କୋରାପୁଟରେ କଡ଼ ଲେଉଟାଉଛି ଆନ୍ଥ୍ରାକ୍ସ: ପଡ଼େଇଗୁଡ଼ାରୁ ୨ ପଜିଟିଭ୍‌ ଚିହ୍ନଟ

କୋରାପୁଟ: କୋରାପୁଟ ଜିଲ୍ଲାରେ ପୁଣି କଡ଼ ଲେଉଟାଉଛି ଆନ୍ଥ୍ରାକ୍ସ। କୋରାପୁଟ ସଦର ବ୍ଲକ୍‌ ଦେବୀଘାଟ ପଞ୍ଚାୟତ ପଡେଇଗୁଡ଼ା ଗାଁରୁ ଦୁଇ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୫୦ ବର୍ଷୀୟ ଏବଂ ଅନ୍ୟ ଜଣେ ୪୭ବର୍ଷୀୟ ବ୍ୟକ୍ତି। ଦୁହିଁଙ୍କ ରକ୍ତ ନମୁନା ଆନ୍ଥ୍ରାକ୍ସ ପଜିଟିଭ୍‌ ଆସିବା ପରେ ଲୋକେ ଛାନିଆଁ ହୋଇପଡ଼ିଛନ୍ତି। ‌ନୂ୍ଆ ଆକ୍ରାନ୍ତ ଦ୍ବୟ ନିଜ ଘରେ ସଙ୍ଗରୋଧରେ ରହିଥିବା ବେଳେ ମାଥାଲପୁଟ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ନଜର ରଖାଯାଇଛି। ଗାଁର ମୋଟ୍‌ ୬ଜଣଙ୍କୁ ସଙ୍ଗରୋଧରେ ରଖାଯାଇଛି।

ସୂଚନା ଅନୁସାରେ, ଜୁନ୍‌ ୧୪ ତାରିଖରେ ପଡ଼େଇଗୁଡ଼ା ଅଞ୍ଚଳର କିଛି ଲୋକେ ମାଂସ ଭୋଜି କରି ଖାଇଥିଲେ। ଭୋଜି ଖାଇବା ପରେ ଅଧିକାଂଶଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ସୂଚନା ପାଇ ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ମେଡିକାଲ ଟିମ୍‌ ଗାଁରେ ପହଞ୍ଚି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ରକ୍ତନମୁନା ସଂଗ୍ରହ କରିଥିଲା। ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନା କରାଯାଇ ଆବଶ୍ୟକ ଔଷଧ ବଣ୍ଟନ କରାଯାଇଥିଲା। ଏଡିପିଏଚ୍‌ଓ ଡା. ମୁକ୍ତିକାନ୍ତ ଖଟୁଆଙ୍କ କହିବା ଅନୁସାରେ ୪୦୦ରୁ ଅଧିକ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ୬ଜଣଙ୍କ ଅବସ୍ଥା ଖରାପ ଥିବାରୁ ସେମାନଙ୍କ ରକ୍ତ ନମୁନାକୁ ପରୀକ୍ଷା ପାଇଁ ଭୁବନେଶ୍ବର ପଠାଯାଇଥିଲା। ସେଥିରୁ ଦୁଇ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ମୌସୁମୀର ଆଗମନ ପରେ ପ୍ରତି ବର୍ଷ କୋରାପୁଟ ଜିଲ୍ଲାରେ ଆନ୍ଥ୍ରାକ୍ସ ଆତଙ୍କ ଦେଖାଦେଉଛି। ୨୦୨୩ରେ ଜିଲ୍ଲାରୁ ୨୧ ଆନ୍ଥ୍ରାକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଲକ୍ଷ୍ମୀପୁରରୁ ୪, ଦଶମନ୍ତପୁରରୁ ୧୨, ନାରାୟଣପାଟଣା ଓ ବନ୍ଧୁଗାଁରୁ ୨ଜଣ ଲେଖାଏଁ ଏବଂ ସେମିଳିଗୁଡାରୁ ଜଣେ ପଜିଟିଭ୍‌ ଚିହ୍ନଟ ହୋଇଥିଲେ।

ସମ୍ବନ୍ଧିତ ଖବର