ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ କୁଟିଙ୍ଗା ପଞ୍ଚାୟତ ସଦର ଗାଁରେ ଆନ୍ଥ୍ରାକ୍ସ ଆତଙ୍କ ଦେଖିବାକୁ ମିଳିଛି। ଏହି ଗ୍ରାମର ମୁକୁନା ମିଣିଆକା ଓ ଉକୁ ମିଣିଆକାଙ୍କ ନିକଟରେ ଆନ୍ଥ୍ରାକ୍ସ ଲକ୍ଷଣ ଦେଖାଯିବା ପରେ ପ୍ରତିଷେଧକ ପଦକ୍ଷେପ ନିଆଯାଇଛି। ଉଭୟଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ନିମନ୍ତେ କୋରାପୁଟ ଏସ୍ଏଲ୍ଏନ୍ ମେଡିକାଲ କଲେଜକୁ ପଠାଯାଇଛି।

Advertisment

ମିଳିଥିବା ସୂଚନା ଅନୁସାରେ, ଦୁହିଁଙ୍କୁ ମଙ୍ଗଳବାର ଦିନ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ, ଚିକିତ୍ସା ଆରମ୍ଭ ହେବାର କିଛି ଘଣ୍ଟା ପରେ ଦୁହେଁ କାହାକୁ କିଛି ନ କହି ଡାକ୍ତରଖାନା ବାହାରକୁ ଚାଲି ଆସିଥିଲେ। ଚିକିତ୍ସା ନ କରାଇ ବର୍ତ୍ତମାନ ନିଜ ନିଜ ଘରେ ରହିଥିବା ସୂଚନା ମିଳିଛି। ତେବେ, ଏହି ଖବର ଶୁଣିବାପରେ ଜିଲ୍ଲାସ୍ତରୀୟ ଡାକ୍ତରୀ ଦଳ କୁଟିଙ୍ଗା ଗାଁକୁ ଯାଇଥିଲେ। ଘର ଘର ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ଔଷଧ ବଣ୍ଟନ କରି ଫେରିଯାଇଛନ୍ତି। ଆଜି ପୁଣି ଲକ୍ଷ୍ମୀପୁର ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବା ଦଳ କୁଟିଙ୍ଗ ଗ୍ରାମ ଗସ୍ତ କରି ଡାକବାଜି ଯନ୍ତ୍ରରେ ଲୋକଙ୍କୁ ମଲା ପଶୁଙ୍କ ମାଂସ ନଖାଇବା ସକାଶେ ସଚେତନ କରିଥିବା ଦେଖିବାକୁ ମିଳିଛି। ଦୁହିଁଙ୍କ ରକ୍ତ ପରୀକ୍ଷା ରିପୋର୍ଟ ଆସିଲେ ହିଁ ଆନ୍ଥ୍ରାକ୍ସରେ ଆକ୍ରାନ୍ତ ହୋଇଛନ୍ତି ନା ନାହିଁ ଜଣାପଡ଼ିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।