କାଳିଆପାଣି : ଖଣିଅଞ୍ଚଳରେ ଏବେ ମଦ ବିରୋଧୀ ଅଭିଯାନ ତେଜିବାରେ ଲାଗିଛି। ମଦ ଦାଉରୁ ଗାଁ ଗହଳିରେ ଶହଶହ ପରିବାରର ଉଜୁଡ଼ା ଦୃଶ୍ୟ ସମାଜରେ ଆଲୋଡ଼ନ ସୃଷ୍ଟି କରୁଥିବା ବେଳେ ସରକାର ମଦ ଲାଇସେନ୍ସ ପ୍ରଦାନ କରିବା ନେଇ ସାଧାରଣରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। କାଳିଆପାଣି ଥାନା ଅନ୍ତର୍ଗତ କଲରଙ୍ଗିଅତ୍ତା ମୌଜାରୁ ପ୍ରସ୍ତାବିତ ସରକାରୀ ବିଦେଶ ମଦ ଦୋକାନ ପ୍ରତ୍ୟାହାର ଦାବିରେ କାଙ୍କଡ଼ପାଳ ଗାଁର ଶ୍ରୀ ଗଣେଶ ଯୁବକ ସଂଘ ପକ୍ଷରୁ ଶନିବାର ସକାଳେ ୬ ଘଣ୍ଟିଆ ପ୍ରତୀକ ଅନଶନ କରାଯାଇଛି। ସଂଯୋଜକ ନରେଶ ପ୍ରଧାନ, ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ପାତ୍ର ଓ ଉପେନ୍ଦ୍ର ମହାକୁଡ଼ଙ୍କ ସମେତ ପ୍ରଭାବିତ ପରିବାରର ୨ ବାଳକ ଏହି ସତ୍ୟାଗ୍ରହରେ ସାମିଲ ହୋଇଥିଲେ। ଯୁବକସଂଘ କାର୍ଯ୍ୟାଳୟ ବାରଣ୍ଡାରେ ମହାତ୍ମା ଗାନ୍ଧୀଙ୍କ ଫଟୋ ରଖି ହାତରେ ପ୍ଲାକାର୍ଡ ଧରି ସେମାନେ ପ୍ରଶାସନ ନିଷ୍ପତ୍ତିର ପୁନର୍ବିଚାର ଦାବି କରିଛନ୍ତି।
ଏ ପ୍ରସଙ୍ଗରେ ବାଳକ ଦ୍ବୟ କହିଛନ୍ତି ଯେ, ମଦ ପଛରେ ଟଙ୍କା ଉଡ଼ାଇ ବାପା ପରିବାରକୁ ପର କରୁଛନ୍ତି ପଛେ ପିଲାମାନଙ୍କୁ ଆଡ଼ ଆଖିରେ ଚାହୁଁନାହାନ୍ତି। ପରିବାର ମୁଖ୍ୟଙ୍କ ବଦଭ୍ୟାସ ପାଇଁ ଆର୍ଥିକ ସଂକଟ ଲାଗିରହିଥିବା ସମୟରେ କୋମଳମତି ଶିଶୁଙ୍କ ପାଠପଢ଼ା ଓ ଭବିଷ୍ୟତ ଉପରେ ଏହାର କୁପ୍ରଭାବ ପଡ଼ୁଥିବା କୁହାଯାଇଛି। ସେହିପରି ଗାଁଗାଁରେ ଥିବା ଚୋରା ମଦ ଦୋକାନ ଓ ଭାଟି ପାଇଁ ସାମାଜିକ ହିଂସା ଓ ସଡ଼କ ଦୁର୍ଘଟଣା ବଢ଼ୁଛି। ନିଶା ଖାଇ ଅବେଳରେ ରୋଗାକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡ଼ୁଥିଲେ ମଧ୍ୟ ମଦ୍ୟପ ଚେତୁନଥିବା ଦୁର୍ଭାଗ୍ୟଜନକ ବୋଲି ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ଏହି ଗାଁର ବାସିନ୍ଦା ପ୍ରତାପ ଚନ୍ଦ୍ର ପାତ୍ର କହିଛନ୍ତି। ମଦ ଦାଉରୁ ଭାଇଚାରା ନଷ୍ଟ ହେବାସହ ପିଲାମାନେ ପ୍ରାଥମିକ ଶିକ୍ଷାରୁ ଆଉ ଆଗକୁ ବଢ଼ି ପାରୁନାହାନ୍ତି ବୋଲି କାଙ୍କଡ଼ପାଳ ଗାଁର ବରିଷ୍ଠ ଶିକ୍ଷକ ଦୟାନିଧି ଦାଶ ମତ ଦିଅନ୍ତି।
ଯୁବକଙ୍କ ମଦ ବିରୋଧୀ ଅଭିଯାନ ସ୍ବାଗତଯୋଗ୍ୟ ଏବଂ ଏଥିପ୍ରତି ସବୁ ବର୍ଗର ମହିଳାଙ୍କ ସମର୍ଥନ ରହିଛି ବୋଲି ଗାଁର ଜୟ ହନୁମାନ ମହିଳା ସ୍ବୟଂ ସହାୟିକା ସଂଘ ସଭାପତି ପ୍ରତିମା ନାୟକ କହିଛନ୍ତି। ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି।