ଜଗନ୍ନାଥପ୍ରସାଦ: ଗଞ୍ଜାମ ଜିଲ୍ଲାର ଦକ୍ଷିଣ ଘୁମୁସର ବନଖଣ୍ଡ ପରେ ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ଜଗନ୍ନାଥପ୍ରସାଦ ବନାଞ୍ଚଳ ସଂପ୍ରତି ବିରଳ କୃଷ୍ଣସାର ମୃଗଙ୍କ ଅଭୟ ବିଚରଣସ୍ଥଳ ପାଲଟିଛି। କେବଳ ଏତିକି ନୁହେଁ, ୨୦୧୫ରୁ ଆଜି ସୁଦ୍ଧା ତଥା ଗତ ୮ ବର୍ଷ ମଧ୍ୟରେ ମୃଗଙ୍କ ସଂଖ୍ୟା ବଢ଼ିଛି। ଯାହାକି ବର୍ତ୍ତମାନ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।
ବନ ବିଭାଗରୁ ମିଳିଥିବା ତଥ୍ୟାନୁସାରେ, ତନରଡ଼ା, ନୂଆଗାଁ, କେବିରି, ସୁତୁମୁସର, ଗୋଚ୍ଛାବାଡ଼ି, ନାରାୟଣପଲ୍ଲୀ, ଅଳସୁ ଏବଂ କମସରଗଡ଼ ଅଞ୍ଚଳରେ ବର୍ତ୍ତମାନ କୃଷ୍ଣସାର ମୃଗଙ୍କୁ ବହୁଳ ମାତ୍ରାରେ ଦେଖିବାକୁ ମିଳିଛି। ୨୦୧୩ରେ ତନରଡ଼ା ଅଞ୍ଚଳରେ ପ୍ରଥମ ଥର ପାଇଁ କୃଷ୍ଣସାରଙ୍କୁ ଦେଖିବାକୁ ମିଳିଥିଲା। ଧୀରେ ଧୀରେ ଅନ୍ୟାନ୍ୟ ଅଞ୍ଚଳକୁ କୃଷ୍ଣସାର ମୃଗ ସେମାନଙ୍କ ଆସ୍ଥାନ କରିଥିଲେ। ବର୍ତ୍ତମାନ କୃଷ୍ଣସାରଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବବା ସହ ଗେରେଡ଼ା ଏବଂ ଜଗନ୍ନାଥପ୍ରସାଦ ବନାଞ୍ଚଳ ମଧ୍ୟ କୃଷ୍ଣସାରଙ୍କ ପ୍ରମୁଖ ବିଚରଣସ୍ଥଳ ପାଲଟିଛି।
୨୦୧୫ରେ ପ୍ରଥମ ଥର ପାଇଁ ଏଠାରେ ଗଣନା ବେଳେ ୧୬୮ଟି ମୃଗ ଥିବା ଜଣାପଡ଼ିଥିଲା। ୨୦୧୮ରେ ୨୩୮ଟି, ୨୦୨୦ରେ ୨୮୬ଟି, ୨୦୨୧ରେ ୩୦୧ଟି ମୃଗ ଥିଲେ। ଚଳିତବର୍ଷ ଗଣନା ବେଳେ ୩୪୨ଟି ମୃଗ ଥିବା ଜଣାପଡ଼ିଛି। ତନ୍ମଧ୍ୟରୁ ୬୪ଟି ପୁରୁଷ, ୨୪୨ଟି ମାଈ ଓ ୩୬ଟି ଯୁବ ପ୍ରଜାତିର। ଫଳରେ ମୋଟାମୋଟି ଭାବେ ଦେଖିବାକୁ ଗଲେ, କୃଷ୍ଣସାରଙ୍କ ବଂଶ ବଢ଼ିବାରେ ଲାଗିଛି। କେବଳ ଏତିକି ନୁହେଁ, ଚଳିତବର୍ଷ ଗଣନା ବେଳେ ତାରସିଂ ବନାଞ୍ଚଳରେ ବି କୃଷ୍ଣସାରଙ୍କୁ ଦେଖିବାକୁ ମିଳିଛି। ଯାହାକୁ ନେଇ ପରିବେଶବିତ୍ ସନ୍ତୋଷ ପ୍ରକଟ କରିଛନ୍ତି।
