଁ ହିତାଧିକାରୀ ଓ ତାଙ୍କ ପରିବାରର ସଦସ୍ୟଙ୍କୁ ଦୈନିକ ୨୫୧ ଟଙ୍କା ହିସାବରେ ଘର ନିର୍ମାଣ ଭିତରେ ମୋଟ୍ ୨୪୫୭୦/ ୨୫୯୩୫ ଟଙ୍କା ଦେବାର ନିୟମ ଅଛି। ବିଡ଼ମ୍ବନାର ବିଷୟ ଏ ପର୍ଯ୍ୟନ୍ତ ପଞ୍ଚାୟତସ୍ତରରେ ହିତାଧିକାରୀଙ୍କ ଆଇଡି ସୃଷ୍ଟି କରାଯାଇନି। ଯାହା ଏବେ ହିତାଧିକାରୀଙ୍କ ପାଇଁ ସମସ୍ୟା ପାଲଟିଛି। କାରଣ ଘର ନିର୍ମାଣ ଶେଷ ହୋଇଛି ଦେଖାଇଲେ ମନରେଗାରେ କାମ ବାବଦକୁ ମିଳିବାକୁ ଥିବା ଅର୍ଥ ମିଳିବନି। ଆଉ ଯଦି ଘର ନିର୍ମାଣ ଶେଷ ହୋଇନି ବୋଲି ଦେଖାଇବେ ତେବେ ୪ ମାସରେ ଘର ନିର୍ମାଣ ସରିଲେ ଯେଉଁ ୨୦ହଜାର ଟଙ୍କାର ଆର୍ଥିକ ସହାୟତା ମିଳିବାକୁ ଅଛି ତାହା ମିଳିବନି। ଏ ନେଇ ହିତାଧିକାରୀମାନେ ପଞ୍ଚାୟତ ଅଫିସରୁ ବ୍ଲକ୍‌ ପର୍ଯ୍ୟନ୍ତ ଦୌଡ଼ୁଥିଲେ ବି କେହି ଶୁଣୁନାହାନ୍ତି। ମନରେଗାରେ ଟଙ୍କା ମଞ୍ଜୁର ହୋଇନଥିବାରୁ ଜବ୍ କାର୍ଡ ଅନୁମୋଦନ କରାଯାଉନି ବୋଲି କୁହାଯାଉଛି।
ପଞ୍ଚାୟତିରାଜ ବିଭାଗ ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ସୁଦ୍ଧା ଅନ୍ତ୍ୟୋଦୟ ଗୃହ ଯୋଜନାରେ ପ୍ରଥମ କିସ୍ତିରେ ୫୭,୩୦୮ଜଣ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ପ୍ରଦାନ କରାଯାଇଥିବାବେଳେ ୧୩୬୮ଜଣ ଦ୍ବିତୀୟ କିସ୍ତି ଟଙ୍କା ପାଇବାକୁ ମ‌ନୋନୀତ ହୋଇଛନ୍ତି। ହେଲେ ଏବେ ବର୍ଷା ଦିନ ପାଇଁ ବାଲି ଘାଟରେ ବାଲି ମିଳୁନଥିବାବେଳେ ଲୋକ କିପରି ଧାର୍ଯ୍ୟ ସମୟରେ କାମ ଶେଷ କରି ଆର୍ଥିକ ସହାୟତା ପାଇବେ ସେ ଚିନ୍ତା ହିତାଧିକାରୀଙ୍କୁ ଘାରିଛି। ଏହି ଅବ୍ୟବସ୍ଥା ‌ନେଇ ପଞ୍ଚାୟତିରାଜ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ରାଜ୍ୟ ସରକାର ଅନ୍ତ୍ୟୋଦୟ ଯୋଜନା ଆରମ୍ଭ କରିଥିଲେ ହେଁ ଏହାକୁ ମନରେଗା ୱେବସାଇଟ୍‌ରେ ଇଣ୍ଟିଗ୍ରେଟ୍ କରିନଥିଲେ। ଫଳରେ ଏବେ ସୁଦ୍ଧା ମନରେଗାରେ ଯେଉଁ ୯୦ରୁ ୯୫ ଦିନ କାମ ପାଇଁ ଟଙ୍କା ମିଳିବା କଥା ଦିଆଯାଇପାରୁନି। ଏବେ ଏହା ମନରେଗା ୱେବ୍‌ସାଇଟ୍‌ରେ ଇଣ୍ଟିଗ୍ରେଟ୍ କରାଯାଇଛି। କିନ୍ତୁ କେମିତି ଟଙ୍କା ଦିଆଯିବ ତାହା ଚିନ୍ତା କରାଯାଉଛି। ମନରେଗା ଟଙ୍କା ଏକସଙ୍ଗେ ଦେବାର ନିୟମ ନଥିବା ବେଳେ ଏହାକୁ ଯଦି ଘର ନିର୍ମାଣ ସରିବା ଭିତରେ ଦିଆଯାଉନି ତେବେ ଆଗକୁ ଦିଆଯାଇପାରିବନି। ବିଳମ୍ବ ହେଲେ ଯେଉଁମାନେ ଘର ନିର୍ମାଣ ଶେଷ କରିଛନ୍ତି ସେମାନଙ୍କୁ ବି ଆର୍ଥିକ ସହାୟତା ନିୟମ ଅନୁଯାୟୀ ମିଳିବନି। ଏହି ଦ୍ବନ୍ଦ୍ବରେ ଏବେ ବିଭାଗୀୟ ଅଧିକାରୀ ଅଛନ୍ତି। ଖୁବ୍‌ ଶୀଘ୍ର ଏହା ସ୍ପଷ୍ଟ ହୋଇଯିବ। 
ସୂଚନାଯୋଗ୍ୟ ଯେ ପ୍ରାକୃତିକ କିମ୍ବା ମନୁଷ୍ୟକୃତ ବିପର୍ଯ୍ୟୟରେ, ହାତୀ ଉପଦ୍ରବରେ ଘର ଭାଙ୍ଗିଥିଲେ କି ନଷ୍ଟ ହୋଇଥିଲେ, ସରକାରୀ ପ୍ରକଳ୍ପ ପାଇଁ ସ୍ଥାନାନ୍ତରଣ ହେଉଥିବା ପରିବାର,  ଘରର ମୁଖ୍ୟ ଉପାର୍ଜନକାରୀ ଅତି କମ୍‌ରେ ୪୦% ପ୍ରତିଶତ ଶାରୀରିକ ଭିନ୍ନକ୍ଷମ ହୋଇଥିଲେ, ନାବାଳକ ସନ୍ତାନ ଥିବା ବିଧବା ମହିଳା, ପରିବାରର ମୁଖ୍ୟ ଗୁରୁତର ରୋଗରେ ଆକ୍ରାନ୍ତ ହୋଇଥିଲେ, କୁଷ୍ଠ ରୋଗରୁ ମୁକ୍ତ, ମୁକ୍ତ ଗୋତି ଶ୍ରମିକ, ସହିଦ ପରିବାର, ଜାତୀୟ ପୁରସ୍କାରପ୍ରାପ୍ତ  ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର କ୍ରୀଡ଼ାବିତ୍, ଜଙ୍ଗଲ ଅଧିକାର ଆଇନ ହିତାଧିକାରୀ, ତୁରନ୍ତ ଗୃହ ଆବଶ୍ୟକ କରୁଥିବା ପରିବାରକୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଘର ଦିଆଯାଉଛି।