ତେବେ ବର୍ତ୍ତମାନ ମୃଗଙ୍କ ସଂଖ୍ୟା ବଢ଼ୁଥିବାରୁ ବନ ବିଭାଗ ପକ୍ଷରୁ ସେମାନଙ୍କ ସୁରକ୍ଷାକୁ ଯଥେଷ୍ଟ ଧ୍ୟାନ ଦିଆଯାଇଛି। ସ୍କ୍ବାଡ଼୍ ନିୟୋଜିତ ହୋଇଥିବା ବେଳେ ବିଚରଣ କରୁଥିବା ରାସ୍ତା ଗୁଡ଼ିକରେ ଚାଳକଙ୍କ ପାଇଁ ସତର୍କ ଫଳକ ଲଗାଯାଇଛି। ଏହାସହ ବିଭିନ୍ନ ଯୋଜନାରେ ପୋଖରୀ ଖୋଳାଯାଇଛି। ଏଥିପାଇଁ ବନ ବିଭାଗକୁ ନିକଟ ଗ୍ରାମବାସୀ ସହଯୋଗ କରୁଛନ୍ତି। ପ୍ରତିବର୍ଷ ପ୍ରାୟ ୮ ଏକର ଜାଗାରେ ଘାସପଡ଼ିଆ, ପିଇବା ପାଣି ପାଇଁ ପାହାଡ଼ତଳି ଅଞ୍ଚଳରେ ସିମେଣ୍ଟ୍ ପାଣିକୁଣ୍ଡ ଓ ନେଚୁରାଲ୍ ସଲ୍ଟ୍ ଲେକ୍ ନିର୍ମାଣ କରାଯାଇଥିଲା। ସମତଳ ଅଞ୍ଚଳରେ ଚାଷ କରି ମୁଗ, ବିରି ଓ ଜନା ମଞ୍ଜି ବୁଣାଯାଉଛି। ବର୍ତ୍ତମାନ କମସରଗଡ଼ ଓ ସମରବନ୍ଧ ଅଞ୍ଚଳର କିଛି ଲୋକ କୃଷ୍ଣସାରଙ୍କ ପାଇଁ ପୋଖରୀ ଖୋଳିବାକୁ ଜାଗା ହେଉଛନ୍ତି। ସେହିପରି ସେମାନଙ୍କ ସ୍ବାସ୍ଥ୍ୟ ଓ ଚିକିତ୍ସାକୁ ବି ଗୁରୁତ୍ବ ଦିଆଯାଉଛି। ବର୍ତ୍ତମାନ କୃଷ୍ଣସାରଙ୍କ ଗତିବିଧି ଉପରେ ରଖିବାକୁ ୧୦ ଜଣିଆ ସ୍କ୍ବାଡ଼୍ ନିୟୋଜିତ ହୋଇଥିବା ବେଳେ ତିନିଜଣ ବନପାଳ ଏହାକୁ ତଦାରଖ କରୁଛନ୍ତି। କୃଷ୍ଣସାରଙ୍କ ସୁରକ୍ଷା ପାଇଁ ଗ୍ରାମବାସୀଙ୍କୁ ସଚେତନ ବି କରାଯାଉଛି।
ବର୍ତ୍ତମାନ ଜଗନ୍ନାଥପ୍ରସାଦ ବନାଞ୍ଚଳରେ କୃଷ୍ଣସାରଙ୍କ ସଂଖ୍ୟା ବଢ଼ୁଥିବାରୁ ମୁଖ୍ୟ ବନ ସଂରକ୍ଷକଙ୍କ ସହଯୋଗରେ ଗତବର୍ଷ ଫେବ୍ରୁଆରି ୨୨ ତାରିଖରେ ଏହା ଉପରେ ଦୂରଦର୍ଶନରେ ‘ବନଦର୍ଶନ’ ନାମକ ଡକ୍ୟୁମେଣ୍ଟାରି ପ୍ରସାରିତ ହୋଇଥିବା ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା ପ୍ରକାଶ କରିଛନ୍ତି। କୃଷ୍ଣସାରଙ୍କ ସୁରକ୍ଷା ଓ ବଂଶବୃଦ୍ଧି ପାଇଁ ବନ ବିଭାଗ ତତ୍ପର ଥିବା ସେ କହିଛନ୍ତି।
କୃଷ୍ଣସାରଙ୍କ ଅଭୟ ବିଚରଣସ୍ଥଳ: ଜଗନ୍ନାଥପ୍ରସାଦ ବନାଞ୍ଚଳ
/sambad/media/post_attachments/wp-content/uploads/2023/02/d1f321ce-1c44-418d-b8eb-e9fc3b3c2106.jpg)